ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ ପକ୍ଷରୁ ବନ୍ୟା ପ୍ରଭାବିତ ପ୍ରମୁଖ ଜିଲ୍ଲାଗୁଡ଼ିକ ପାଇଁ ୩ ଜଣ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି। ଏହି ବନ୍ୟାଞ୍ଚଳ ପରିଦର୍ଶନ କରିବା ପାଇଁ ବିଜୁ ଜନତା ଦଳର (ବିଜେଡି) ସୁପ୍ରିମୋ, ବିରୋଧୀ ଦଳ ନେତା ତଥା ମୁଖିଆ ନବୀନ ପଟ୍ଟନାୟକ ଦଳୀୟ ନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦଳର ୩ ଜଣ ବରିଷ୍ଠ ନେତାଙ୍କୁ ତିନୋଟି ବନ୍ୟା ପ୍ରପୀଡ଼ିତ ଜିଲ୍ଲାକୁ ଯିବା ପାଇଁ ଏହି ନିର୍ଦ୍ଦେଶ ଜାରି ହୋଇଛି। ବରିଷ୍ଠ ନେତା ପ୍ରଦୀପ ଅମାତ, ବିଧାୟକ ଅରୁଣ କୁମାର ସାହୁ ଏବଂ ରାଜ୍ୟ ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମାଙ୍କୁ ଏହି ଦାୟିତ୍ୱ ମିଳିଛି। ଯାଜପୁର ଜିଲ୍ଲା ଦାୟିତ୍ୱରେ ପ୍ରଦୀପ ଅମାତ, ଭଦ୍ରକ ଦାୟିତ୍ୱ ଅରୁଣ କୁମାର ସାହୁ ଏବଂ ବାଲେଶ୍ୱର ଦାୟିତ୍ୱରେ ସଞ୍ଜୟ ଦାସବର୍ମା ରହିବେ । ଏହି ନେତାମାନଙ୍କୁ ପ୍ରଭାବିତ ଅଞ୍ଚଳ ଗସ୍ତ କରି ବନ୍ୟାପୀଡ଼ିତ ଲୋକଙ୍କ ସହ ଆଲୋଚନା କରିବା ସହ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ବିଜେଡି ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତାଙ୍କ ସହିତ ସମନ୍ୱୟ ରକ୍ଷା କରି ସଠିକ୍ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଆଦେଶ ତୁରନ୍ତ ଲାଗୁ କରାଯାଇଛି। ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ବୈତରଣୀ ଓ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ଗମ୍ଭୀର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାସହ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର ଓ କେନ୍ଦ୍ରାପଡ଼ା ଜିଲ୍ଲାର ବହୁ ଗାଁ, ଚାଷଜମି ଓ ରାସ୍ତାଘାଟ ବନ୍ୟା ଜଳରେ ବୁଡ଼ି ରହିଛି। Post navigation Controversy In Derabish: ଭାଜପା ନେତା ଉମାକାନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେବେ କି ମୁଖ୍ୟମନ୍ତ୍ରୀ ?