ଭାରତୀୟ ଜନତା ପାର୍ଟି ବୁଧବାର ଦିନ ନିଜର ସାଂଗଠନିକ କ୍ଷେତ୍ରରେ ଏକ ବଡ଼ ଧରଣର ଅଦଳବଦଳ କରିଛି। ଦେଶର ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନୂତନ ପ୍ରଭାରୀ ଓ ସହ-ପ୍ରଭାରୀଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଓଡ଼ିଶାର ପ୍ରଭାରୀ ଭାବେ ବରିଷ୍ଠ ନେତ୍ରୀ ଡ. ଡି. ପୁରନ୍ଦେଶ୍ୱରୀଙ୍କୁ ପୁଣି ଥରେ ଦାୟିତ୍ୱ ଦିଆଯାଇଛି। ଏଥିସହିତ ଡ. ସ୍ୱଦେଶ ସିଂଙ୍କୁ ଓଡ଼ିଶାର ସହ-ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ଦ୍ୱାରା ପ୍ରକାଶିତ ଏହି ନିଯୁକ୍ତି ତୁରନ୍ତ କାର୍ଯ୍ୟକାରୀ ହୋଇଛି। ପୁରନ୍ଦେଶ୍ୱରୀ ଓଡ଼ିଶାରେ ପାର୍ଟିର ସାଂଗଠନିକ କାର୍ଯ୍ୟର ତଦାରଖ କରିବେ, ଆଉ ତାଙ୍କୁ ସହଯୋଗ କରିବେ ସହ-ପ୍ରଭାରୀ ସ୍ୱଦେଶ ସିଂ।

ଆନ୍ଧ୍ରପ୍ରଦେଶର ବରିଷ୍ଠ ବିଜେପି ନେତ୍ରୀ ଡ. ଡି. ପୁରନ୍ଦେଶ୍ୱରୀ ପୂର୍ବରୁ ମଧ୍ୟ ଓଡ଼ିଶାର ପ୍ରଭାରୀ ଭାବେ କାର୍ଯ୍ୟ କରିସାରିଛନ୍ତି। ୨୦୨୦ ମସିହାରେ ତାଙ୍କୁ ପ୍ରଥମ ଥର ପାଇଁ ଏହି ଦାୟିତ୍ୱ ମିଳିଥିଲା। ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ତାଙ୍କର ଏହି ପୁନଃ ନିଯୁକ୍ତି ବେଶ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି। ଏହି ନୂତନ ନିଯୁକ୍ତି ଦ୍ୱାରା ପୁରନ୍ଦେଶ୍ୱରୀ ଓ ସ୍ୱଦେଶ ସିଂ ଯଥାକ୍ରମେ ବିଜୟ ପାଲ ସିଂ ତୋମାର ଏବଂ ସୁଶ୍ରୀ ଲତା ଉସେଣ୍ଡିଙ୍କ ସ୍ଥାନ ନେବେ।

ସେହିପରି ବିଜେପି ପକ୍ଷରୁ ସମଗ୍ର ଦେଶରେ ରାଜ୍ୟସ୍ତରୀୟ ଟିମ୍‌ଗୁଡ଼ିକର ପୁନର୍ଗଠନ କରାଯାଇଛି। ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ, ତାମିଲନାଡୁ, ଉତ୍ତରାଖଣ୍ଡ, ବିହାର, କର୍ଣ୍ଣାଟକ, ପଞ୍ଜାବ ଆଦି ରାଜ୍ୟରେ ନୂତନ ପ୍ରଭାରୀ ନିଯୁକ୍ତ ହୋଇଛନ୍ତି।

ମହାରାଷ୍ଟ୍ରରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ଜୟ ପଣ୍ଡାଙ୍କୁ ପ୍ରଭାରୀ ଦାୟିତ୍ୱ ଦିଆଯାଇଥିବା ବେଳେ ଅମିତ ମାଲବୀୟ, ସଦାନନ୍ଦ ଶେଟ୍ ତାନାୱାଡେ ଓ କମଲଜିତ୍ ସେହରାୱତଙ୍କୁ ସହ-ପ୍ରଭାରୀ କରାଯାଇଛି।

ଏଥି ସହିତ ଉତ୍ତର ପ୍ରଦେଶର ପ୍ରଭାରୀ ଭାବେ ବିନୋଦ ତାୱଡେ ନିଯୁକ୍ତ ହୋଇଥିବା ବେଳେ ଜଗଦୀଶ ପଟେଲ, ମେଧା କୁଲକର୍ଣ୍ଣୀ, ପ୍ରଦୀପ ବର୍ମା ଓ ଅନନ୍ତ ଓଝା ସହ-ପ୍ରଭାରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି। ଏତଦ୍‌ବ୍ୟତୀତ ସୁନିଲ ବଂଶଲଙ୍କୁ ତେଲେଙ୍ଗାନା ଓ ପଶ୍ଚିମବଙ୍ଗ, ରାମ ମାଧବଙ୍କୁ ତାମିଲନାଡୁ ଓ ଉତ୍ତରାଖଣ୍ଡ, ହରୀଶ ଦ୍ୱିବେଦୀଙ୍କୁ ବିହାର ଓ କର୍ଣ୍ଣାଟକ, ଏବଂ ସତୀଶ ପୁନିଆଙ୍କୁ ଜମ୍ମୁ-କାଶ୍ମୀର ଓ ପଞ୍ଜାବର ଦାୟିତ୍ୱ ଦିଆଯାଇଛି। ରାଜ୍ୟସ୍ତରୀୟ ସାଂଗଠନିକ ଢାଞ୍ଚାକୁ ଅଧିକ ମଜବୁତ୍ କରିବା ଏବଂ ବରିଷ୍ଠ ନେତାମାନଙ୍କୁ ସଠିକ୍ ଦାୟିତ୍ୱ ବଣ୍ଟନ କରିବା ଲକ୍ଷ୍ୟରେ ବିଜେପି ଏହି ବଡ଼ ପରିବର୍ତ୍ତନ କରିଛି।

Leave a Reply

Your email address will not be published. Required fields are marked *