ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଅକ୍ଟୋବର ୨୭ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗସ୍ତ କରି ସେଠାରେ ଆୟୋଜିତ ଏକ ମେଗା ଚକ୍ଷୁ ଚିକିତ୍ସା ଶିବିରରେ ଯୋଗଦେବେ। ଏ ନେଇ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ରାଷ୍ଟ୍ରପତି ଅକ୍ଟୋବର ୨୭ ତାରିଖରେ ଓଡ଼ିଶାରେ ପହଞ୍ଚି ନିଜ ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ଆୟୋଜିତ ଏକ ମେଗା ଚକ୍ଷୁ ପରୀକ୍ଷା ଶିବିରରେ ଯୋଗଦେବେ। ଏହି ମହତ୍ତ୍ବପୂର୍ଣ୍ଣ ଜନସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହ ସ୍ଥାନୀୟ ସମାଜସେବୀ ଓ କଲ୍ୟାଣକାରୀ ସଂଗଠକମାନଙ୍କ ସହିତ ଆଲୋଚନା କରିସାରି ଅକ୍ଟୋବର ୨୮ ତାରିଖରେ ସେ ନୂଆଦିଲ୍ଲୀ ଫେରିଯିବେ। ରାଇରଙ୍ଗପୁର ରାଷ୍ଟ୍ରପତି ମୁର୍ମୁଙ୍କ ନିଜ ସହର ହୋଇଥିବାରୁ ଏହି ଗସ୍ତର ସ୍ୱତନ୍ତ୍ର ଗୁରୁତ୍ୱ ରହିଛି। ଏହି ସ୍ୱାସ୍ଥ୍ୟ ଅଭିଯାନ ଅକ୍ଟୋବର ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ମୋଟ ୫ ଦିନ ବ୍ୟାପୀ ଚାଲିବ। ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଉଚ୍ଚମାନର ଚିକିତ୍ସା ଯୋଗାଇଦେବା ପାଇଁ ନୂଆଦିଲ୍ଲୀରୁ ପ୍ରାୟ ୧୦୦ ଜଣ ଅଭିଜ୍ଞ ଚକ୍ଷୁ ବିଶେଷଜ୍ଞ ଡାକ୍ତର ଆସି ଏହି ଶିବିରରେ ଯୋଗଦେବେ। ଏହି ଅଭିଯାନ ମାଧ୍ୟମରେ ଜିଲ୍ଲାର ହଜାର ହଜାର ରୋଗୀଙ୍କୁ ମାଗଣା ପରାମର୍ଶ, ରୋଗ ନିରୂପଣ ଓ ଆବଶ୍ୟକୀୟ ଚିକିତ୍ସା ଯୋଗାଇ ଦିଆଯିବ। ରାଷ୍ଟ୍ରପତିଙ୍କ ଏହି ଗସ୍ତ ଓ ଶିବିରକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୁରକ୍ଷା ଓ ପ୍ରସ୍ତୁତି କାର୍ଯ୍ୟ ଜୋରଦାର କରାଯାଇଛି। Post navigation 72nd National Film Awards: Anant Nag Honoured with Prestigious Dadasaheb Phalke Award Vamana Janma Ritual: ଶ୍ରୀମନ୍ଦିରରେ ଆସନ୍ତାକାଲି ୬ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ