ଆନ୍ଧ୍ରପ୍ରଦେଶର ବହୁ ପ୍ରତିକ୍ଷିତ ପୋଲାଭରମ ପ୍ରକଳ୍ପର କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଥିବା ବେଳେ ଏହାକୁ ନେଇ ପୁଣି ଥରେ ଓଡ଼ିଶା ପ୍ରତି ଅବହେଳାର ଚିତ୍ର ସାମ୍ନାକୁ ଆସିଛି।ଆନ୍ଧ୍ରପ୍ରଦେଶର ପୋଲାଭରମ ବହୁମୁଖୀ ପ୍ରକଳ୍ପ ଯୋଗୁଁ ଓଡ଼ିଶାର ମାଲକାନଗିରି ଜିଲ୍ଲାର ଏକ ବୃହତ ଅଞ୍ଚଳ ଜଳମଗ୍ନ ହେବାର ଆଶଙ୍କା ଦେଖାଦେଇଛି। ଏହାଦ୍ୱାରା ଅନେକ ଜନବସତି ପାଣି ଘେରରେ ହଜିଯିବା ସହ ହଜାର ହଜାର ଲୋକଙ୍କ ଜୀବନ ଜୀବିକା ବିପନ୍ନ ହେବ। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଓଡ଼ିଶା ସରକାର କେନ୍ଦ୍ର ନିକଟରେ ବାରମ୍ବାର ଆପତ୍ତି ଉଠାଇବା ସହ ପ୍ରକଳ୍ପ କାର୍ଯ୍ୟ ବନ୍ଦ କରିବାକୁ ଦାବି କରିଆସୁଛନ୍ତି।

ମାଲକାନଗିରି ଜିଲ୍ଲାର ପ୍ରଭାବିତ ଅଞ୍ଚଳରେ ଜନଶୁଣାଣି କରିବା ପାଇଁ ସୁପ୍ରିମକୋର୍ଟ ଦେଇଥିବା ପରାମର୍ଶକୁ ମଧ୍ୟ ଆନ୍ଧ୍ର ସରକାର ଖାତିର କରିନାହାନ୍ତି। ଏସବୁ ସତ୍ତ୍ୱେ କେନ୍ଦ୍ର ସରକାର ପ୍ରକଳ୍ପ ପାଇଁ ହାତଖୋଲା ଅନୁଦାନ ଜାରି ରଖିଛନ୍ତି, ଯାହାକୁ ନେଇ ସ୍ଥାନୀୟ ଆଦିବାସୀ ଓ ପ୍ରଭାବିତ ଲୋକଙ୍କ ମଧ୍ୟରେ ଗଭୀର ଉଦ୍‌ବେଗ ପ୍ରକାଶ ପାଇଛି।

ପ୍ରକଳ୍ପର ୩୦୪୩୬.୯୫ କୋଟି ସଂଶୋଧୂତ ବ୍ୟୟ ଅଟକଳକୁ ଗତବର୍ଷ କେନ୍ଦ୍ର ସରକାର ମଞ୍ଜୁରି ଦେବା ସହ ୫୫୧୨.୪ କୋଟି ଅନୁଦାନ ଦେଇଛନ୍ତି । କିନ୍ତୁ ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ବ୍ୟାପକ ଅଞ୍ଚଳ ଜଳମଗ୍ନ ହେବାର ଆଶଙ୍କା ଥିଲେ ହେଁ ଏହାର କୌଣସି ପ୍ରଭାବ ଆକଳନ କରାଯାଇ ନାହିଁ କିମ୍ବା ଓଡ଼ିଶାର କ୍ଷତିଗ୍ରସ୍ତଙ୍କ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ଏହି ପ୍ରକଳ୍ପ ଦ୍ୱାରା କେବଳ ଆନ୍ଧ୍ରର ଜନସାଧାରଣ ଲାଭବାନ ହେବେ ଏବଂ ମାଲକାନଗିରି ଜିଲ୍ଲାର ହଜାର ହଜାର ଆଦିବାସୀ ଓ ପ୍ରଭାବିତଙ୍କ ପ୍ରତି ଘୋର ଅନ୍ୟାୟ କରାଯାଇଛି ବୋଲି ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଏହାକୁ ନେଇ ସଂସଦରେ କେନ୍ଦ୍ରମନ୍ତ୍ରୀ ପ୍ରକଳ୍ପର ପ୍ରଗତି ଓ ବିସ୍ଥାପିତଙ୍କ ପୁନର୍ବାସ ବାବଦରେ ତଥ୍ୟ ରଖିଥିଲେ ସୁଦ୍ଧା, ଏଥିରେ ଓଡ଼ିଶାର ମାଲକାନଗିରି ଜିଲ୍ଲାର କ୍ଷତିଗ୍ରସ୍ତ ଅଞ୍ଚଳ ଓ ଲୋକଙ୍କ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ତେଲୁଗୁ ଦେଶମ ପାର୍ଟି ସାଂସଦ ଆର୍ କୃଷ୍ଣାୟାଙ୍କ ପ୍ରଶ୍ନରେ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ରାଜଭୂଷଣ ଚୌଧୁରୀ ସଂସଦରେ ଉତ୍ତର ଦେଇ ଜଣାଇଛନ୍ତି ଯେ, ୨୦୨୧-୨୨ରେ ୧,୮୯୮.୮୦ କୋଟି ଟଙ୍କା, ୦୨୨-୨୩ରେ ୧, ୬୭୧.୨୩ କୋଟି ଟଙ୍କା, ୨୦୨୩-୨୪ରେ ୭୨୭.୮୮ କୋଟି ଟଙ୍କା, ୨୦୨୪-୨୫ରେ ୫,୫୧୨.୪୦ କୋଟି ଟଙ୍କା ଏବଂ ୨୦୨୫-୨୬ରେ ୨,୮୧୦.୨୨ କୋଟି ଟଙ୍କା ଦିଆଯାଇଛି। ଏହା ସହ ପୋଲାଭରମ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ପାଇଁ ୩୦,୪୩୬.୯୫ କୋଟି ଟଙ୍କାର ସଂଶୋଧୂତ ଖର୍ଚ୍ଚ ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପରମୁଖ୍ୟ ନିର୍ମାଣ କାମ ମଧ୍ଯ ଦ୍ରୁତ ଗତିରେ ଆଗେଇଛି।

ସେ କହିଛନ୍ତି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକୁ ମାର୍ଚ୍ଚ ୨୦୨ ସୁଦ୍ଧା ସାରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଆବଶ୍ୟକ ହେଲେ ଆଉ ଗୋଟିଏ ବର୍ଷ ସମୟ ବଢ଼ାଇବାର ବ୍ୟବସ୍ଥା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରକଳ୍ପର ମୁଖ୍ୟ ନିର୍ମାଣ କାର୍ଯ୍ୟ କାମ ୯୬.୮୭ ପ୍ରତିଶତ ଶେଷ ହୋଇଛି । କଂକ୍ରିଟ୍ କାମ ୯୮.୮୪ ପ୍ରତିଶତ ଓ ଷ୍ଟିଲ୍ କାମ ୯୨.୯୫ ପ୍ରତିଶତ ସମ୍ପୂର୍ଣ୍ଣ ହୋଇଛ।  ସରକାରୀ ତଥ୍ୟ ଅନୁସାରେ ପୋଲାଭରମ ଯୋଗୁଁ ମୋଟ ୯୬,୬୬୦ଟି ପ୍ରକଳ୍ପ ବିସ୍ଥାପିତ ପରିବାର ପ୍ରଭାବିତ ହେବେ।

ଏଥି ସହିତ ପ୍ରଥମ ପର୍ଯ୍ୟାୟର +୪୧.୧୫ ମିଟର ଜଳସ୍ତର ପର୍ଯ୍ୟନ୍ତ ପ୍ରଭାବିତ ପରିବାରଙ୍କ ମଧ୍ୟରୁ ୧୭,୮୯୨ ପରିବାରଙ୍କୁ ଏପର୍ଯ୍ୟନ୍ତ ଭୌତିକ ଭାବେ ସ୍ଥାନାନ୍ତର କରାଯାଇଛି। ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ଏପର୍ଯ୍ୟନ୍ତ ୧,୩୭୩.୦୧ କୋଟି ଟଙ୍କା ନଗଦ ସହାୟତା ଓ ବିଭିନ୍ନ ଅଧ୍କାର-ସୁବିଧା ବାବଦରେ ପ୍ରଦାନ ହୋଇଥିବାବେଳେ ଏ ସଂକ୍ରାନ୍ତ କାମରେ ୧,୫୮୧.୦୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

Leave a Reply

Your email address will not be published. Required fields are marked *