ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ମୟୂରଭଞ୍ଜ ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଅରବିନ୍ଦ ମହାନ୍ତି। ବେତନଟୀ ସବ୍‌ଡିଭିଜନ୍‌ରେ କାର୍ଯ୍ୟରତ AEE ଅରବିନ୍ଦ ମହାନ୍ତିଙ୍କ ସରକାରୀ ଓ ବେସରକାରୀ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଆଜି ସକାଳୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ବାଲେଶ୍ୱର ଅଙ୍ଗାରଗଡ଼ିଆ ସ୍ଥିତ ତାଙ୍କ ନିଜସ୍ୱ ବାସଭବନ ସମେତ ଖୋର୍ଦ୍ଧା, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ପ୍ରାୟ ୧୦ଟି ପ୍ରମୁଖ ସ୍ଥାନରେ ଏକକାଳୀନ ଏହି ବିଶାଳ ଚଢ଼ାଉ ଚାଲିଛି।

ବାଲେଶ୍ୱର ଅଙ୍ଗାରଗଡ଼ିଆସ୍ଥିତ ତିନି ମହଲା ଘର, ଖୋର୍ଦ୍ଧା ବାଲିଅନ୍ତାସ୍ଥିତ ଦୁଇ ମହଲା କୋଠା, ବେତନଟୀସ୍ଥିତ କାର୍ଯ୍ୟାଳୟ ଓ ବାସଭବନରେ ଚଢ଼ାଉ ହୋଇଛି। ସେହିପରି ବାଲେଶ୍ୱର ଜଳେଶ୍ୱର ଅଞ୍ଚଳର ରାୟନ-ରାମଚନ୍ଦ୍ରପୁରସ୍ଥିତ ପୈତୃକ ଘର, ବସନ୍ତପୁରସ୍ଥିତ ଫାର୍ମ ହାଉସ୍‌, ବାମପଦାସ୍ଥିତ ଅନ୍ୟ ଏକ ଘର ସମେତ ତାଙ୍କର ନିକଟ ସହଯୋଗୀଙ୍କ ଅଙ୍ଗାରଗଡ଼ିଆ, ବୈଶିଙ୍ଗା ଓ ବାମପଦାସ୍ଥିତ ଘରେ ମଧ୍ୟ ତଲାସି ଜାରି ରହିଛି।

ବାରିପଦା ଭିଜିଲାନ୍ସର ସ୍ୱତନ୍ତ୍ର ଅଦାଲତଙ୍କ ତଲାସି ୱାରେଣ୍ଟ ବଳରେ ୫ ଜଣ ଡିଏସ୍‌ପି, ୮ ଜଣ ଇନ୍ସପେକ୍ଟର ଓ ଅନ୍ୟ ସହଯୋଗୀ କର୍ମଚାରୀଙ୍କୁ ନେଇ ଏହି ଚଢ଼ାଉ ଚାଲିଛି।

ସୂଚନାଯୋଗ୍ୟ ଯେ, AEE ଅରବିନ୍ଦ ମହାନ୍ତି ନିଜ ଚାକିରି କାଳ ମଧ୍ୟରେ ନିଜ ଆୟଠାରୁ ଯଥେଷ୍ଟ ଅଧିକ ସମ୍ପତ୍ତି ଠୁଳ କରିଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଆଧାର କରି ଭିଜିଲାନ୍ସର ବିଶେଷ ଟିମ୍‌ ସମ୍ପୃକ୍ତ ସ୍ଥାନଗୁଡ଼ିକରେ କାଗଜପତ୍ର, ବ୍ୟାଙ୍କ ଆକାଉଣ୍ଟ, ସୁନାଗହଣା ଓ ସ୍ଥାବର-ଅସ୍ଥାବର ସମ୍ପତ୍ତିର ଛାନ୍‌ଭିନ୍‌ ଚଳାଇଛନ୍ତି। ଚଢ଼ାଉ ଶେଷ ହେବା ପରେ ମୋଟ କେତେ ପରିମାଣର ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଛି, ସେ ନେଇ ଭିଜିଲାନ୍ସ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯିବ।

Leave a Reply

Your email address will not be published. Required fields are marked *