ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ରୀମାନଙ୍କ ନିରାପତ୍ତା ଓ ସୁରକ୍ଷାକୁ ଅଧିକ କଡ଼ାକଡ଼ି କରିବା ପାଇଁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷପ ଗ୍ରହଣ କରାଯାଇଛି। କଲେଜ ପରିସରରେ ଛାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ‘ସି-ବକ୍ସ’ (SHe-Box) ପୋର୍ଟାଲକୁ ତୁରନ୍ତ ଅପଡେଟ୍ କରିବା ସହ ନିୟମାବଳୀକୁ କଠୋର ଭାବେ ପାଳନ କରିବାକୁ ବିଭାଗ ପକ୍ଷରୁ ସମସ୍ତ ଶିକ୍ଷାନୁଷ୍ଠାନକୁ ନିର୍ଦ୍ଦେଶ ଦିଆଯାଇଛି।

ମିଳିଥିବା ସୂଚନା ମୁତାବକ, ଛାତ୍ରୀଙ୍କ ନିରାପତ୍ତା ସମ୍ପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଚିଠି ଆସିବା ପରେ ଉଚ୍ଚଶିକ୍ଷା ବିଭାଗ ଆକ୍ସନ୍ ମୋଡ଼କୁ ଆସିଛି। କେନ୍ଦ୍ରୀୟ ନିର୍ଦ୍ଦେଶାବଳୀକୁ ଭିତ୍ତି କରି ରାଜ୍ୟର ସମସ୍ତ ସରକାରୀ, ବେସରକାରୀ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକୁ ସତର୍କ କରାଯାଇଛି।

ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ, ପ୍ରତ୍ୟେକ କଲେଜରେ କାର୍ଯ୍ୟକାରୀ ହେଉଥିବା ସୁରକ୍ଷା ବ୍ୟବସ୍ଥା ଓ ‘ସି-ବକ୍ସ’ ପୋର୍ଟାଲ୍ ସମ୍ବନ୍ଧୀୟ ସମସ୍ତ ତଥ୍ୟକୁ ଅପଡେଟ୍ କରିବାକୁ କୁହାଯାଇଛି। ‘ସି-ବକ୍ସ’ (Sexual Harassment Electronic Box) ପୋର୍ଟାଲ୍ ସକ୍ରିୟ ରଖିବା ଓ ଛାତ୍ରୀଙ୍କୁ ଏ ବିଷୟରେ ସଚେତନ କରିବା। ସମସ୍ତ ଶିକ୍ଷାନୁଷ୍ଠାନରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ସକ୍ରିୟ ରହିବା ନିଶ୍ଚିତ କରିବା। କଲେଜ ପରିସରରେ ନିର୍ଯାତନାମୁକ୍ତ ପରିବେଶ ସୃଷ୍ଟି କରିବା ସହ ନିୟମିତ ରିପୋର୍ଟିଂ କରିବା। ଏହା ସହିତ ଏହି ନିୟମଗୁଡ଼ିକ କଡ଼ାକଡ଼ି ଭାବେ ପାଳନ କରାଯାଉଛି କି ନାହିଁ, ସେ ନେଇ ଏକ ଅନୁପାଳନ ରିପୋର୍ଟ ତୁରନ୍ତ ଉଚ୍ଚଶିକ୍ଷା ବିଭାଗ ନିକଟରେ ଦାଖଲ କରିବାକୁ ବାଧ୍ୟତାମୂଳକ କରାଯାଇଛି।

ଛାତ୍ରୀମାନେ ଯେପରି ବିନା ଭୟରେ ଶିକ୍ଷାଗ୍ରହଣ କରିପାରିବେ ଏବଂ କୌଣସି ଅପ୍ରୀତିକର ପରିସ୍ଥିତିରେ ତୁରନ୍ତ ଆଇନଗତ ସହାୟତା ପାଇପାରିବେ, ସେଥିପାଇଁ ଏହି ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯାଉଥିବା ବିଭାଗ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *