ନାଗାଲାଣ୍ଡରେ କର୍ତ୍ତବ୍ୟରତ ଅବସ୍ଥାରେ ଶହୀଦ ହୋଇଛନ୍ତି ଓଡ଼ିଶାର ବୀର ଯବାନ ଭି. ତେଜା। ଆସାମ ରାଇଫଲ୍ସରେ କାର୍ଯ୍ୟରତ ୩୦ ବର୍ଷୀୟ ଏହି ବୀର ଯବାନ ସୋମବାର ଦେଶ ପାଇଁ ନିଜର ବଳିଦାନ ଦେଇଛନ୍ତି। ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ ତାଙ୍କ ଜନ୍ମମାଟି ରାୟଗଡ଼ା ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ଦେଶ ପାଇଁ ନିଜ ପ୍ରାଣବଳି ଦେବା ସହିତ ଶହୀଦ ଭି. ତେଜା ମୃତ୍ୟୁ ପରେ ବି ଅନ୍ୟଙ୍କୁ ଜୀବନଦାନ ଦେଇ ଅମର ହୋଇଯାଇଛନ୍ତି। ଦୁଇ ବର୍ଷ ପୂର୍ବରୁ ସେ ସ୍ବେଚ୍ଛାକୃତ ଭାବେ ଅଙ୍ଗଦାନ କରିବା ପାଇଁ ସଙ୍କଳ୍ପ ପତ୍ର ସ୍ବାକ୍ଷର କରିଥିଲେ। ତାଙ୍କର ଏହି ମହତ ଇଚ୍ଛାକୁ ସମ୍ମାନ ଜଣାଇ ନାଗାଲାଣ୍ଡର ଏକ ସ୍ଥାନୀୟ ଡାକ୍ତରଖାନାରେ ତାଙ୍କର ଅଙ୍ଗଗୁଡ଼ିକୁ ସୁରକ୍ଷିତ ଭାବେ ସଂଗ୍ରହ କରାଯାଇଛି। ସୂଚନା ଅନୁଯାୟୀ; ଆସନ୍ତା ଡିସେମ୍ବର ୧୦ ତାରିଖରେ ତାଙ୍କର ବିବାହ ହେବାର ସ୍ଥିର ହୋଇଥିଲା ଏବଂ ସେଥିପାଇଁ ତାଙ୍କୁ ୫୦ ଦିନର ଛୁଟି ମଧ୍ୟ ମଞ୍ଜୁର ହୋଇସାରିଥିଲା। ଆସନ୍ତା ଦୀପାବଳିରେ ସେ ଘରକୁ ଫେରି ବିବାହ ପ୍ରସ୍ତୁତିରେ ଯୋଗଦେବାର ଥିଲା, ମାତ୍ର ଏହି ଦୁଃଖଦ ଘଟଣା ସମଗ୍ର ପରିବାର ଓ ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି।ଆସନ୍ତା ଅକ୍ଟୋବର ୭ ତାରିଖରେ ତାଙ୍କୁ ୩୧ ବର୍ଷ ପୂରିଥାନ୍ତା, ମାତ୍ର ଜନ୍ମଦିନର ଠିକ୍ ଦିନକ ପୂର୍ବରୁ ଦେଶ ମାତୃକାର ସେବାରେ ସେ ଆତ୍ମବଳିଦାନ ଦେଇଛନ୍ତି। ଶହୀଦ ଯବାନଙ୍କ ମରଶରୀର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ହାଇଦ୍ରାବାଦ ଦେଇ ବିଶାଖାପାଟଣା ଆଣିବା ପାଇଁ ବ୍ୟବସ୍ଥା କରାଯାଇଛି। ସେଠାରୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ମାଧ୍ୟମରେ ତାଙ୍କର ପାର୍ଥିବ ଶରୀରକୁ ରାୟଗଡ଼ାସ୍ଥିତ ନିଜ ବାସଭବନକୁ ଅଣାଯିବ। ବୀର ଯବାନଙ୍କ ଏହି ସର୍ବୋଚ୍ଚ ବଳିଦାନ ଓ ମୃତ୍ୟୁ ପରେ ଅଙ୍ଗଦାନର ମହାନତା ପାଇଁ ସାରା ଓଡ଼ିଶା ଆଜି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। Post navigation Harmanpreet Kaur Steps Down as Captain of Indian Women’s Cricket Team