ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଆଜି ବିଧାୟକ ଦଳ ବୈଠକ ୪ଟା ୩୦ ମିନିଟ୍‌ରେ ଅନୁଷ୍ଠିତ ହେବ। ରାଜ୍ୟରେ କିଏ ହେବେ ମୁଖ୍ୟମନ୍ତ୍ରୀ ଆଜି ଏହି ବୈଠକ ପରେ ହଟିବ ସସପେନ୍ସ। ଏହି ବୈଠକରେ ପର୍ଯ୍ୟବେକ୍ଷକ ଭାବେ କେନ୍ଦ୍ରରୁ ଦାୟିତ୍ୱ ପାଇଥିବା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଏବଂ ଭୂପେନ୍ଦ୍ର ଯାଦବ ଉପସ୍ଥିତ ରହିବେ। ଏହାପରେ ରାଜ୍ୟପାଳଙ୍କୁ ଦାବି ଉପସ୍ଥାପନ ପାଇଁ ସମସ୍ତ ନୂତନ ବିଧାୟକ ଯିବେ। ବିଧାୟକଙ୍କ ଭିତରୁ କାହା ନାଁରେ ମୋହର ବାଜିବାର ସମ୍ଭାବନା ଥିବାରୁ ବିଧାୟକ ସୁରେଶ ପୂଜାରୀଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। ସେହିପରି ରାଜ୍ୟସଭାପତି ମନମୋହନ ସାମଲଙ୍କ ନାଁ ବି ଚର୍ଚ୍ଚାରେ ରହିଛି। ଏହାସହ ଉପ ମୁଖ୍ୟମନ୍ତ୍ରୀ ଆସନରେ ବି ବିଧାୟକ ମୋହନ ଚରଣ ମାଝୀ ଏବଂ ଜୟ ନାରାୟଣ ମିଶ୍ରଙ୍କ ନାଁକୁ ନେଇ ଚର୍ଚ୍ଚା ଲାଗି ରହିଛି।

ଆସନ୍ତାକାଲି ସଂଧ୍ୟା ୫ଟାରେ ଭୁବନେଶ୍ବର ଜନତା ମୈଦାନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ରହିବେ। ପ୍ରଧାନମନ୍ତ୍ରୀ ୨ଟା ୩୦ରେ ଭୁବନେଶ୍ୱରରେ ପହଞ୍ଚି ରାଜଭବନ ଯିବେ। ସେଠାରୁ ଅପରାହ୍ନ ୪ଟାରେ ବାହାରି ଜୟଦେବ ବିହାରରୁ ଜନତା ମଇଦାନ ପର୍ଯ୍ୟନ୍ତ ରୋଡ୍‌ ଶୋ’ କରିବେ। ଏହାପରେ ୪ଟା ୪୫ରେ ଜନତା ମଇଦାନଠାରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ବୋଲି ବାଲେଶ୍ୱର ଏମ୍‌ପି ପ୍ରତାପ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ଅନ୍ୟପଟେ ଭାଜପାର ଶପଥ ଉତ୍ସବ କାର୍ଯ୍ୟକ୍ରମ ଲାଗି ଜନତାମଇଦାନଠାରେ ପ୍ରସ୍ତୁତି ଏକପ୍ରକାର ଶେଷ ହୋଇସାରିଛି। ଏହି କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ରାଜ୍ୟର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ମଧ୍ୟ ନିମନ୍ତ୍ରଣ ପତ୍ର ପଠାଯାଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *