ଭଦ୍ରକ ଚାନ୍ଦବାଲିରେ ପହଞ୍ଚି ଜନସଭାକୁ ସମ୍ବୋଧିତ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସେ କହିଛନ୍ତି ଓଡ଼ିଶାରେ ସରକାର ଗଢିବା ସହ ମୋଦୀଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ କରିବାକୁ ରଣହୁଙ୍କାର ଦେଇଛନ୍ତି । ଓଡ଼ିଶାର ଶାସନ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଚଲାଇବା ଉଚିତ ନା ତାମିଲ ବାବୁ ଚଲାଇବା ଉଚିତ ବୋଲି ପ୍ରଶ୍ନ କରିଛନ୍ତି ଅମିତ ଶାହା। ସେ କହିଛନ୍ତି ନବୀନ ବାବୁ ଓଡ଼ିଶା ଉପରେ ଏକ ତାମିଲ ମୁଖ୍ୟମନ୍ତ୍ରୀ ଥାପିବାକୁ ବସିଛନ୍ତି। ଓଡ଼ିଆ ଲୋକ ଆପଣଙ୍କୁ ସହିଗଲେ, ଏ ତାମିଲ ବାବୁକୁ ସହିବେନି। ଓଡ଼ିଶା ଲୋକ ଏଥର ନିଜ ମାଟିର ସନ୍ତାନକୁ ମୁଖ୍ୟମନ୍ତ୍ରୀ କରିବେ ବୋଲି ଦୃଢୋକ୍ତି ବାଢିଛନ୍ତି ଶାହ। ଓଡ଼ିଶାରେ ବି ମୋଦିଙ୍କ ସରକାର ବନାଇବାକୁ ପଡ଼ିବ। ୭୫ରୁ ଅଧିକ ସିଟ୍‌ ଜିତି ଡବଲ ଇଂଜିନ ସରକାର କରିବ ବିଜେପି।

ଏହି ନିର୍ବାଚନ ଓଡ଼ିଆ ଅସ୍ମିତାର ନିର୍ବାଚନ । ଓଡ଼ିଆ ଭାଷା, ସାହିତ୍ୟ, କଳା, ସ୍ୱାଭିମାନର ନିର୍ବାଚନ । ପରଦା ପଛରେ ରହି କେହି ତାମିଲ ବାବୁ ଓଡ଼ିଶାର ଶାସନ ଚଲାଇବାକୁ ଗ୍ରହଣ କରିବା ଉଚିତ୍ କି? ପଦ୍ମ ଫୁଲରେ ମୋହର ମାରିଲେ ଏଠାକାର ଜନସେବକ ଓଡ଼ିଶାର ଶାସନ କରିବ । ଓଡ଼ିଶା ଦେଶର ସବୁଠୁ ସମୃଦ୍ଧ ରାଜ୍ୟ । ପ୍ରାକୃତିକ ସମ୍ପଦରେ ଭରପୂର ଥିବା ସମୃଦ୍ଧ ଓଡ଼ିଶାର ଲୋକ ଗରିବ । ଏଥିପାଇଁ କେବଳ ଆଉ କେବଳ ନବୀନ ପଟ୍ଟନାୟକ ହିଁ ଦାୟୀ । ଓଡ଼ିଶାର ଯୁବବର୍ଗ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି । ୪ ଜୁନରେ ନବୀନ ପଟ୍ଟନାୟକ ପୂର୍ବ ମୁଖ୍ୟମନ୍ତ୍ରୀ ଭାବେ ପରିଚିତ ହେବେ ।

ନବୀନ ବାବୁ, ଆମେ ବିଜେପି ବାଲା ପାକିସ୍ତାନ ବୋମାକୁ ଖାତିର କରୁନା। ପିଓକେ ଭାରତର, ଆମେ ତାକୁ ଅକ୍ତିଆର କରିବୁ। ମୋଦି ସରକାର ଚାଉଳ ସରକାର, ନବୀନ ଅଖା ସରକାର ବୋଲି କଟାକ୍ଷ କଲେ ଶାହ। ମୋଦି ଚାଉଳ ଦେଉଛନ୍ତି, ନବୀନ ଖାଲି ଅଖା ଦେଉଛନ୍ତି। ଖାଲି ଅଖାରେ ପେଟ ପୁରିବନି, ୫ କେଜି ଚାଉଳ ଦିଅନ୍ତୁ ବୋଲି ଅମିତ ଶାହା କହିଛନ୍ତି। ସେହିପରି ମୋଦି ଘର ଦେଉଛନ୍ତି, ଏ ସରକାର ତା ନାଁ ବଦଳାଇ ବିଜୁ ଆବାସ କରୁଛି। ବିଜେପିକୁ ଜିତାନ୍ତୁ ୪ ମାସରେ ଭଦ୍ରକରେ ମେଡିକାଲ କଲେଜ କରିବୁ ବୋଲି ପ୍ରତିଶ୍ରୁତି ଦେଲେ ଶାହ।

ସେ କହିଛନ୍ତି ଅଯୋଧ୍ୟାରେ ୫୦୦ ବର୍ଷ ପରେ ରାମ ମନ୍ଦିର ନିର୍ମାଣ ହେଲା । ପୂରା ଦେଶ ଓ ବିଶ୍ୱ ରାମ ଉତ୍ସବରେ ନିମଗ୍ନ ଥିଲେ । କିନ୍ତୁ ତାମିଲ ବାବୁ ଓଡ଼ିଶାର ଲୋକଙ୍କୁ ଏହି ଉତ୍ସବରୁ ଦୂରେଇ ରଖିଥିଲେ । ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିର ଚାଲିବା ଉଚିତ୍ । ନବୀନ ପଟ୍ଟନାୟକ କୁହନ୍ତୁ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଚାବି କୁଆଡେ ଗଲା? ଡୁପ୍ଲିକେଟ ଚାବି କାହିଁକି ହେଲା? ଯାଞ୍ଚ ରିପୋର୍ଟ କାହିଁକି ସାବର୍ଜନୀନ କରାଗଲାଣି । କାହାକୁ ବଞ୍ଚାଇବାକୁ ଚେଷ୍ଟା କରୁଛି ବିଜେଡି? ଏହାର ଉତ୍ତର ଦିଅନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେପି ସରକାର ହେଲେ ଗୋଟିଏ ମାସ ମଧ୍ୟରେ ରତ୍ନଭଣ୍ଡାର ଖୋଲିବୁ

ଚଳିତବର୍ଷ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଜଣେ ଓଡ଼ିଆ କହୁଥିବେ, ଯୁବକ ଥିବେ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତ ହୋଇଥିବେ । ୨୫ ବର୍ଷ ପରେ ଓଡ଼ିଆ ଲେଖୁଥିବା ଓ ଓଡ଼ିଆ ଭାଷା କହୁଥିବା ମୁଖ୍ୟମନ୍ତ୍ରୀ ପାଇବ ଓଡ଼ିଶା ।

ସେ ଆହୁରି କହିଛନ୍ତି ୬ଷ୍ଠ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ୫ମ ପର୍ଯ୍ୟାୟ ନିର୍ବାଚନ ଶେଷ ସୁଦ୍ଧା ବିଜେପି ୩୧୦ ଆସନ ଜିତିସାରିଲେଣି । ୬ଷ୍ଠ ଓ ୭ମ ପର୍ଯ୍ୟାୟରେ ଏହି ଆସନ ସଂଖ୍ୟା ୪୦୦ ଟପିବ । ଓଡ଼ିଶାରେ ୭୫ରୁ ଅଧିକ ବିଧାନସଭା ଆସନ ଜିତି ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଢିବ ବିଜେପି ।ବିଜେପି ସରକାରରେ ଓଡ଼ିଶାର ଯୁବବର୍ଗ ଓଡ଼ିଶାରେ ହିଁ କାମ କରିବେ ।

Leave a Reply

Your email address will not be published. Required fields are marked *