ବିଧାନସଭା ପୂର୍ବରୁ ଗତକାଲି ବସିଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଛି ବୈଠକ । ଏହି କ୍ୟାବିନେଟ ବୈଠକରେ ମୋଟ ୯ଟି ବିଭାଗର ୧୦ଟି ପ୍ରସ୍ତାବ ଆଗତ କରାଯାଇଥିଲା ଓ ସମସ୍ତ ପ୍ରସ୍ତାବ ଗୁଡ଼ିକ ଆଲୋଚନା ପରେ ଅନୁମୋଦନ କରାଯାଇଛି ।

ଏଥି ମଧ୍ୟରେ ତୃଣମୂଳ ସ୍ତରରେ ଶିକ୍ଷା ବ୍ୟବସ୍ଥାର ଉନ୍ନତି କରିବେ ମୋହନ ସରକାର  । ଓଡ଼ିଶା ସରକାର ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ (ଜିଏମ୍ଏପିଭି) ଯୋଜନା ଅନ୍ତର୍ଗତ ରାଜ୍ୟର ୬,୭୯୪ଟି ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଆଦର୍ଶ ବିଦ୍ୟାଳୟ ଭାବେ ଉନ୍ନ‌ତ ଓ ସୁଦୃଢ଼ କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ।

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ (ଜିଏମଏପିଭି) ଯୋଜନାରେ ପ୍ରତି ଗ୍ରାମ ପଞ୍ଚାୟତରେ ଏକ ଆଦର୍ଶ (ମଡେଲ) ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥୁରେ ଅବହେଳିତ ସମୁଦାୟଙ୍କ ନିମନ୍ତେ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ବ ଦିଆଯିବା ସହ ଶିକ୍ଷା ଅଧିକାର ଆଇନ- ୨୦୦୯ର ମୂଳ ଲକ୍ଷ୍ୟ ସହ ସମନ୍ଵୟ ରଖାଯାଇଛି । ଭିତ୍ତିଭୂମିର ବିକାଶ, ଆଧିନିକ ଶିକ୍ଷାପଦ୍ଧତିକୁ ଆପଣେଇବା ଏବଂ ଏଥିରେ ସାମଗ୍ରିକ ଭାବରେ ସମସ୍ତେ କିଭଳି ଭାଗନେବେ ତାହା ସୁନିଶ୍ଚିତ କରିବା ଦ୍ବାରା ‘ଜିଏମଏପିଭି’ ଯୋଜନା ସାମଗ୍ରିକ ଭାବରେ ବିଦ୍ୟାର୍ଥୀମାନଙ୍କ ବିକାଶ ଦିଗରେ କାର୍ଯ୍ୟ କରିବ, ଏଥିସହ ଜାତୀୟ ଶିକ୍ଷାନୀତି-୨୦୨୦ର ଲକ୍ଷ୍ୟକୁ ବଳିଷ୍ଠ ଭାବରେ ଉପସ୍ଥାପନ କରିବା ସହ ବିଦ୍ୟାର୍ଥୀମାନଙ୍କୁ ଉଭୟ ସାମାଜିକ ଏବଂ ଶୈକ୍ଷିକ ସ୍ତରରେ ସମୃଦ୍ଧ କରିବ ।

୬,୭୯୪ଟି ମଡେଲ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ ନିମନ୍ତେ ସରକାରଙ୍କ ଉପରେ ୫ (ପାଞ୍ଚ) ବର୍ଷ ମଧ୍ୟରେ ଅର୍ଥାତ୍ ୨୦୨୪-୨୫ରୁ ୨୦୨୮-୨୯ ମଧ୍ୟରେ ୧୧,୯୩୯.୪୧ କୋଟି ଟଙ୍କା ଆର୍ଥିକ ବୋଝ ପଡ଼ିବା ସାଧାରଣତଃ, ବିଦ୍ୟାଳୟରେ ନାମଲେଖା ସଂଖ୍ୟା ଉପରେ ନିର୍ଭର କରି ପ୍ରତି ବିଦ୍ୟାଳୟ ପିଛା ମୋଟାମୋଟି ଖର୍ଚ୍ଚ ଆକଳନ ୧ କୋଟିରୁ ୪ କୋଟି ଟଙ୍କା ପର୍ଯ୍ୟନ୍ତ ହୋଇଥାଏ । ତେବେ ପ୍ରକୃତ ଖର୍ଚ୍ଚ ପ୍ରତ୍ୟେକ ସ୍କୁଲର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍) ଆଧାରରେ ହେବ ।

୬ ହଜାର ୭୯୪ଟି ଆଦର୍ଶ (ମଡେଲ୍) ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ଷମ ହେଲେ ଶିକ୍ଷାଗତ ସୁବିଧା ବୃଦ୍ଧି ପାଇବା ସାଙ୍ଗକୁ ଗୁଣାତ୍ମକ ଶିକ୍ଷା ଉପଲବ୍ଧ ହେବ । ତତ୍ ସହିତ ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନଙ୍କ ସାମଗ୍ରିକ ବିକାଶ ବୃଦ୍ଧି ପାଇବ ସେମାନଙ୍କ ମଧ୍ୟରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (ଏଫ୍‌ଏଲ୍‌ଏନ୍) ଦକ୍ଷତା ବୃଦ୍ଧି ପାଇଁ ଶିକ୍ଷା ଅଧିକାର ଆଇନ-୨୦୦୯, ଜାତୀୟ ଶିକ୍ଷା ନୀତି-୨୦୨୦ ଏବଂ ନିପୁଣ ଓଡ଼ିଶାର ଉଦ୍ଦେଶ୍ୟ ପୂରଣ କରିବାକୁ ମାନକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରାଯିବ ।

ଏହା ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ପ୍ରତି ଉଚ୍ଚ ବିଦ୍ୟାଳୟ ସ୍ମାର୍ଟ ହେବ ଆଦର୍ଶ ବିଦ୍ୟାଳୟ । ୫-ଟିରେ ଅନେକ ସ୍କୁଲ ରୂପାନ୍ତରିତ ହୋଇଥିଲା । ଏଥିରେ ଡିପିଆର ନଥିଲା । ପୁରୁଣା କାନ୍ଥରେ ରଙ୍ଗ ଦିଆଯାଇଥିଲା । ପ୍ରତି ପଞ୍ଚାୟତରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ହେବ । ବର୍ଷରେ କାମ ସରିବ ।

Leave a Reply

Your email address will not be published. Required fields are marked *