ଲୋକାର୍ପିତ ହୋଇଛି ଓଡ଼ିଶା ଜନତା କଂଗ୍ରେସ । ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଗଠନ ହୋଇଛି ଏହି ନୂଆ ଦଳ। ଆଜି ବିଧିବଦ୍ଧ ଭାବେ ଏହାର ମୂଳଦୂଆ ପଡ଼ିଥିବା ବେଳେ ପ୍ରଦର୍ଶନୀ ପଡ଼ିଆରେ ଓଡ଼ିଶା ଜନତା କଂଗ୍ରେସର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ କର୍ମୀଙ୍କୁ ଦେଖିବାକୁ ମିଳିଛି ।

ସେହିପରି ବାପା ମୋକିମଙ୍କ ନୂଆ ଦଳର ଉଦଘାଟନୀ କାର୍ଯ୍ୟରେ ଯୋଗ ଦେଇଛନ୍ତି କଟକ-ବାରବାଟୀ ବିଧାୟିକା ତଥା ଝିଅ ସୋଫିଆ ଫିର୍ଦ୍ଦୋସ୍ ।

ଦଳର ମୂଳଦୁଆ ସ୍ଥାପନ ହେଉ ହେଉ ସରକାର ବିରୁଦ୍ଧରେ ଗର୍ଜିଛନ୍ତି ମହମ୍ମଦ ମୋକିମ । ଆଗାମୀ ଦିନରେ ଓଡ଼ିଶାର ହକ୍ ପାଇଁ ସରକାରଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବ ବୋଲି ପ୍ରଥମ ଦିନରୁ ରଣହୁଁକାର ଦେଇଛନ୍ତି ମୋକିମ । ସେ ତାଙ୍କ ଅଭିଭାଷଣରେ କହିଛନ୍ତି ଯେଉଁମାନଙ୍କୁ ଅନ୍ୟ ଦଳରେ ସୁଯୋଗ ମିଳି ନାହିଁ ସେହିମାନଙ୍କୁ ସୁଯୋଗ ଦେବ ଓଜେସି । ନୂଆପିଢ଼ୀର ଯୁବକଙ୍କୁ ନେଇ ଦଳର ସୃଷ୍ଟି ହୋଇଛି । ଓଡ଼ିଶା ରାଜନୈତିକ ପଟ୍ଟଚିତ୍ରରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଛି ।

ପ୍ରଥମେ ମୋକିମ ସମସ୍ତ ବୀର ପୁତ୍ରଙ୍କୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଦେଇ କହିଛନ୍ତି ସେମାନଙ୍କ ପ୍ରେରଣାରେ ଓଡ଼ିଶା ଜନତା କଂଗ୍ରେସର ସୃଷ୍ଟି ହୋଇଛି । ଏହା ସହ ମୋକିମ ପୂର୍ବ ବିଜେଡ଼ି ସରକାର ଏବଂ ବିଜେପି ସରକାର ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ ଦୁଇଟି ସରକାର ଗୋଟିଏ ମୁଦ୍ରା ଦୁଇ ପାର୍ଶ୍ୱ । ସରକାର ପରିବର୍ତ୍ତନ ହେଲା କିନ୍ତୁ ଢାଞ୍ଚାରେ ପରିବର୍ତ୍ତନ ହୋଇନାହିଁ । ଖଣି, ପାଣି, ଶିଳ୍ପକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ।

ସେହିପରି ଯୁବ କୈନ୍ଦ୍ରିକ ନୂଆ ଓଡ଼ିଶା ଗଠନ କରିବାକୁ ଦଳ ସହ ଯୋଡ଼ିବାକୁ ଯୁବବର୍ଗଙ୍କୁ ଆହ୍ୱାନ କରିଛନ୍ତି ମୋକିମ । ଏହି ଯୁବ ବର୍ଗ ହିଁ ଦଳକୁ ଆଗକୁ ବାଟ କଢ଼େଇ ନେବ ।

Leave a Reply

Your email address will not be published. Required fields are marked *