ରାଜ୍ୟର ଡିଜିଟାଲ୍ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ଆସନ୍ତା ଅକ୍ଟୋବର ୨୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱର ନିକଟସ୍ଥ ଜଟଣୀ ଇନ୍‌ଫୋଭ୍ୟାଲି-୨ ଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଏକ ଅତ୍ୟାଧୁନିକ ଗ୍ରୀନ୍‌ଫିଲ୍ଡ ଡାଟା ସେଣ୍ଟରର ଶୁଭାରମ୍ଭ କରିବେ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଉପସଭାପତି ଯତୀନ ମହାନ୍ତି ।

ସେ କହିଛନ୍ତି ଓଡ଼ିଶାରେ RBI ଡାଟା ସେଣ୍ଟର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ ପ୍ରାୟ ୧୭୦ କୋଟି ଟଙ୍କାର ବ୍ୟୟ ଅଟକଳରେ ୧୮.୫୫ ଏକର ପରିମିତ ଜମିରେ ନିର୍ମିତ ଏହି ପ୍ରକଳ୍ପ ଦେଶର ଦ୍ୱିତୀୟ ଆରବିଆଇ ଡାଟା ସେଣ୍ଟର ଭାବେ ଗଢ଼ିଉଠିଛି। ପ୍ରଧାନମନ୍ତ୍ରୀ ନିଜେ ଏହି ପ୍ରକଳ୍ପ ପାଇଁ ଓଡ଼ିଶାକୁ ବାଛିଥିଲେ । ଏହା ଓଡ଼ିଶାର ଡିଜିଟାଲ ବିକାଶକୁ ଆଗକୁ ନେବ । ମୁମ୍ବାଇର ଖାରଘରସ୍ଥିତ ମୁଖ୍ୟ ଡାଟା ସେଣ୍ଟର ପାଇଁ ଏହା ଏକ ପ୍ରମୁଖ ସୁରକ୍ଷିତ ବ୍ୟାକଅପ୍ ଭାବେ କାର୍ଯ୍ୟ କରିବା ସହ ଦେଶର ସାଇବର ସୁରକ୍ଷା, ଆର୍ଥିକ କାରବାର ଏବଂ ଡାଟା ପରିଚାଳନାକୁ ଅଧିକ ସୁଦୃଢ଼ କରିବ। ସମସ୍ତ ଭାରତୀୟଙ୍କ ତଥ୍ୟ କିଭଳି ସୁରକ୍ଷିତ ରହିବ ସେଥିପାଇଁ ଓଡ଼ିଶାରେ ଦେଶର ଦ୍ଵିତୀୟ ଡାଟା ସେଣ୍ଟର ନିର୍ମାଣ ହୋଇଛି ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସୂଚୀ ଅନୁଯାୟୀ, ସେ ଅପରାହ୍ନ ୪:୩୦ ରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ହେଲିକପ୍ଟର ଓ ସଡ଼କ ପଥରେ ଜଟଣୀସ୍ଥିତ କାର୍ଯ୍ୟକ୍ରମ ସ୍ଥଳକୁ ଯିବେ। ସେଠାରେ ଘଣ୍ଟାଏ ଧରି ଚାଲିବାକୁ ଥିବା ଉଦ୍‌ଘାଟନୀ ସମାରୋହରେ ଯୋଗଦେଇ ସନ୍ଧ୍ୟା ୬:୩୦ ସୁଦ୍ଧା ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

ପ୍ରଧାନମନ୍ତ୍ରୀ ନିଜେ ଓଡ଼ିଶାକୁ ଏହି ବୃହତ ପ୍ରକଳ୍ପ ପାଇଁ ଚୟନ କରିଥିବା ବେଳେ ଏହା ରାଜ୍ୟରେ ଟେକ୍ନୋଲୋଜି ଓ ସେମିକଣ୍ଡକ୍ଟର ଶିଳ୍ପରେ ନୂତନ ନିବେଶର ବାଟ ଫିଟାଇବ। ଏହି ସଂକ୍ଷିପ୍ତ ତଥା ଗୁରୁତ୍ୱପୂର୍ଣ୍ଣ ଗସ୍ତକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଉଚ୍ଚସ୍ତରୀୟ ବୈଠକ ମାଧ୍ୟମରେ ପ୍ରଶାସନିକ ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।

Leave a Reply

Your email address will not be published. Required fields are marked *