ଆଜି ନାମାଙ୍କନ ଭରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବାରଣାସୀରୁ ଆଜି ପୂର୍ବାହ୍ନ ସାଢ଼େ ୧୧ଟାରେ ନାମାଙ୍କନ କରିବେ ମୋଦି ।ତୀୟ ଥର ପାଇଁ ବାରଣାସୀରୁ ପ୍ରାର୍ଥୀ ହୋଇଛନ୍ତି ମୋଦୀ । ବିଶାଳ ରାଲିରେ ଯାଇ ନାମାଙ୍କନ ଭରିବେ । ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ଦଶାଶ୍ୱମେଧ ଘାଟରେ ପହଁଚି ମା’ ଗଙ୍ଗାଙ୍କ ପୂଜାର୍ଚ୍ଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାପରେ କାଳଭୈରବଙ୍କ ମନ୍ଦିର ଯାଇ ସେଠାରେ ମଧ୍ୟ ପୂଚାର୍ଚ୍ଚନା କରିବେ ।

ନାମାଙ୍କନ ଭରିବା ପୂର୍ବରୁ ପ୍ରାୟ ୧୦ଟା ୪୫ରେ ଏନଡିଏ ନେତାଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଧାନମନ୍ତ୍ରୀଙ୍କ ବ୍ୟାପକ କାର୍ଯ୍ୟକ୍ରମ ରହିଛି। ୯ଟା ବେଳେ ଗଙ୍ଗାରେ ସ୍ନାନ କରି , ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି। ୧୧ଟା ୪୦ରେ ନାମାଙ୍କନ ଭରିବା ନେଇ ସୂଚନା ରହିଛି। ମୋଦୀଙ୍କ ସହ ଗୃହମନ୍ତ୍ରୀ ଅମିତ୍ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନାମାଙ୍କନ ସମୟରେ ଉପସ୍ଥିତ ରହିବେ। ୧୮ରୁ ଅଧିକ କ୍ୟାବିନେଟ୍ ମନ୍ତ୍ରୀ ଙ୍କ ସମେତ ୩୬ ଭିଆଇପି ମଧ୍ୟ ଉପସ୍ଥିତ ରହିବେ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ୧୨ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବା ନେଇ ସୂଚନା ରହିଛି ।

ପ୍ରଧାନମନ୍ତ୍ରୀଙ୍କ ନାମାଙ୍କନ ସମୟରେ ୪ ଜଣ ପ୍ରସ୍ତାବକ ରହିବେ । ଅଯୋଧ୍ୟା ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାର ଶୁଭ ସମୟ ସ୍ଥିର କରିଥିବା ଗଣେଶ୍ୱର ଶାସ୍ତ୍ରୀ ପ୍ରସ୍ତାବକ ରହିବେ । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ବରିଷ୍ଠ କାର୍ଯ୍ୟକର୍ତା ବୈଜନାଥ ପଟେଲ ଦ୍ୱିତୀୟ ପ୍ରସ୍ତାବକ ରହିବେ । ଦଳୀୟ କାର୍ଯ୍ୟକର୍ତା ଲାଲଚାନ୍ଦ କୁସବାହା ଏବଂ ସଞ୍ଜୟ ସୌନକର ମଧ୍ୟ ପ୍ରସ୍ତାବକ ରହିବେ । ପ୍ରଧାନମନ୍ତ୍ରୀଙ୍କ ନାମାଙ୍କନ ପାଇଁ ବାରଣାସୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଜୁନ ୧ ତାରିଖ ତଥା ଶେଷ ପର୍ଯ୍ୟାୟରେ ବାରଣାସୀରେ ନିର୍ବାଚନ ହେବାର ଅଛି । ୨୦୧୪ରେ ପ୍ରଧାନମନ୍ତ୍ରୀ ମୋଦୀ ବାରଣାସୀ ଆସନରୁ ୩ ଲକ୍ଷ ୩୭ ହଜାରରୁ ଅଧିକ ଭୋଟରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଅରବିନ୍ଦ କେଜ୍ରିୱାଲଙ୍କୁ ହରାଇଥିଲେ । ୨୦୧୯ରେ ମୋଦୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ସମାଜବାଦୀ ପାର୍ଟିର ସାଲିନି ଯାଦବଙ୍କୁ ୪ ଲକ୍ଷ ୮୦ ହଜାରରୁ ଅଧିକ ଭୋଟରେ ହରାଇଥିଲେ ।

Leave a Reply

Your email address will not be published. Required fields are marked *