ଭୁବନେଶ୍ବର : ବିଜେଡିରେ ମିଶିଲେ ଲେଖାଶ୍ରୀ ସାମନ୍ତସିଂହାର। ଶଙ୍ଖ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେଡିରେ ସାମିଲ ହୋଇଛନ୍ତି ଲେଖାଶ୍ରୀ। ଆଜି ସକାଳେ ସେ ବିଜେପିରୁ ଇସ୍ତଫା ଦେଇଥିଲେ।

ଶଙ୍ଖ ଭବନରେ ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ସସ୍ମିତ ପାତ୍ର , ପୂର୍ବତନ ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନାଙ୍କ ଉପସ୍ଥିତିରେ ଶଙ୍ଖ ଧରିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ଲେଖାଶ୍ରୀଙ୍କୁ ବିଜେଡିକୁ ସ୍ୱାଗତ କରିବା ସହ ସାଂସଦ ମାନସ ରଞ୍ଜନ ମଙ୍ଗରାଜ କହିଥିଲେ ଯେ ଲେଖାଶ୍ରୀଙ୍କ ଯୋଗଦାନ ଦ୍ୱାରା ଦଳ ଆହୁରି ସୁସଂଗଠିତ ହେବ ବୋଲି ଆଶା। ସେ ରାଜ୍ୟ ରାଜନୀତିର ଜଣେ ପରିଚିତ ନାଁ । ମୁଖ୍ୟମନ୍ତ୍ରୀଙ୍କ ସୁଶାସନ ଓ ବିକାଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ଯୋଗ ଦେଇଛନ୍ତି।

ଅନ୍ୟପଟେ ବିଜେଡିରେ ସାମିଲ ହେବା ପରେ ଲେଖାଶ୍ରୀ କହିଛନ୍ତି, ହୃଦୟର ସହ ମୋତେ ବିଜେଡିରେ ସାମିଲ କରାଇଥିବାରୁ ମୁଖ୍ୟମନ୍ତ୍ରୀ ଏବଂ ଫାଇଭ-ଟି ଅଧ୍ୟକ୍ଷଙ୍କୁ ଧନ୍ୟବାଦ । ବର୍ଷ ବର୍ଷ ଧରି ମୁଁ ବିଜେପିକୁ ସର୍ବସ୍ଵ ଦେଇଛି, ଓଡ଼ିଶାବାସୀଙ୍କ ସେବା କରିବାର ଇଚ୍ଛା ଥିଲା ତାହା ବିଜେପି ପୂରଣ କରିବାକୁ ଦେଲାନି । ଏତେ ପରିଶ୍ରମ କରିକି ବି ଦଳର ନେତୃତ୍ୱ ମୋ ଉପରେ ଭରସା କଲେନି । ମୋ ପାଇଁ ବିଜେପିରେ ଏତିକି କାମଥିଲା ବୋଲି ଭାବିଲି ଆଉ ଆଗକୁ ବଢ଼ିବା ପାଇଁ ବିଜେଡିରେ ସାମିଲ ହେଲି । ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ଚିନ୍ତାଧାରା ମୋତେ ବିଜେଡିରେ ସାମିଲ ହେବାକୁ ପ୍ରେରଣା ଦେଲା । ଏପରିକି ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ କାର୍ଯ୍ୟକଳାପକୁ ପ୍ରଶଂସା କରିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର । କହିଛନ୍ତି, ବିଜେଡିରେ ‘ମୁଁ ଗୁଣ୍ଡୁଚି ମୂଷା ଭଳି କାମ କରିବି । ଦଳ ମୋତେ ଯାହା ଦାୟିତ୍ୱ ଦେବ ନିଷ୍ଠାର ସହ ତାହା ପାଳନ କରିବି ।

“ପରିବର୍ତ୍ତନ ଯଦିଓ ସହଜ ନୁହେଁ କିନ୍ତୁ ଏକ ନିରନ୍ତର ପ୍ରକ୍ରିୟା । ଖୋଲା ହୃଦୟରେ ବିଜେଡିରେ ସ୍ବାଗତ କରିଥିବାରୁ ଧନ୍ୟବାଦ । ଓଡ଼ିଶାର ଅସ୍ମିତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ ପ୍ରଶଂସନୀୟ”, ବୋଲି ଲେଖାଶ୍ରୀ କହିଛନ୍ତି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *