ଭୁବନେଶ୍ବର ବିଜେପିର ପ୍ରଚାର ବେଳେ ମରଣାନ୍ତକ ଆକ୍ରମଣ । ବିଜେଡି କର୍ମୀ ଆକ୍ରମଣ କରିଥିବା ନେଇ ବିଜେପି ପକ୍ଷରୁ ଅଭିଯୋଗ ହୋଇଥିବାର ସୂଚନା । ଭୁବନେଶ୍ୱର ୟୁନିଟ୍ ୬ର ୪୬ ନମ୍ବର ୱାର୍ଡ ଆଖଣ୍ଡଳମଣି ବସ୍ତିରେ ଏହି ଆକ୍ରମଣ ହୋଇଥିବାର ଅଭିଯୋଗ ହୋଇଛି । କ୍ୟାପିଟାଲ ଥାନାରେ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଅଭିଯୋଗ କରିଛନ୍ତି। ଏ ନେଇ କ୍ୟାପିଟାଲ ଥାନାରେ ବିଜେଡି କର୍ମୀଙ୍କ ବିରୋଧରେ ଏତଲା ଦିଆଯାଇଛି।

ଗତକାଲି ସନ୍ଧ୍ୟାରେ ଆଖଣ୍ଡଳମଣି ବସ୍ତିରେ ବିଜେପିର ପ୍ରଚାର ଚାଲିଥିବା ସମୟରେ ବିଜେପି କର୍ମୀଙ୍କୁ କିଛି ବିଜେଡି କର୍ମୀ ଗାଳିଗୁଲଜ କରିଥିଲେ। ଏପରିକି ମାୟାଧର ବେହେରା ନାମକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଓ ବନ୍ଧୁକ ଦେଖାଇ ଧମକାଇଥିଲେ। ଏହାସହ ସୁନାଚେନ, ଟଙ୍କା ଆଦି ଛଡ଼ାଇ ନେଇଥିବା ତାଙ୍କ ସ୍ତ୍ରୀ ମମତା ମଲ୍ଲିକ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି। ସ୍ବାମୀ ମାୟାଧର ୩୦ରୁ ଅଧିକ ବିଜେପି କର୍ମୀଙ୍କୁ ନେଇ ନିର୍ବାଚନୀ ପ୍ରଚାର କରୁଥିଲେ। ଏହି ସମୟରେ ବିଜେଡିର କିଛି ସ୍ଥାନୀୟ ନେତା ୩୦ରୁ ଅଧିକ ଯୁବକଙ୍କ ସହ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏନେଇ ସେ ବିରୋଧ କରିବାରୁ ତାଙ୍କୁ ଧକ୍କା ମାରିବା ସହ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିଥିବା ମମତା ଲିଖିତ ଅଭିଯୋଗ କରିଛନ୍ତି। ମମତାଙ୍କ ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି।

ଅନ୍ୟପଟେ କଟକର ଆଠଗଡ଼ରେ ବିଜେପି-ବିଜେଡି ସମର୍ଥକ ମୁହାଁମୁହିଁ ହୋଇଥିବାର ସୂଚନା ମିଳିଛି । ଆଠଗଡ଼ ବ୍ଲକ ୩ ନମ୍ବର ଜୋନରେ ଆଠଗଡ଼ ବିଜେପି ପକ୍ଷରୁ ବିଧାୟକ ପ୍ରାର୍ଥୀ ଅଭୟ ବାରିକ ସମର୍ଥକଙ୍କ ସହ ରାଲିରେ ଯାଉଥିଲେ । ଏହି ସମୟରେ ଅନନ୍ତପୁର ପଞ୍ଚାୟତ ଠାରେ କିଛି ବିଜେଡି ସମର୍ଥକ ଅଭୟଙ୍କ ରାଲିକୁ ରୋକିଥିବା ଅଭିଯୋଗ ହୋଇଛି । ଫଳରେ ଦୁଇ ଦଳ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି । ୨ ଦଳର ସମର୍ଥକ ହାତାହାତି ହୋଇଥିଲେ । ଥାନା ଆଗରେ ଅତିରିକ୍ତ ଏସପିଙ୍କ ଉପସ୍ଥିତିରେ ଢେଲା ମାଡ଼ ଅଭିଯୋଗ ହୋଇଛି। ଏଥିରେ କେହି ଆହତ ହୋଇନଥିଲେ ମଧ୍ୟ ୫ରୁ ଅଧିକ ବାଇକ୍ ଭାଙ୍ଗିରୁଜି ନଷ୍ଟ ହୋଇଛି। ଏ ନେଇ ଖୁଂଟୁଣୀ ଥାନାରେ ଅଭିଯୋଗ କରିଥିଲେ ବିଜେପି ସମର୍ଥକ । ତେବେ ଖୁଂଟୁଣୀ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା ବିଜେପି ଅଭିଯୋଗ କରିଛି । ଯାହା ପରେ ଅଭୟ ବାରିକ ଓ କଟକ ଜିଲ୍ଲା ବିଜେପି ସଭାପତି ରାମନାରାୟଣ ମହାନ୍ତି, ନିଜ ସମର୍ଥକଙ୍କ ସହ ଥାନା ଘେରାଉ କରିଛନ୍ତି । ଅନ୍ୟ ପକ୍ଷରେ ବିଜେଡି କର୍ମୀ କାଉଣ୍ଟର ଏଫଆଇଆର ଦେବାକୁ ଆସୁଥିବାବେଳେ ଖୁଂଟୁଣୀ ଥାନା ସମ୍ମୁଖରେ ଉଭୟ ପକ୍ଷ ଉଭୟ ପକ୍ଷକୁ ଢେଲାମାଡ କରିଥିଲେ । ଏପରିକି ଗାଡି ଭଙ୍ଗାରୁଜା ବି ହୋଇଛି । ପୁଲିସ ପହଞ୍ଚିି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି । ବିଜେଡି ବି ବିଜେପି ବିରୋଧରେ ଏଫଆଇଏର ଦେଇଛି ।

ସେହିପରି ବରଗଡ଼ ଅମ୍ବାଭୋନା ବ୍ଲକର କୁମ୍ବୋ ଗାଁରେ ବି ନିର୍ବାଚନୀ ହିଂସା ଅଭିଯୋଗ ହୋଇଛି । ବିଜେପି ପ୍ରଚାର ଗାଡି ପ୍ରଚାର କରୁଥିବା ବେଳେ ସେମାନଙ୍କ ଗାଡ଼ିକୁ ଭଙ୍ଗାରୁଜା କରିଥିବା ନେଇ ଅମ୍ବାଭୋନା ଥାନାରେ ଅଭିଯୋଗ ହୋଇଛି। ପ୍ରଚାର ଗାଡିର ଡ୍ରାଇଭରଙ୍କୁ ମାଡ଼ ମାରିଥିବାର ମଧ୍ୟ ଅଭିଯୋଗ କରିଛନ୍ତି ବିଜେପି ନେତା ଓ କର୍ମୀ। ପରେ ଥାନା ଘେରାଓ କରିଛନ୍ତି ବିଜେପି କର୍ମୀ lଥାନାରେ ଧାରଣା ବେଳେ ଭଟଲି ବିଜେପି ବିଧାୟକ ପ୍ରାଥୀ ଇରାଶିଷ ଆଚାର୍ଯ୍ୟ ଉପସ୍ଥିତ ରହିଥିଲେ l ଏହି ଘାଟଣରେ ଭଟଲି ବିଧାୟକ ସୁଶାନ୍ତ ସିଂଙ୍କ ଭାଇ ଉପସ୍ଥିତ ରହିଥିବା କଥା ଏତଲାରେ ଦର୍ଶାଯାଇଛି l ଆସନ୍ତାକାଲି ସୁଦ୍ଧା ଘଟଣାରେ ସମ୍ପୃକ୍ତ ଥିବା ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେପି l

Leave a Reply

Your email address will not be published. Required fields are marked *