ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଏବେ ଏକ ଶକ୍ତିଶାଳୀ ବାତ୍ୟା ‘ଅର୍ଣ୍ଣବ’ର ରୂପ ନେଇଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଏହି ବାତ୍ୟାଟି ଆଜି ରାତି ସୁଦ୍ଧା ଆହୁରି ଅଧିକ ଘନୀଭୂତ ହୋଇ ଏକ ଭୀଷଣ ବାତ୍ୟାର ରୂପ ଧାରଣ କରିବ। କେବଳ ସେତିକି ନୁହେଁ, ଆସନ୍ତାକାଲି ବେଳକୁ ଏହା ଏକ ଅତି ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି, ଯାହାକୁ ନେଇ ସମଗ୍ର ରାଜ୍ୟରେ ଆତଙ୍କ ଏବଂ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ଅନ୍ୟପଟେ ​ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ସଜାଗ ହୋଇପଡ଼ିଛନ୍ତି। ଏହି ପରିପ୍ରେକ୍ଷୀରେ ମୁଣ୍ଡଳୀସ୍ଥିତ ଏନ୍.ଡି.ଆର୍.ଏଫ୍. (NDRF) ମୁଖ୍ୟାଳୟରୁ ମୋଟ ୧୧ଟି ଟିମ୍‌କୁ ଓଡ଼ିଶା, ଛତିଶଗଡ଼ ଏବଂ ଆନ୍ଧ୍ର ପ୍ରଦେଶ ପାଇଁ ପଠାଯାଇଛି।

ବିଶେଷ କରି ଓଡ଼ିଶାର ବାତ୍ୟା ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳଗୁଡ଼ିକୁ ଦୃଷ୍ଟିରେ ରଖି ୧୪୦ ଜଣ କର୍ମଚାରୀଙ୍କୁ ନେଇ ୪ଟି ଏନ୍.ଡି.ଆର୍.ଏଫ୍. ଟିମ୍‌କୁ ସ୍ୱତନ୍ତ୍ର ଭାବେ ମୁତୟନ କରାଯାଇଛି। ରାଜ୍ୟର ଗଜପତି, ରାୟଗଡା, ମାଲକାନଗିରି ଏବଂ କୋରାପୁଟ ପରି ଜିଲ୍ଲାଗୁଡ଼ିକରେ ଏହି ଟିମ୍‌ଗୁଡ଼ିକୁ ମୁତୟନ କରାଯାଇ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଏହା ବ୍ୟତୀତ ଛତିଶଗଡ଼ ପାଇଁ ୩ଟି ଏବଂ ଆନ୍ଧ୍ର ପ୍ରଦେଶ ପାଇଁ ୪ଟି ଏନ୍.ଡି.ଆର୍.ଏଫ୍. ଟିମ୍ ନିୟୋଜିତ ହୋଇଛନ୍ତି। ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ଜରୁରୀକାଳୀନ ପଦକ୍ଷେପ ଗ୍ରହଣ କରାଯାଉଛି ଯାହାଫଳରେ କୌଣସି ପ୍ରକାରର ଧନଜୀବନ ହାନିକୁ ଏଡ଼ାଯାଇପାରିବ।

Leave a Reply

Your email address will not be published. Required fields are marked *