ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ଓଡ଼ିଶାର ରାଜନୈତିକ ପାଣିପାଗ ଉଷ୍ମ ହେବାରେ ଲାଗିଛି । ସଠିକ ଭାବେ ରାଜ୍ୟ ଚଳାଇବାରେ ବିଜେପି ସରକାରଙ୍କ ବିଫଳତା ନେଇ ବିରୋଧୀ ବିଜେଡି ଓ କଂଗ୍ରେସର ଆକ୍ରୋଶର ଶିକାର ହେଉଛନ୍ତି । ଏସବୁ ଭିତରେ ଓଡ଼ିଶା ରାଜନୀତି ପାଇଁ ସେପ୍ଟେମ୍ବର ୨୮ ତାରିଖ ସୋମବାର ଥିଲା ଏକ ବ୍ୟସ୍ତବହୁଳ ଦିନ । ଏମଏମଡିଆର ସଂଶୋଧନ ବିଲ୍କୁ ବିରୋଧ କରି ବିଜେଡି ବଡ଼ ଧରଣର ଶୋଭାଯାତ୍ରା କରିଥିଲା । ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୋଭାଯାତ୍ରାକୁ ଆସି ନେତୃତ୍ୱ ନେଇଥିଲେ । ପରେ ବିଜେଡିର ନୂଆ ମୁହଁ ସୁଜାତା ରାଉତଙ୍କ ଏଣ୍ଟ୍ରି ପରେ ହଲଚଲ ସୃଷ୍ଟି ହୋଇଥିଲା । ଏମଏମଡିଆରକୁ ନେଇ ସୁଜାତା ବିଜେପି ସରକାରଙ୍କ ଉପରେ ବର୍ଷିଲେ । ତାଙ୍କ ଭାଷଣ ଓ ଉପସ୍ଥାପନର ଶୈଳୀ, ଶାଣିତ ସ୍ୱର ମଧ୍ୟ ଅନେକ କିଛି ବୟାନ କରୁଥିଲା । ତେବେ ଏଥିରୁ ସ୍ପଷ୍ଟ ଜଣାପଡୁଥିଲା କି, ସୁଜାତା ରାଉତ ହିଁ ଆଗାମୀ ଦିନରେ ବିଜେଡିର ମଙ୍ଗ ଧରିବେ । ବିଜେପି ରାଜ୍ୟରେ ସରକାର ଗଠନ କରିବାକୁ ଅଢେଇ ବର୍ଷ ପୂରିଥିଲେ ମଧ୍ୟ ନା ସେମାନେ କାମ କରୁଛନ୍ତି ନା ପୂର୍ବ ସରକାରର ଦୁର୍ନୀତି ଓ ଦୋଷ ଦୁର୍ବଳତା ଲୋକଲୋଚନକୁ ଆଣିବାରେ ସଫଳ ହୋଇପାରିଛନ୍ତି । ଏପରିକି କୌଣସି କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇ ପାରିନାହାନ୍ତି । ସେଥିପାଇଁ ବିଜେଡିର ସାହସ ବଢ଼ିବାରେ ଲାଗିଛି । ସେମାନେ ବେଧଡ଼କ ହୋଇ ସରକାରଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି । ବିଜେଡି ଓ ସୁଜାତା ରାଉତ ଜାଣିସାରିଲେଣି ଯେ, ସରକାର ସେମାନଙ୍କର କିଛି ବିଗାଡି ପାରିବେନି । ବିଜେଡି ଏହି ଶୋଭାଯାତ୍ରାରେ ପ୍ରମାଣିତ କରିଦେଇଛି ଯେ, ସେମାନେ ସରକାରଙ୍କୁ ଖାତିର କରୁନାହାନ୍ତି । ବିଜେଡି ଏବେ ଭାବୁଛି ସରକାରଙ୍କ ଅପାରଗତା ଦେଖି ସାରିବା ପରେ ଓଡ଼ିଶାବାସୀ ଏବେ ସେମାନଙ୍କୁ ସମର୍ଥନ କରୁଛନ୍ତି । ଆଉ ଯାହା ବାକି ଅଛି ସେମାନେ ଧୀରେ ଧୀରେ ନିଜ ନିୟନ୍ତ୍ରଣକୁ ଆଣିବାକୁ ପ୍ରାଣପଣେ ଚେଷ୍ଟା ଜାରି ରଖିଛନ୍ତି । ଏହା ବିଜେପି ପାଇଁ ଏକ ବଡ଼ ଚେତାବନୀ । ଦ୍ୱିତୀୟତଃ, ସପ୍ତଦଶ ବିଧାନସଭାର ମୌସୁମୀ ଅଧିବେଶନ ୪ଟି କାର୍ଯ୍ୟ ଦିବସ ବାକି ଥାଇ ୨୮ ତାରିଖ ବନ୍ଦ କରିଦିଆଯାଇଛି । ଏମଏମଡିଆର ସଂଶୋଧିତ ଅଧିନିୟମ ରଦ୍ଦ ଦାବିରେ କଂଗ୍ରେସ ନେତୃତ୍ବରେ ଇଣ୍ଡିଆ ବ୍ଲକ୍ର ସମସ୍ତ ସହଯୋଗୀ ଦଳମାନେ ୨୯ ତାରିଖ ମଙ୍ଗଳବାର ବିଧାନସଭା ଘେରାଉ କରିବେ ବୋଲି ଘୋଷଣା କରିବା ପରେ ଏହାକୁ ଭଣ୍ଡୁର କରିବାକୁ ସରକାର ସୋମବାର ରାତିରେ ତରବରିଆ ଭାବେ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଦେଲେ । ହେଲେ ସରକାରଙ୍କୁ ଚ୍ୟାଲେଞ୍ଜ ଦେଇ କଂଗ୍ରେସ ‘ପରିବର୍ତ୍ତନ ରାଲି’ରେ ଭାଗ ନେଇ ଏମଏମଡିଆର ସଂଶୋଧନ ପ୍ରତ୍ୟାହାର, ସିଇସି ଜ୍ଞାନେଶ କୁମାରଙ୍କ ବହିଷ୍କାର ଓ ଗିରଫଦାରି ସହ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରିବ ଓ ବିଧାନସଭା ବଦଳରେ ଲୋୟର ପିଏମ୍ଜିଠାରେ ଥିବା ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବ ବୋଲି ରୋକଠୋକ ଶୁଣାଇ ଦେଇଛି । ଏସବୁ ପ୍ରତିବାଦ ମଧ୍ୟରେ ବିଜେପିର ୫ ଜଣ ସାଂସଦ ଏକ ସାମ୍ବାଦିକ ସମ୍ମିଳନୀ କଲେ । ହେଲେ ସେମାନେ ମଧ୍ୟ ନିଜ ସରକାରଙ୍କ ସପକ୍ଷରେ ବିରୋଧୀଙ୍କୁ ଯେଉଁଭଳି ଭଳି ଭାବେ କାଉଣ୍ଟର କରିବା କଥା, ସେମିତି କରିପାରିଲେ ନାହିଁ । ଏଥିରୁ ଜଣାପଡୁଛି, ସରକାରଙ୍କ ଉପରେ ଚାପ ବଢୁଛି । ସେମାନେ ଏହାର ସମାଧାନର ରାସ୍ତା ପାଉନାହାନ୍ତି । ଇତିମଧ୍ୟରେ ଆଶ୍ଚର୍ଯ୍ୟଜନକ ଭାବେ ଅଚାନକ ସୋମବାର ରାତିରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଘରେ ଏକ ମେଳି ହୋଇଥିଲା । ୨୧ ଜଣ ବିଧାୟକ ଦଳଗତ ଭାବେ ଧର୍ମେନ୍ଦ୍ରଙ୍କ ଘରକୁ ଯାଇଥିଲେ । ଆମ ପାଖରେ ଖବର ଥିଲେ ମଧ୍ୟ ଆମେ ନାଁ ନେବାକୁ ଚାହୁଁନୁ, ବିଜେପିର ବହୁ ଦକ୍ଷ ଓ ପୁରୁଖା ନେତା ଧର୍ମେନ୍ଦ୍ରଙ୍କ ଘରେ ଯାଇ ଏକାଠି ହୋଇ ମେଳି କରିଥିଲେ । କିନ୍ତୁ ସେଠାରେ କଣ ଆଲୋଚନା ହେଲା, କି ରଣନୀତି ପ୍ରସ୍ତୁତ ହେଲା, ତାହା ଆଲୋଚନାର ବିଷୟ । ଏହି ମେଳିରେ ସାମିଲ ଥିବା କେତେକ ବିଧାୟକ ‘ନିର୍ଭୟ ୱେବ’କୁ ସୂଚନା ଦେଇଛନ୍ତି ଯେ, ତାଙ୍କ ଦଳ ସରକାରରେ ଥାଇ ମଧ୍ୟ ସେମାନେ ଅସନ୍ତୁଷ୍ଟ ଅଛନ୍ତି । ମୁଖ୍ୟମନ୍ତ୍ରୀ ସେମାନଙ୍କ କଥା ଶୁଣୁନାହାନ୍ତି । ଦୁର୍ଭାଗ୍ୟର କଥା, ଅଫିସରମାନେ ସେମାନଙ୍କ କଥା ଶୁଣିବା ତ ଦୂରର କଥା, ଖାତିର ମଧ୍ୟ କରୁନାହାନ୍ତି ।ତେଣୁ ନିଜ ନିର୍ବାଚନ ମଣ୍ଡଳୀରେ ସବୁ କାମ ସୁରୁଖୁରୁରେ ପରିଚାଳନା କରିବା ଓ ଲୋକଙ୍କୁ ମୁହଁ ଦେଖାଇବା ସେମାନଙ୍କ ପାଇଁ କଷ୍ଟକର ହୋଇପଡିଛି । ବିଜେପିର ମୋଟ ୭୯ ଜଣ ବିଧାୟକ ଅଛନ୍ତି । ସେଥିମଧ୍ୟରୁ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୧୬ ଜଣ ମନ୍ତ୍ରୀ ଅଛନ୍ତି । ତେବେ ୧୬ ଜଣ ମନ୍ତ୍ରୀଙ୍କୁ ବାଦ ଦେଲେ ବାକିଥିବା ୬୩ ଜଣ ବିଧାୟକଙ୍କ ମଧ୍ୟ ୨୧ ଜଣ ମେଳିରେ ସାମିଲ ହୋଇଥିଲେ । ଏହି ସଂଖ୍ୟା କିଛି କମ ନୁହେଁ, ଭବିଷ୍ୟତରେ ଏଥିରେ ବୃଦ୍ଧି ହୋଇପାରେ । ତେବେ ଏହି ଆଲୋଚନା ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପାଇଁ ଏକ ବଡ଼ ଚେତାବନୀ । ଅସନ୍ତୁଷ୍ଟ ବିଧାୟକ ଧର୍ମେନ୍ଦ୍ର ପ୍ରଧାନଙ୍କ ଘରେ ମେଳି କରିବା ପରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାୟକମାନଙ୍କୁ ଡାକି ବୈଠକ କରିଛନ୍ତି । ଆଗାମୀ କାର୍ଯ୍ୟପନ୍ଥା ନେଇ ଆଲୋଚନା କରିଥାଇପାରନ୍ତି ବୋଲି ଜଣାପଡୁଛି । ଅନ୍ୟପକ୍ଷରେ ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ଦେଖାଦେଇଥିବା ଶହ ଶହ ତ୍ରୁଟିକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଥିବା ବେଳେ ଏବେ ଏହି ମାମଲାରେ ସିଧାସଳଖ ହସ୍ତକ୍ଷେପ କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ । ତେବେ ଏହି ଅବହେଳାକୁ ଗୁରୁତର ସହ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟ ଗଣଶିକ୍ଷା ବିଭାଗକୁ ରିପୋର୍ଟ ତଲବ କରାଯାଇଛି । ଠିକ ଭାବେ କାମ ନକରିବା ସହ ବାରମ୍ବାର ଦୁର୍ନୀତି ଅଭିଯୋଗ ମଧ୍ୟ ଆସୁଛି । ତେବେ ଏସବୁ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି । ଏହି ସମୟରେ ସରକାର ଆଉ ଶୋଇରହିଲେ ହେବନି, ନିଜ ସତ୍ତା ବଜାୟ ରଖିବାକୁ ଦଳୀୟ ନେତାଙ୍କୁ ସାଙ୍ଗରେ ନେଇ କାମ କରିବାକୁ ହେବ, ସେମାନଙ୍କ ସୁବିଧା ଅସୁବିଧା ବୁଝିବାକୁ ହେବ । ନହେଲେ ରାଜନୀତିର ପଶାପାଲି ଖେଳରେ ହାରିଯିବା କିଛି ନୂଆ କଥା ନୁହେଁ । Post navigation Congress Holds Parivartan Rally: ରାଜଧାନୀରେ ଇଣ୍ଡି ମେଣ୍ଟର ବିଶାଳ ‘ପରିବର୍ତ୍ତନ ରାଲି’: ୩ଟି ପ୍ରମୁଖ ଦାବି ନେଇ ସରକାରଙ୍କୁ ଘେରିଲେ ବିରୋଧୀ