ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏକଦା କହିଥିଲେ ଯେ, ଫୁଟବଲ ଖେଳରେ ଶେଷ ୫ ମିନିଟରେ ବହୁତ କିଛି ଘଟିଯାଇପାରେ । କିନ୍ତୁ ଯେତେବେଳେ ଆତ୍ମଘାତୀ ଗୋଲ ଦେବାକୁ କୌଣସି ଦଳର ବରିଷ୍ଠ ଖେଳାଳି ସୁଯୋଗ ଉନ୍ଦୁଥିବେ ସେତେବେଳେ ସେହି ଦଳର ଜିତାପଟ କେମିତି ହୋଇପାରିବ? ଏମିତି ଅବସ୍ଥା ଭାରତୀୟ ଜନତା ପାର୍ଟିର ।

ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ, କଟକ-ବାରବାଟୀ ଆସନ ପାଇଁ ଭାଜପା ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇପାରିନାହିଁ । ଦଳର ଜଣେ ବରିଷ୍ଠ ନେତା ଏମିତି ଜଣଙ୍କୁ ଟିକଟ ଦେବାପାଇଁ ଅଡ଼ିବସିଛନ୍ତି ଯେ, ଶୁଣିବା ଲୋକ ବି କାନରେ ହାତ ଦେବ । ସେ ଚାହାନ୍ତି ଗଗନ ଓଝା ଭାଜପା ଟିକଟରେ କଟକ-ବାରବାଟୀ ଆସନରୁ ଲଢ଼ନ୍ତୁ । କିଏ ଏହି ଗଗନ? ରାଜ୍ୟ ରାଜନୀତିରେ ପ୍ରବେଶ କଲାଭଳି ଚେହେରା କି? ତାଙ୍କ ନାଁ ବିଶେଷ ଭାବେ କେବେ ଚର୍ଚ୍ଚା ହେବାର କେହି ଶୁଣି ନଥିବେ । ୨୬ ନମ୍ବର ୱାର୍ଡର ଏହି କର୍ପୋରେଟର ଦଳର ବଡ଼ବଡ଼ ସାଂଗଠନିକ କାର୍ଯ୍ୟକ୍ରମରେ ନଥାଇ ସୁଦ୍ଧା ତାଙ୍କ ପାଇଁ ଏହି ବରିଷ୍ଠ ନେତା ଜଣଙ୍କ ଏତେ ଆଗ୍ରହୀ କାହିଁକି? କିଏ ସେହି ବରିଷ୍ଠ ନେତା?

ବିଜୁ ଜନତା ଦଳ ଏହି ଆସନରୁ ପୂର୍ବତନ ଭାଜପା ଜିଲା ସଭାପତି ପ୍ରକାଶ ବେହେରାଙ୍କୁ ପ୍ରାର୍ଥୀ କରିଛି । ପ୍ରକାଶ ଗତଥର ଭାଜପା ଟିକଟରେ ସାଲେପୁରରୁ ଲଢ଼ିଥିଲେ । ସେ ସାଲେପୁରରୁ ଲଢ଼ିବା ପାଇଁ ଆଗ୍ରହୀ ଥିଲେ । କିନ୍ତୁ ବିଜଦରେ ଯୋଗ ଦେବାପରେ ତାଙ୍କୁ ସ୍ୱାଭିମାନୀ ସହର କଟକରୁ ପ୍ରାର୍ଥୀ କରାଯାଇଛି । ବୋଧହୁଏ ବରିଷ୍ଠ ଭାଜପା ନେତା ପ୍ରକାଶଙ୍କୁ ଜିତେଇବା ସକାଶେ ଅତ୍ୟନ୍ତ ଦୁର୍ବଳ ପ୍ରାର୍ଥୀ ଦେବାକୁ ଚାହାନ୍ତି । କିନ୍ତୁ ଅନ୍ୟ ଗୋଟିଏ ଗୋଷ୍ଠୀ ଡ. ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ପ୍ରାର୍ଥୀ କରିବା ପାଇଁ ଚାପ ଦେଉଛନ୍ତି । ବିଜଦ ଛାଡ଼ି ଭାଜପାରେ ଭର୍ତ୍ତୃହରି ମହତାବ ଯୋଗ ନଦେବା ପର୍ଯ୍ୟନ୍ତ ଡ. ମହାପାତ୍ରଙ୍କ ନାମ ଲୋକସଭା ପ୍ରାର୍ଥୀ ଭାବେ ଚର୍ଚ୍ଚା ହେଉଥିଲା । ସେ ମଧ୍ୟ ଭାଜପା ଉପସଭାପତି ଅଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା, କଟକ ଜିଲାର ନହୋଇ ମଧ୍ୟ ଜିଲାରେ ଭାଜପା ସଂଗଠନକୁ ଟିକଟ ଦେବା ଛଳରେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କରିଦେଇଛନ୍ତି ଏହି ବରିଷ୍ଠ ନେତା ଜଣଙ୍କ । ଲାଗୁଛି ତାଙ୍କର ଉଦେ୍ଦଶ୍ୟ ହେଲା ସଉତୁଣୀ ରାଣ୍ଡ ହେଉ । ଏହାଦ୍ୱାରା କେବଳ ଯେ ଭାଜପାର କ୍ଷତି ଘଟୁଛି ତାହା ନୁହେଁ, ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନକୁ ମଧ୍ୟ ଏହା ଧ୍ୱଂସ କରିବାକୁ ବସିଛି ।

ଦଳ ଜିତିବା ପାଇଁ ଲଢ଼ିବ ନା ହାରିବା ପାଇଁ? ଯେଉଁଭଳି ଭାବରେ ଟିକଟ ବଣ୍ଟନରେ ଏହି ବରିଷ୍ଠ ନେତା ଜଣଙ୍କ କୋଟା ବ୍ୟବସ୍ଥା ଲାଗୁ କରିଦେଲେ, ତାହା ଏତେ ସୁନ୍ଦର ଅନୁକୁଳ ପରିବେଶ ଥାଇ ବି ଭାଜପା ପାଇଁ ପଥ କଷ୍ଟକର କରିଦେଇଛି । ଅନେକ ଦୁର୍ବଳ ପ୍ରାର୍ଥୀଙ୍କୁ ନେଇ ଚାରିଆଡ଼େ ପ୍ରବଳ ଅସନ୍ତୋଷ ଦେଖାଦେଇଛି । ବିଶେଷତଃ ଯାଜପୁର ଏବଂ କଟକରେ ଏଭଳି ଅବସ୍ଥା ଭାଜପା ପାଇଁ ମହଙ୍ଗା ପଡ଼ିବାକୁ ଯାଉଛି । ବର୍ତ୍ତମାନ ଭାଜପାର ପ୍ରାର୍ଥୀ ଘୋଷଣା ବିଳମ୍ବ ହେବା ପଛରେ ରହିଛି ସେହି ବରିଷ୍ଠ ନେତାଙ୍କ ପେଞ୍ଚପାଞ୍ଚ ଓ ଜିଦ୍ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *