ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କଂଗ୍ରେସ ଦଳ ବିରୋଧରେ ଦେଇଥିବା ମନ୍ତବ୍ୟକୁ ଦୃଢ଼ ଭାବେ ଖଣ୍ଡନ କରିଛି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) । ତାଙ୍କ ମନ୍ତବ୍ୟକୁ ବିଭ୍ରାନ୍ତିକର ଓ ଭିତ୍ତିହୀନ ବୋଲି କହି କଂଗ୍ରେସ ପକ୍ଷରୁ ଏହାର ଜବାବ ରଖାଯାଇଛି । ପିସିସି ମୁଖ୍ୟ ମୁଖପାତ୍ର ଅରବିନ୍ଦ ଦାସ ଦଳର ପକ୍ଷ ରଖିବା ସହ ଗଣତନ୍ତ୍ରର ସୁରକ୍ଷା ଏବଂ ଆଦିବାସୀଙ୍କ ଅଧିକାର ପାଇଁ କଂଗ୍ରେସର ଅବଦାନ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇଛନ୍ତି ।

ଅରବିନ୍ଦ ଦାସ କହିଛନ୍ତି ଯେ, କଂଗ୍ରେସ ସର୍ବଦା ଜନମତ ଓ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସମ୍ମାନ ଦେଇଆସିଛି । ନିର୍ବାଚନ ମୁକ୍ତ, ଅବାଧ ଓ ନିରପେକ୍ଷ ହେଲେ ଦଳ ବିଜୟ କିମ୍ବା ପରାଜୟ ଉଭୟ ସ୍ଥିତିରେ ଜନାଦେଶକୁ ସ୍ୱୀକାର କରେ । କିନ୍ତୁ ବର୍ତ୍ତମାନର ବିଜେପି ଶାସନରେ ନିର୍ବାଚନୀ ସ୍ୱଚ୍ଛତାକୁ ନେଇ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । ସରକାରୀ କଳ ଓ ଅର୍ଥବଳର ଅପବ୍ୟବହାର ସହ ନିର୍ବାଚନ ଆୟୋଗ ପରି ସାମ୍ବିଧାନିକ ସଂସ୍ଥା ଉପରେ ଚାପ ପକାଇ ନିର୍ବାଚନକୁ ପ୍ରଭାବିତ କରିବାର ଉଦ୍ୟମକୁ କଂଗ୍ରେସ ବିରୋଧ କରୁଛି ।

ଇଭିଏମ୍‌, ଭୋଟର ତାଲିକାରେ ଅନିୟମିତତା ଏବଂ ନିର୍ବାଚନ ସମୟରେ ପ୍ରଶାସନିକ ପକ୍ଷପାତିତା ବିରୋଧରେ ସ୍ୱର ଉଠାଇବା ବିରୋଧୀ ଦଳର ସାମ୍ବିଧାନିକ କର୍ତ୍ତବ୍ୟ ବୋଲି ସେ କହିଛନ୍ତି । ଗଣତନ୍ତ୍ରରେ ନିର୍ବାଚନୀ ସ୍ୱଚ୍ଛତା ଦାବି କରିବା ଜନାଦେଶକୁ ଅସମ୍ମାନ ନୁହେଁ, ବରଂ ଗଣତନ୍ତ୍ରର ସୁରକ୍ଷା ପାଇଁ ଏକ ସଂଗ୍ରାମ । ବିଜେପି ନିଜର ବିଫଳତା ଓ ଅନୈତିକ ନିର୍ବାଚନୀ ରଣନୀତିକୁ ଲୁଚାଇବା ପାଇଁ ଏଭଳି ମନ୍ତବ୍ୟ ଦେଉଛି ବୋଲି ସେ ଅଭିଯୋଗ କରିଛନ୍ତି ।

ସେହିପରି, କଂଗ୍ରେସ ଆଦିବାସୀ ନେତୃତ୍ୱକୁ ସହ୍ୟ କରିପାରେ ନାହିଁ ବୋଲି ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ମନ୍ତବ୍ୟକୁ ମଧ୍ୟ ପିସିସି ଖଣ୍ଡନ କରିଛି । ଦେଶ ଓ ଓଡ଼ିଶାର ଆଦିବାସୀ ସମାଜକୁ ରାଜନୈତିକ, ସାମାଜିକ ଓ ସାମ୍ବିଧାନିକ ଅଧିକାର ଦେବାରେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ବୋଲି ଅରବିନ୍ଦ ଦାସ କହିଛନ୍ତି ।

ଓଡ଼ିଶାର ପ୍ରଥମ ଆଦିବାସୀ ମୁଖ୍ୟମନ୍ତ୍ରୀ ଭାବେ ହେମାନନ୍ଦ ବିଶ୍ୱାଳ ଏବଂ ପରବର୍ତ୍ତୀ ସମୟରେ ଗିରିଧର ଗମାଙ୍ଗଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ କରିବାରେ କଂଗ୍ରେସର ଭୂମିକା ରହିଥିବା ସେ ଉଲ୍ଲେଖ କରିଛନ୍ତି । ଏଥିସହ ଆଦିବାସୀଙ୍କ ଜଳ, ଜଙ୍ଗଲ ଓ ଜମିର ଅଧିକାର ସୁରକ୍ଷା ପାଇଁ କଂଗ୍ରେସ ସରକାର ସମୟରେ ପେସା (PESA) ଆଇନ ଏବଂ ଜଙ୍ଗଲ ଅଧିକାର ଆଇନ (Forest Rights Act) ପ୍ରଣୟନ ହୋଇଥିଲା ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ, ବର୍ତ୍ତମାନର ବିଜେପି ସରକାର ଆଦିବାସୀଙ୍କ ଜମି ଅଧିକାରକୁ ଦୁର୍ବଳ କରିବା ପାଇଁ ବିଭିନ୍ନ ଆଇନରେ ସଂଶୋଧନ କରୁଥିବା ଏବଂ ଜଙ୍ଗଲ ସମ୍ପଦକୁ ପୁଞ୍ଜିପତିଙ୍କ ହାତକୁ ଟେକି ଦେଉଥିବା ଅଭିଯୋଗ କରିଛି କଂଗ୍ରେସ । କେବଳ ଉଚ୍ଚ ପଦବୀରେ ଆଦିବାସୀଙ୍କୁ ନିଯୁକ୍ତ କରିବା ଦ୍ୱାରା ସେମାନଙ୍କର ପ୍ରକୃତ ବିକାଶ ହୁଏ ନାହିଁ । ଆଦିବାସୀ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ନିଯୁକ୍ତି କ୍ଷେତ୍ରରେ ବିଜେପି ସରକାର ବିଫଳ ହୋଇଥିବା ମଧ୍ୟ ପିସିସି ଅଭିଯୋଗ କରିଛି ।

ରାଜନୈତିକ ଆରୋପ-ପ୍ରତ୍ୟାରୋପ ପରିବର୍ତ୍ତେ ରାଜ୍ୟର ବେକାରୀ ସମସ୍ୟା, ଦରଦାମ ବୃଦ୍ଧି ଏବଂ ଆଦିବାସୀଙ୍କ ଜମି ଅଧିକାରର ସୁରକ୍ଷା ଭଳି ପ୍ରସଙ୍ଗରେ ଧର୍ମେନ୍ଦ୍ର ପ୍ରଧାନ ଉତ୍ତର ରଖନ୍ତୁ ବୋଲି ଅରବିନ୍ଦ ଦାସ ଦାବି କରିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *