ନିର୍ଭୟ ମିଡିଆ, ଭୁବନେଶ୍ୱର: ମକର ସଂକ୍ରାନ୍ତୀରେ ଗୁଡ଼ି ଉଡ଼ିଲା ପରି ଏବେ ସାରା ରାଜ୍ୟରେ ଉଡ଼ୁଛି ମେଣ୍ଟ ଗୁଡ଼ି । ଯିଏ ଯାହା ଖୁସିରେ ଗୁଡ଼ି ଉଡ଼ାଇବା ସହ ଆସନ ମଧ୍ୟ ବଣ୍ଟାବଣ୍ଟି କରିଦେଲେଣି । ଏପ୍ରକାର ଗୁଜବର ସ୍ରଷ୍ଟା କିଏ, ଜାଣିବା ମୁସ୍କିଲ । କଂଗ୍ରେସ ଯେଉଁ ଦୁଇଦଳର ବାହାଘର କରାଇଥିଲା, ସେହି ଦୁଇ ଦଳର ତୁଙ୍ଗ ନେତୃତ୍ୱ ମୁହଁ ଖୋଲି ନାହାନ୍ତି କିମ୍ବା ଇସାରା ଦେଇନାହାନ୍ତି । ପ୍ରାଥମିକ ପର୍ଯ୍ୟାୟ ଆଲୋଚନା ସମ୍ପର୍କରେ କାହା ପାଖରେ କିଛି ଖବର ନାହିଁ । କିନ୍ତୁ ବିଜଦ ଓ ଭାଜପା ଲୋକସଭା ଏବଂ ବିଧାନସଭାରେ କେତେକେତେ ଆସନରେ ଲଢ଼ିବେ, ଏହା ମଧ୍ୟ କିଛି ସାମ୍ବାଦିକ ସ୍ଥିର କରିସାରିଲେଣି ।

ପ୍ରଥମ ପ୍ରଶ୍ନ ହେଉଛି ଯେ, ମେଣ୍ଟ ହେବ କି? ଦ୍ୱିତୀୟ ପ୍ରଶ୍ନଟି ହେଲା- ମେଣ୍ଟ ହେଲେ ଆସନ ବୁଝାମଣାର ଫର୍ମୁଲା କ’ଣ? ତୃତୀୟ ପ୍ରଶ୍ନ ଅତି ଗୁରୁତ୍ୱପୂର୍ଣ୍ଣ । ଏହାଦ୍ୱାରା କାହାର ଲାଭ ହେବ?

ଗତ ନିର୍ବାଚନରେ ବିଜଦ ବିଧାନସଭାରେ ୧୧୩ଟି ଆସନ ଜିଣିଥିଲା । ପରେ ଗୋଟିଏ ଆସନ ଭାଜପା ହାତରୁ ଉପନିର୍ବାଚନରେ ଛଡ଼ାଇ ନେଇଥିଲା । ଭାଜପା ୨୩ଟି ଆସନ ଜିଣିଥିଲା । ଉପନିର୍ବାଚନରେ ଗୋଟିଏ ଆସନ ହରାଇଲା । ତେଣୁ ବର୍ତ୍ତମାନର ସ୍ଥିତି ହେଲା ଯେ, ବିଜଦ ୧୧୪ । ଭାଜପା ୨୨ । କଂଗ୍ରେସ ୯ । ମାକପା ୧ ଓ ସ୍ୱାଧୀନ ୧ । ଲୋକସଭାରେ ବିଜଦକୁ ୧୨, ଭାଜପାକୁ ୮ ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳିଥିଲା । ଗତ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ବିଜଦ ଚମକ୍ରାର ବିଜୟ ହାସଲ କରିଥିଲା । ଏତେ ମଜଭୁତ ସ୍ଥିତିରେ ବିଜଦ କାହିଁକି ଭାଜପା ସହ ମେଣ୍ଟ କରିବାକୁ ଯିବ? କିନ୍ତୁ ଆଶ୍ଚର୍ଯ୍ୟର କଥା ମେଣ୍ଟ ହେବ ନାହିଁ ବୋଲି ରୋକଠୋକ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କିମ୍ବା ସର୍ବଶକ୍ତିମାନ ଭିକେ ପାଣ୍ଡିଆନ କାହିଁକି କହୁନାହାନ୍ତି?

ମେଣ୍ଟ ହେବାର ଅର୍ଥ ଯେ କ୍ଷତି ବିଜଦର, ଲାଭ ଭାଜପାର । କାରଣ ପରବର୍ତ୍ତୀ ସରକାର ମେଣ୍ଟ ବିଜଦ ସରକାରରୁ ମେଣ୍ଟ ସରକାରକୁ ରୂପାନ୍ତରିତ ହୋଇଯିବ । ତା’ଛଡ଼ା ଆସନ ବୁଝାମଣା ଏତେ ସହଜ ନୁହେଁ । ଆସନ୍ତା ୧୩ କିମ୍ବା ୧୪ ତାରିଖରେ ନିର୍ବାଚନ ତାରିଖ ଘୋଷଣା ହେବ । ଏପି୍ରଲ ପ୍ରଥମ ସପ୍ତାହରୁ ନିର୍ବାଚନ ଆରମ୍ଭ ହୋଇଯିବ । ଆସନ ବୁଝାମଣା ସବୁଠୁ ଝମେଲା ପାଠ ।

୧୯୯୭ରେ ଭାଜପାର ସ୍ଥିତି ଓଡ଼ିଶାରେ କ’ଣ ଥିଲା? ଭାଜପାର ଆସନ ଥିଲା ୯ । ଭୋଟ ହାର ଥିଲା ପ୍ରାୟ ୮% । ଜନତା ଦଳ ୩୫% ଭୋଟ ପାଇ ବି ୪୬ଟି ଆସନ ଜିଣିଥିଲା । କେନ୍ଦ୍ର ସରକାରରେ ଜନତା ଦଳ ଅଂଶୀଦାର ଥିଲା । ଜନତା ଦଳ ଯେତେବେଳେ ବିଭାଜିତ ହେଲା, ସେତେବେଳେ ବିଜଦ ପାଖରେ ମାତ୍ର ୩୦ ଜଣ ବିଧାୟକ ଥିଲେ । ମେଣ୍ଟ ନିଷ୍ପତ୍ତି ପରେ ଆସନ ବୁଝାମଣା କରିବାକୁ ପାଖାପାଖି ମାସେ ଲାଗିଯାଇଥିଲା । ଏକ ଫର୍ମୁଲା ଆଧାରରେ ଆସନ ବୁଝାମଣା ହୋଇଥିଲା । ତାହାସତ୍ତ୍ୱେ ଭାଜପା ଚାପ ଆଗରେ ବିଜଦକୁ ନାକେଦମ ହେବାକୁ ପଡ଼ିଥିଲା । ୯ଟି ଆସନ ଥିବା ଭାଜପାକୁ ୬୩ଟି ଆସନ ଛାଡ଼ିବାକୁ ପଡ଼ିଥିଲା ବିଜଦକୁ ।

୧୯୯୭ ତୁଳନାରେ ୨୦୨୪ରେ ଭାଜପା କାହିଁ କେତେଗୁଣ ଶକ୍ତିଶାଳୀ । କେନ୍ଦ୍ରରେ ତୃତୀୟ ଥର କ୍ଷମତାକୁ ଆସିବାକୁ ଯାଉଛି ମୋଦୀ ସରକାର । ଅଧିକାଂଶ ରାଜ୍ୟରେ ଭାଜପା ସରକାର । କଂଗ୍ରେସ ଛିନ୍‌ଛତ୍ର । ଏମିତି ଅବସ୍ଥାରେ ମୋଦୀ ଏବଂ ଶାହା ହାତ ଟେକି ବିଜଦ ପାଖରେ ଆତ୍ମ ସମର୍ପଣ କରିବେ କାହିଁକି? ଅଧିକାଂଶ ପ୍ରାକ୍‌ ନିର୍ବାଚନୀ ସର୍ଭେ ଭାଜପାକୁ ଯଥେଷ୍ଟ ଅଧିକ ଆସନ ଦେଉଛି । ମୋଦୀଙ୍କ ହାୱା ଓଡ଼ିଶାରେ ଅଛି ଜବରଦସ୍ତ । ଏଣୁ ବିଜଦ ବରଂ ଭାଜପାର ସର୍ତ୍ତରେ ମୁନ୍ଦ ନୁଆଁଇପାରେ । ମୋଦୀ ଏବଂ ଶାହା ନୁହନ୍ତି ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନଟି ଥିଲା ମେଣ୍ଟ ହେଲେ କିଏ ସବୁଠୁ କ୍ଷତିଗ୍ରସ୍ତ ହେବେ? ସବୁଠୁ କ୍ଷତିଗ୍ରସ୍ତ ହେବେ ଭିକେ ପାନ୍ଦିଆନ । ଏହା ହେଉଛି ସରଳତମ ଉତ୍ତର । ନବୀନ ପଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । କିନ୍ତୁ ମେଣ୍ଟ ସରକାର ଆସିବା ପରେ ଭିକେ ପାଣ୍ଡିଆନ ବର୍ତ୍ତମାନ ପରି ସର୍ବଶକ୍ତିମାନ ହୋଇ ରହିବେ କି?

ନିଜ ଇଚ୍ଛାରେ ଏବେ ଯେଭଳି ସମ୍ବିଧାନ ଊଦ୍ଧ୍ୱର୍ରେ ଥାଇ ନିଷ୍ପତ୍ତି ଘୋଷଣା କରିପାରୁଛନ୍ତି, ମେଣ୍ଟ ସରକାରରେ ସେଭଳି ସ୍ଥିତି ରହିବ କି? ବିହାରରେ ନୀତୀଶ ଓ ତାଙ୍କ ଜଦୟୁ ଏନ୍‌ଡିଏରେ ଯୋଗଦେବା ପରେ ଦୁଇଟି ଉପମୁଖ୍ୟମନ୍ତ୍ରୀ ଖଞ୍ଜିଦେଲା ଭାଜପା । ଏବେ ଯେଉଁ କ୍ଷମତା ଓ ପ୍ରତିପତ୍ତି ଉପଭୋଗ କରୁଛନ୍ତି ପାଣ୍ଡିଆନ ମେଣ୍ଟ ସରକାରରେ ଆଉ ଭୋଗ କରିପାରିବେ ନାହିଁ । ଏଭଳି ତ୍ୟାଗ କରିବାକୁ ସେ ପ୍ରସ୍ତୁତ ନଥିବେ ।
ତା’ଛଡ଼ା ବିଜଦ ପ୍ରଚାର, ବିଜ୍ଞାପନ, ଉପହାର ଏବଂ ଦାନ ଖଇରାତରେ ଗତ ୬ମାସ ଭିତରେ କେତେ ଯେ ଅର୍ଥ ଖର୍ଚ୍ଚ କଲାଣି, ତାହାର ହିସାବ ଅଛି କି? ସବୁଥିରେ ଶଙ୍ଖଚିହ୍ନ । ଏତେସବୁ ସାଧନା ଏବଂ ପ୍ରଚେଷ୍ଟା ପରେ ଭାଜପାକୁ ଲହୁଣୀ ଖାଇବାକୁ ବିଜଦ ଛାଡ଼ିଦେବ ବୋଲି ମନେହେଉ ନାହିଁ ।
ତେବେ ସମସ୍ତେ ଅପେକ୍ଷା କରିଛନ୍ତି ୫ ତାରିଖ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବା ସମୟରେ କି ସଂକେତ ଦେଉଛନ୍ତି? ଏକଲା ଚଲୋରେ ନା ଶଙ୍ଖ ସହ ଦ୍ୱିତୀୟ ଇନିଂସ୍‌?

By Nirvay

Leave a Reply

Your email address will not be published. Required fields are marked *