ରାଜଧାନୀ ଭୁବନେଶ୍ୱରରେ ଖାଦ୍ୟ ସୁରକ୍ଷାକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଭୁବନେଶ୍ୱର ମହାନଗର ନିଗମ। ବିଏମସିର ଖାଦ୍ୟ ସୁରକ୍ଷା ଟିମ୍ ସହରର ବିଭିନ୍ନ ଗୁପଚୁପ୍ ପ୍ରସ୍ତୁତି କାରଖାନା ଗୁଡ଼ିକରେ ହଠାତ୍ ଚଢ଼ାଉ ଓ ତଦାରଖ କରିଛନ୍ତି। ଏହି ଯାଞ୍ଚ ସମୟରେ ଅଧିକାଂଶ ସ୍ଥାନରେ ଅତ୍ୟନ୍ତ ଅସ୍ବାସ୍ଥ୍ୟକର ଓ ନିମ୍ନମାନର ପରିବେଶ ମଧ୍ୟରେ ଗୁପଚୁପ୍ ଏବଂ ଏହାର ଅନ୍ୟାନ୍ୟ ମସଲା ସାମଗ୍ରୀ ପ୍ରସ୍ତୁତ କରାଯାଉଥିବା ଦେଖିବାକୁ ମିଳିଛି।

ନା ଥିଲା ସେଠାରେ ନିର୍ମଳ ଜଳର ବ୍ୟବସ୍ଥା, ନା ଥିଲା ସ୍ୱଚ୍ଛତା; ଅତ୍ୟନ୍ତ ଦୁର୍ଗନ୍ଧଯୁକ୍ତ ଓ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ଚାଲିଥିଲା ଗୁପଚୁପ୍, ଆଳୁ ଚଟପଟା ଓ ଖଟାପାଣି ପ୍ରସ୍ତୁତି। ଏହାସହ ଏହି ପ୍ରସ୍ତୁତି କାରଖାନାଗୁଡ଼ିକ ମଧ୍ୟରୁ ଅଧିକାଂଶ ପାଖରେ କୌଣସି ଆବଶ୍ୟକୀୟ ବୈଧ ସରକାରୀ ଲାଇସେନ୍ସ ମଧ୍ୟ ନଥିଲା।

ତଦାରଖ ବେଳେ ଜବତ ହୋଇଥିବା ବିପୁଳ ପରିମାଣର ଅସ୍ୱାସ୍ଥ୍ୟକର ଓ ଦୂଷିତ ଗୁପଚୁପ୍ ସାମଗ୍ରୀକୁ ସାଙ୍ଗେ ସାଙ୍ଗେ ନଷ୍ଟ କରାଯାଇଛି। ଏଥି ସହିତ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସହ ଖେଳୁଥିବା ଅସାଧୁ ବ୍ୟବସାୟୀଙ୍କ ବିରୋଧରେ ଆଇନଗତ ଏନଫୋର୍ସମେଣ୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଜନସ୍ୱାସ୍ଥ୍ୟ ସହ ସାଲିସ୍ କରୁଥିବା ଏହି ଅସାଧୁ ବ୍ୟବସାୟୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ବେଳେ, ଆଗାମୀ ଦିନରେ ଏହି ଅଭିଯାନ ଆହୁରି ଜୋରଦାର ହେବ ବୋଲି BMC ଚେତାବନୀ ଦେଇଛି। ବିଏମସି ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ରାଜଧାନୀରେ ଖାଦ୍ୟ ଗୁଣବତ୍ତା ଓ ସ୍ୱଚ୍ଛତା ସହ କୌଣସି ପ୍ରକାର ବୁଝାମଣା କରାଯିବ ନାହିଁ। ଭବିଷ୍ୟତରେ ମଧ୍ୟ ଏହିପରି ଚଢ଼ାଉ ଜାରି ରହିବ। ବିନା ଲାଇସେନ୍ସ ଏବଂ ଅସ୍ୱାସ୍ଥ୍ୟକର ପରିବେଶରେ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନଗରବାସୀଙ୍କୁ ମଧ୍ୟ ବାହାରେ ଖାଦ୍ୟ ଖାଇବା ସମୟରେ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *