ଭୁବନେଶ୍ୱର: ସାମ୍ବାଦିକ ସମ୍ମିଳନୀ କରି ବିଜେଡିର ମାଗଣା ବିଜୁଳି ପ୍ରତିଶ୍ରୁତିକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ବିଜେଡି ସମ୍ପୂର୍ଣ୍ଣଭାବେ ମିଛ କହି ଓଡ଼ିଶାବାସୀଙ୍କୁ ଭ୍ରମିତ କରୁଛି । ବିଜେଡି ଓଡ଼ିଶାର ସମସ୍ତ ପରିବାରକୁ ସମ୍ପୂର୍ଣ୍ଣ ମାଗଣା ବିଦ୍ୟୁତ ଯୋଗାଇଦେବା ପାଇଁ ଇସ୍ତାହାର ପତ୍ରରେ ପ୍ରକାଶ କରିଛି । କିନ୍ତୁ ଅପରପକ୍ଷେ ବିଜୁ ଜନତା ଦଳ ନେତା ତଥା ଗୁମାସ୍ତା ଜନସଭା ଓ ବିଜ୍ଞାପନ ମାଧ୍ୟମରେ ପ୍ରଚାର ପ୍ରସାର କରୁଛନ୍ତି ଯେ, ଆସନ୍ତା ଜୁଲାଇ ମାସରୁ ଓଡିଶାର ବିଦ୍ୟୁତ ଉପଭୋକ୍ତାଙ୍କୁ ୧୦୦ୟୁନିଟ୍ ମାଗଣା ଦିଆଯିବ । ଏହାର ଅର୍ଥ ବିଜେଡି ଇସ୍ତାହାର ପତ୍ର ସମ୍ପୂର୍ଣ୍ଣ ମିଥ୍ୟା ପ୍ରହେଳିକା ବୋଲି ପୂର୍ବତନ ରାଜ୍ୟ ସଭାପତି ତଥା ବରିଷ୍ଠ ନେତା ଶ୍ରୀ ସମୀର ମହାନ୍ତି କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ଦୀର୍ଘ ୨୫ବର୍ଷ ଓଡ଼ିଶାବାସୀଙ୍କୁ ଶାସନ କରିବା ପରେ ପୁଣି ନିର୍ବାଚନ ସମୟରେ ମିଛ କହି ଭ୍ରମିତ କରୁଛନ୍ତି ବିଜେଡିର ଆମଦାନୀ ନେତା ତଥା ଗୁମାସ୍ତା । ଓଡ଼ିଆ ଲୋକଙ୍କୁ ବିଜେଡି ନଭଣ୍ଡାଉ । ଓଡ଼ିଶାରେ ପ୍ରାୟ ୯୬ଲକ୍ଷ ପରିବାର ବିଦ୍ୟୁତ୍ ଉପଭୋକ୍ତା ଅଛନ୍ତି । ବିଜେଡି କେତେ ଉପଭୋକ୍ତାଙ୍କୁ ମାଗଣା ବିଜୁଳି ଦେବ ତାହାର ସ୍ପଷ୍ଟ କରୁ । ପ୍ରଥମେ ବିଜୁଳି ବିଲ୍ ଆସିବନି ବୋଲି କହୁଥିଲେ, ପୁଣି ଏବେ ୧୦୦ୟୁନିଟ୍ ମାଗଣା କଥା କହୁଛନ୍ତି କାହିଁକି? ଓଡ଼ିଆ ଲୋକଙ୍କୁ ନଭୂତେଇ, ପ୍ରତାରଣା ତଥା ନଭଣ୍ଡେଇ ବିଜେଡିର ମୁଖିଆ ସତ କ’ଣ ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ମହାନ୍ତି କହିିଛନ୍ତି ।

ନିର୍ବାଚନ ପରିପ୍ରେକ୍ଷିରେ ବିଜେପିର ସଂକଳ୍ପପତ୍ର ପ୍ରକାଶ ପାଇଛି । ସଂକଳ୍ପପତ୍ରରେ ଆମେ ଓଡ଼ିଶାର ବିଦ୍ୟୁତ୍ ଉପଭୋକ୍ତାମାନଙ୍କୁ “ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା”ରେ ମାଗଣାରେ ବିଦ୍ୟୁତ୍ ଦେବାର ସଂକଳ୍ପ କରିଛୁ । ଅପରପକ୍ଷେ କିଛିଦିନ ତଳେ ବିଜେଡି ମେନିଫେଷ୍ଟୋ ପ୍ରକାଶ କରିଛି । ବିଜେଡି ୨୫ବର୍ଷ ଶାସନ କରିବା ପରେ ଏକ ମିଛ ମେନିଫେଷ୍ଟୋରେ ବିଦ୍ୟୁତ୍ ଉପଭୋକ୍ତାମାନଙ୍କ କଥା ମନେ ପକାଇଛି । ବିଦ୍ୟୁତ୍ ସେବା ରାଜ୍ୟ ଅର୍ଥନୀତି ପ୍ରଗତିର ସାରଥୀ । କିନ୍ତୁ ସମ୍ବେଦନଶୀଳ ବିଜୁଳି ଘଟଣାର ସ୍ପଷ୍ଟୀକରଣ ବିଜେଡି ପାଖରେ ନାହିଁ ।

ଓଡ଼ିଶାରେ ବିଦ୍ୟୁତ ଦରର ଜାତୀୟ ହାର ଠାରୁ ପ୍ରାୟ ୯୦ପଇସା ୟୁନିଟ୍ ପିଛା ଅଧିକ । ଓଡ଼ିଶାର ବିଦ୍ୟୁତ ଉପଭୋକ୍ତା ହାରାହାରି ୟୁନିଟ୍ ପିଛା ୫ଟଙ୍କା ୯୦ ପିଇସା କିଣୁଛି ଯାହା ଅନ୍ୟ ରାଜ୍ୟ ତୁଳନାରେ ଢ଼େର ଅଧିକ । ଭାରତ ବର୍ଷରେ ୨୭ଟି ରାଜ୍ୟ ସେମାନଙ୍କ ଉପଭୋକ୍ତାଙ୍କୁ ମାଗଣା ବିଦ୍ୟୁତ ଯୋଗାଇ ଦେଉଛନ୍ତି କିମ୍ବା ସବ୍‌ସିଡି ମଧ୍ୟ ଦେଉଛନ୍ତି । ଓଡ଼ିଶା ଏକମାତ୍ର ରାଜ୍ୟ ସେ ପକ୍ରିୟା ଭିତରକୁ ୨୫ବର୍ଷ ହେଲା ସାମିଲ ହୋଇନାହିଁ । ୧୯୯୫ ମସିହାରୁ ବିଦ୍ୟୁତ ସଂସ୍କାର କରିଛି ବୋଲି ବିଜେଡି ଡିଣ୍ଡିମ ପିଟୁଛି ।

ଓଡ଼ିଶାରେ କୋଇଲା ପ୍ରଚୁର ମାତ୍ରାରେ ଥିବା ସତ୍ୱେ ଓଡ଼ିଶାର ଲୋକ ତାମିଲନାଡୁ ଅପେକ୍ଷା ଅଧିକ ମୂଲ୍ୟରେ ବିଜୁଳି କିଣୁଛି । ତାମିଲନାଡୁକୁ ୨ଟଙ୍କା ୫୩ପଇସାରେ ବିଦ୍ୟୁତ ଦିଆଯାଉଛି । ଓଡ଼ିଶାରେ ବିଦ୍ୟୁତ ବିତରକ କମ୍ପାନୀ ୨ଟଙ୍କା ୮୩ପଇସାରେ କିଣୁଛନ୍ତି । ରାଜ୍ୟ ସ୍ୱାର୍ଥକୁ ଅଣଦେଖା କରି ୨୫ବର୍ଷ ପାଇଁ ଏନଏନସିଏଲଆଇର ୩୨୦୦ ମେଗାୱାଟ ତଲାବିରା ତାପଜ ବିଦ୍ୟୁତ୍ କେନ୍ଦ୍ରରୁ ତାମିଲନାଡୁ ସରକାରଙ୍କୁ ସମର୍ପଣ କରିଦେଇଛନ୍ତି ରାଜ୍ୟ ସରକାର । ଏଥିରେ ସିଧାସଳଖ ଭାବେ ରାଜ୍ୟର ରାଜସ୍ୱ ୫୦ହଜାର କୋଟି ଟଙ୍କା କ୍ଷତି ସହିବ, ଏହା କାହା ସ୍ୱାର୍ଥରେ ବୋଲି ନବୀନ ବାବୁ ସ୍ପଷ୍ଟୀକରଣ ଦିଅନ୍ତୁ ।
ଦୀର୍ଘ ୨୫ବର୍ଷ ଧରି ରାଜ୍ୟର ବିଜୁଳି ଉପଭୋକ୍ତାମାନଙ୍କୁ ବିଜେଡି ଅଣଦେଖା କରିଥିଲା । ନିର୍ବାଚନ ଆସିବାରୁ ନବୀନ ବାବୁ ମିଥ୍ୟା ବିଜୁଳିର ପ୍ରଲୋଭନ ଦେଖାଇ ଭୋଟ ହାତେଇବାର ଅପଚେଷ୍ଟା କରିଛନ୍ତି । ଏବେ ପୁଣି ଲୋକଙ୍କୁ ଭ୍ରମିତ କରିବା ପାଇଁ ୧୦୦ୟୁନିଟ୍ କଥା କହି ଲୋକଙ୍କୁ ଭୂଆଁ ବୁଲାଉଛନ୍ତି । ବିଗତ ଦିନମାନଙ୍କରେ ପିଠା, କାଳିଆ ଯୋଜନା ଭଳି ମାଗଣା ବିଦ୍ୟୁତ କଥା କହି ଭ୍ରମିତ କରିବା ସହ ବୋକା ବନାଇବାକୁ ଚେଷ୍ଟା କରୁଛି ବିଜେଡି । ଯାହାକୁ ବିଜେପି ନିନ୍ଦା କରୁଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ଅନିଲ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *