ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ଥାନା ହାଜତରେ ଅସ୍ୱାଭାବିକ ମୃତ୍ୟୁ ବ୍ୟତିକ୍ରମ ନୁହେଁ ବରଂ ଏକ ସ୍ୱାଭାବିକ ଘଟଣାରେ ପରିଣତ ହେଲାଣି । ବିଶେଷକରି ଜିଲ୍ଲାର ଖଣି ଅଂଚଳ ଯୋଡା-ବଡବିଲ୍‌ରେ ଖଣି ମାଫିଆଙ୍କ ସହିତ ପୋଲିସର ମଧୁଚନ୍ଦ୍ରିକା କାହାକୁ ଆଶ୍ଚର୍ଯ୍ୟ ଚକିତ କରୁନଥିବାବେଳେ ସେଠାକାର ଥାନାଗୁଡିକ ସାଧାରଣ ଜନତାଙ୍କ ପାଇଁ ନିର୍ଯ୍ୟାତନା ଶିବିରଭାବେ କାର୍ଯ୍ୟ କରୁଛି । ରାଜ୍ୟ ସରକାରଙ୍କ ଆଦିବାସୀ ବିରୋଧୀ ମନଭାବ କାରଣରୁ ଯୁବକ, ମହିଳା ଅସୁରକ୍ଷିତ ହୋଇଛନ୍ତି । ଯାହାର ଉଦାହରଣ ସ୍ୱରୂପ ଗତ ୨୫ତାରିଖ ଦିନ ଆଦିବାସୀ ଯୁବକ ଦୀନେଶ ନାୟକ(୨୩)ଙ୍କୁ କେନ୍ଦୁଝର ଜିଲ୍ଲା ଯୋଡା ଥାନା ପୋଲିସ କୌଣସି କାରଣରୁ ଉଠାଇ ନେଇ ଯାଇଥିଲା । ଗତ ୨୭ତାରିଖ ଦିନ ଗିରଫ ଆଦିବାସୀ ଯୁବକଙ୍କ ମୃତଦେହ ସ୍ଥାନୀୟ ଟିସ୍କୋ ହସ୍ପିଟାଲରୁ ଉଦ୍ଧାର କରାଯାଇଥିଲା ।  ନାୟକ ବାପା ମାଆଙ୍କର ଏକମାତ୍ର ରୋଜଗାରକ୍ଷମ ପୁଅ । ପ୍ରକାଶଥାଉ କି, ମୃତକ ନାୟକ ଏହି ଘଟଣାର ୪ଦିନ ତଳେ ବିବାହ କରିଥିଲେ ଏବଂ ବିବାହର ୪ର୍ଥ ଦିନରେ ହିଁ ସେ ପୋଲିସ ମାତ୍ରାଧିକ୍ୟ କାର୍ଯ୍ୟରେ ଶିକାର ହୋଇଥିଲେ । ନବ ବିବାହିତା ପତ୍ନୀଙ୍କ ପାଦରୁ ଅଳତା ଲଭିବା ପୂର୍ବରୁ ଏଭଳି ନାରକ୍ୟ ଘଟଣା ସମଗ୍ର ଅଂଚଳକୁ ସ୍ତବ୍ଧ କରିଦେଇଛି ବୋଲି ରାଜ୍ୟ ମୁଖପାତ୍ର  ସତ୍ୟବ୍ରତ ପଣ୍ଡା କହିଛନ୍ତି ।

କେନ୍ଦୁଝର ଜିଲ୍ଲା ଯୋଡା ଥାନାରେ ହାଜତ ମୃତ୍ୟୁ ଗୋଟିଏ ଘଟିଛି ତାହା ନୁହେଁ ଏହା ପୂର୍ବରୁ ଗତ ବର୍ଷ ଜାନୁୟାରୀ ମାସରେ ମଧ୍ୟ ଜିଲ୍ଲା ଖଣି ଅଂଚଳରେ ଏକ ହାଜତ ମୃତ୍ୟୁ ଘଟିଥିଲା । ବାରମ୍ବାର ହାଜତ ମୃତ୍ୟୁ ଘଟିବା ଏବଂ ଖଣି ମାଫିଆମାନଙ୍କ ପୋଲିସର ସମ୍ପର୍କ ପାଇଁ କେନ୍ଦ୍ରୁଝର ଜିଲ୍ଲା ଯୋଡା ବଡବିଲ ଅଂଚଳ ଦୁଃନାମ ସହୁଛି । ଏନେଇ ଗତ ୩ଦିନ ତଳେ କେନ୍ଦୁଝର ଜିଲ୍ଲା ଏସ୍‌ପିଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଥିଲା । କିନ୍ତୁ ଏସ୍‌ପି ଏଯାଏଁ କୌଣସି ପଦକ୍ଷେପ ନେଲେ ନାହିଁ । ଫଳରେ ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡାଙ୍କ ନେତୃତ୍ୱରେ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ ।

ମୃତ ଦିନେଶଙ୍କ ପରିବାର ପୋଲିସ ଭୟରେ ପାଟି ଖୋଲୁନାହାନ୍ତି । ଅଭିଯୁକ୍ତ ଆଦିବାସୀ ଯୁବକଙ୍କର ପୋଲିସ ହେପାଜତରେ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ବିଜେପି ଦୃଢ଼ ନିନ୍ଦା କରିଛି । କେନ୍ଦୁଝର ଜିଲ୍ଲା ଏସ୍‌ପି ଏନେଇ କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ତାଙ୍କୁ ପଦବୀରୁ ବହିଷ୍କାର କରାଯାଉ । ଯୋଡା ଥାନାରେ ଏଭଳି ଘଟଣା ଘଟିଥିବା କାରଣରୁ ସେହି ଥାନା ଅଫିସରଙ୍କ ବିରୋଧରେ ନରହତ୍ୟା ମକଦ୍ଦମା ଦାୟର କରାଯାଉ ଏବଂ ମୃତକ ଆଦିବାସୀ ଦିନେଶ ନାୟକଙ୍କ ପରିବାରକୁ ୧କୋଟି ଟଙ୍କା କ୍ଷତିପୂରଣ ଦିଆଯାଉ ବୋଲି ପଣ୍ଡା ଦାବି କରିଛନ୍ତି ।

ଏହି ପ୍ରତିନିଧିମଣ୍ଡଳୀରେ କଟକ ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମୂରଲୀ ମନୋହର ଶର୍ମା ଓ ରାଧାକାନ୍ତ ମହାନ୍ତ, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ପୋଲିସ ମହାନିର୍ଦ୍ଦେଶକ (ମାନବ ଅଧିକାର ସୁରକ୍ଷା ସେଲ୍‌) ଲଳିତ ଦାସଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ।

 

 

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *