ଭୁବନେଶ୍ୱର : ଆଗକୁ ଲୋକସଭା ଓ ବିଧାନସଭା ନିର୍ବାଚନ । ଏହି ନିର୍ବାଚନରେ ସରକାରୀ ଦଳ କଳ ବଳର ଅପପ୍ରୟୋଗ କରି ନିର୍ବାଚନ ଜିତିବାକୁ ଚାହୁଁଛି । ପୋଲିସ ପ୍ରଶାସନ, ସାମ୍ବିଧାନିକ ବିଧିବ୍ୟବସ୍ଥା ଏବଂ ଅନୁଷ୍ଠାନମାନଙ୍କୁ ବ୍ୟବହାର କରିି ଜନମତକୁ ବିଭ୍ରାନ୍ତ କରୁଥିବାର ଏବେ ଠାରୁ ବହୁ ଅଭିଯୋଗ ଓ ପ୍ରମାଣ ଆସିଲାଣି । ନିର୍ବାଚନ ପରିଚାଳନାକୁ ଅବାଧ ଓ ନିରପେକ୍ଷ କରାଇବା ଦାୟୀତ୍ୱ ହେଉଛି ନିର୍ବାଚନ କମିଶନଙ୍କର, ଆଉ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶକୁ ପାଳନ କରିବା ଦାୟୀତ୍ୱ ହେଉଛି ରାଜ୍ୟ ସରକାରଙ୍କର । ସେଥିପାଇଁ ୩ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଅବସ୍ଥାପିତ ଥିବା ବିଭିନ୍ନ ବିଭାଗର ଅଧିକାରୀଙ୍କୁ ତୁରନ୍ତ ବଦଳି କରାଯାଉ ବୋଲି ରାଜ୍ୟ ଉପସଭାନେତ୍ରୀ ଡ.ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେପିର ଏକ ପ୍ରତିିନିଧି ଦଳ ଦାବୀ ଜଣାଇଛି ।

ଭୁବନେଶ୍ୱରରେ ଦୀର୍ଘ ବର୍ଷ ଧରି ଅଥବା ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଅବସ୍ଥାପିତ ଥିବା ବହୁ ଅଧିକାରୀ ଦୃଷ୍ଟିଗୋଚର ହେଉଛନ୍ତି । ସେମାନେ ହେଲେ ପୋଲିସ ଅଧିକାରୀଗଣ ଯଥା, ଡିଏସ୍‌ପି ରଜତ ରାୟ, ଏସିପି ମାନସ ଗଡନାୟକ, ବାନାମ୍ବର ସେଠୀ ଓ ସଞ୍ଜୀବ ଶତପଥୀ, ଏଏସ୍‌ପି ଅଶୋକ ପାଣିଗ୍ରାହୀ, ହିମାଂଶୁ ସ୍ୱାଇଁ ଓ ଗିରିଜା ଶଙ୍କର ଚକ୍ରବର୍ତୀ, ଆଇଆଇସି ତୃପ୍ତି ରଞ୍ଜନ ନାୟକ, ଏସ୍‌ଆଇ ବିଜୟ ଦାସ ଓ ଷ୍ଟାଲିନ୍‌ଙ୍କ ସମେତ ଅନ୍ୟ ସରକାରୀ ଅଧିକାରୀମାନଙ୍କୁ ତୁରନ୍ତ ବଦଳି କରାଯାଉ । ଏପରିକି ନିର୍ବାଚନ ପରିଚାଳନା ଦାୟୀତ୍ୱରେ ଥିବା ସରକାରୀ ଅଧିକାରୀମାନେ ନିଜ ଗୃହ ଜିଲ୍ଲାରେ ମଧ୍ୟ ଅବସ୍ଥାପିତ ହୋଇପାରିବେ ନାହିଁ । ଏପରି ଆହୁରି ଅନେକ ଅଧିକାରୀ ଗୋଟିଏ ସ୍ଥାନରେ ଏବଂ ଗୋଟିଏ ପଦରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଆସୁଛନ୍ତି । ଦଳୀୟ କାର୍ଯ୍ୟରେ ଏମାନଙ୍କୁ ରାଜ୍ୟ ସରକାର ଜାଣିଶୁଣି ବ୍ୟବହାର କରୁଥିବାର ଅନେକ ନଜିର ରହିଛି । ଏହା ଦ୍ୱାରା ଅବାଧ ଓ ନିରପେକ୍ଷ ନିର୍ବାଚନରେ ବାଧା ସୃଷ୍ଟି ହେବାରେ ଆଶଙ୍କା ରହିଛି । ସରକାରୀ ଅଧିକାରୀମାନେ ନିଜ କର୍ତବ୍ୟ ଓ ଦାୟିତ୍ୱ ଭୁଲି ଶାସକ ଦଳର ଏଜେଂଟ ଭାବେ କାର୍ଯ୍ୟ କରିବା ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ଏବଂ ଅଣସାମ୍ବିଧାନିକ । ତେଣୁ ଯଥାଶୀଘ୍ର ସେମାନଙ୍କୁ ବଦଳି କରାଯାଉ ବୋଲି ଡ.ଲେଖାଶ୍ରୀ ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି ।

ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *