ନବୀନ ଦାସ: ଭୀମ ଭୋଇଙ୍କର ଏକ ବଡ଼ ଲୋକପ୍ରିୟ ଜଣାଣଟି ହେଲା ‘ସମର୍ପି ଦେଲି ପାଇଲ ସର୍ବ । ବୁଝ କି ନବୁଝ ସ୍ୱାମୀ ଗୁରୁଦେବ ।’
ଟିକେ ବୁଲେଇ ଦେଖିଲେ ବିଜୁ ଜନତା ଦଳକୁ ଏହା ଖାପ ଖାଇଯାଉଛି । ଗତ ୫ ବର୍ଷ ହେଲା ମୋଦୀ ସରକାରଙ୍କୁ ବିଜଦ ସବୁକିଛି ସମର୍ପି ଦେଇଛି । ମାନ, ମହତ ଏବଂ ମର୍ଯ୍ୟାଦା । ପାଇଛି କ’ଣ? ଏହା ଏକ ଜଟିଳ ପ୍ରଶ୍ନ । ଏହାର ଉତ୍ତର ଶାସକ ଦଳର କେହି ବି ଦେବେ ନାହିଁ । କିନ୍ତୁ ଉତ୍ତର ଅଛି ।
ମୋଦୀ ସରକାର ୨୦୨୪ ମସିହାରେ ୫ଜଣ ବରପୁତ୍ରଙ୍କୁ ଭାରତ ରତ୍ନ ଦେବା ବିଷୟ ଘୋଷଣା କଲେଣି । ପ୍ରଥମେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁରଙ୍କୁ ଦିଆଗଲା ଭାରତ ରତ୍ନ । ଏହି ଘୋଷଣା ପରେପରେ ଭାଙ୍ଗିଗଲା ବିହାର ମହାମେଣ୍ଟ ସରକାର । ଜଦୟୁ ନେତା ନୀତୀଶ କୁମାର ଫେରିଗଲେ ଏନ୍‌ଡିଏକୁ । ସେ ପୁଣି ମୁଖ୍ୟମନ୍ତ୍ରୀ ପଦରେ ରହିଲେ ।

କିଛିଦିନ ତଳେ ଭାରତୀୟ ଜନତା ପାର୍ଟିର ଅନ୍ୟତମ ବରିଷ୍ଠ ମାର୍ଗଦର୍ଶକ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲ୍‌କୃଷ୍ଣ ଆଡ୍‌ଭାନୀଙ୍କୁ ଭାରତ ରତ୍ନ ମିଳିବା ବିଷୟ ଘୋଷଣା କଲେ ପ୍ରଧାନମନ୍ତ୍ରୀ । ରାମରତ୍ନଙ୍କୁ ଭାରତରତ୍ନ ମିଳିବାକୁ ଅନେକ ଅପେକ୍ଷା କରିରହିଥିଲେ ।

୯ ତାରିଖରେ ଦୁଇଜଣ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହ, ପିଭି ନରସିଂହ୍ମା ରାଓ ଏବଂ ବିଶିଷ୍ଟ କୃଷିବିତ୍‌ ଡ. ସ୍ୱାମୀନାଥନଙ୍କୁ ଭାରତ ରତ୍ନ ମିଳିବା ବିଷୟ ଘୋଷଣା କଲେ ପ୍ରଧାନମନ୍ତ୍ରୀ । ଚୌଧୁରୀ ଚରଣ ସିଂହ ଜଣେ ମହାନ କୃଷକ ନେତା । ସ୍ୱାମୀନାଥନ କୃଷି ବିଶେଷଜ୍ଞ । ଏବେ ଚାଷୀ ଆନ୍ଦୋଳନ ଚାଲୁଥିବାବେଳେ କେନ୍ଦ୍ର ସରକାରଙ୍କ ଏହି ଘୋଷଣା ରାଜନୀତି ଦୃଷ୍ଟିରୁ ବଡ଼ ଗୁରୁତ୍ୱ ବହନ କରୁଛି । ଏଣେ କଂଗ୍ରେସର କଟା ଘା’ରେ ଚୁନ ବୋଳିବା ପରି ନରସିହ୍ମା ରାଓଙ୍କୁ ଭାରତ ରତ୍ନ ମିଳୁଛି ।

କିନ୍ତୁ ବିଜୁ ବାବୁଙ୍କୁ କେବେ? ଚରଣ ସିଂହଙ୍କୁ ଭାରତ ରତ୍ନ ମିଳିବ ବୋଲି ଘୋଷଣା ପରେପରେ ଇଣ୍ଡି ମେଣ୍ଟରୁ ଓହରିଗଲେ ରାଷ୍ଟ୍ରୀୟ ଲୋକଦଳ ନେତା ଜୟନ୍ତ ଚୌଧୁରୀ । ମାତ୍ର ୪ଟି ଆସନରେ ସନ୍ତୁଷ୍ଟ ଜୟନ୍ତ । ଭାରତ ରତ୍ନର ଗୋଟିଏ ଘୋଷଣା ଉତ୍ତରପ୍ରଦେଶରେ ଇଣ୍ଡି ମେଣ୍ଟକୁ ସମ୍ପୂର୍ଣ୍ଣ ଚୁରମାର କରିଦେଲା ।

ଗତ ୫ ବର୍ଷ ହେଲା ନବୀନ ବାବୁ ଏବଂ ବିଜୁ ଜନତା ଦଳ ସବୁକିଛି ସମର୍ପଣ କରିଦେଇଛନ୍ତି ମୋଦୀ ସରକାରଙ୍କ ପାଖରେ । କେନ୍ଦ୍ର ଅବହେଳା ଭଳି ଚିରାଚରିତ ପ୍ରସଙ୍ଗକୁ ଅଚଳ ଶୀତଳ ଭଣ୍ଡାରରେ ରଖି ଏହାକୁ ପଚିଯିବାକୁ ଦେଇଛନ୍ତି । କେନ୍ଦ୍ର ବିରୋଧରେ ରାସ୍ତାକୁ ଆଉ ଓହ୍ଲାଉ ନାହିଁ ଶାସକ ଦଳ । କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବାର ପ୍ରଶ୍ନ ହିଁ ଉଠିନାହିଁ ।
ଦୁର୍ଭାଗ୍ୟକୁ ଏଏନ୍‌ଆଇ ସହ ସାକ୍ଷାତକାରରେ ବିଜଦର ସର୍ବଶକ୍ତିମାନ ନେତା ଭିକେ ପାଣ୍ଡିଆନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କର ଉତ୍ତମ ସମ୍ପର୍କ ଅଛି ।

ବିଜୁ ବାବୁଙ୍କୁ ଭାରତ ରତ୍ନ ମିଳୁ ଦାବି ବିଜୁ ଜନତା ଦଳର । ଗତ ୨୦୨୦ରେ ରାଜ୍ୟସଭାରେ ବିଜଦ ସାଂସଦ ଅମର ପଟ୍ଟନାୟକ ଏହି ଦାବି ଉଠାଇଥିଲେ । ୨୦୨୧ ମସିହାରେ ବିଧାନସଭାରେ ଏହି ଦାବି ଉଠିଥିଲା । ଏହାକୁ ସବୁ ଦଳ ସମର୍ଥନ କରିଥିଲା । ବିଜୁ ଜନତା ଦଳର ଦାବି କେବଳ ସ୍ୱରରେ ହିଁ ରହିଯାଇଛି । ୨୦୧୪ରେ ଦଳର ୧୭ତମ ପ୍ରତିଷ୍ଠା ଦିବସରେ ସାଂସଦ ଏବଂ ବିଧାୟକମାନେ ଏହି ଦାବି ଉଠାଇଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା, ଏହି ଉତ୍ସବରେ ଉପସ୍ଥିତ ଥିବା ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟନାୟକ ଏହି ଦାବି ବିଷୟରେ ମୁହଁ ଫିଟାଇ ନଥିଲେ ।

୨୦୦୮ରେ ନବୀନ କହିଥିଲେ ଯେ, କେନ୍ଦ୍ର ନିକଟରେ ବିଜୁ ବାବୁଙ୍କୁ ଭାରତ ରତ୍ନ ଦିଆଯିବାକୁ ବିଧିବଦ୍ଧ ଦାବି ଉପସ୍ଥାପନ କରାଯିବ । କିନ୍ତୁ ଦାବି ଉପସ୍ଥାପିତ ହେଲା କି ନହେଲା କୁହାଯାଇ ପାରିବ ନାହିଁ । ୨୦୧୫ରେ ବିଧାନସଭାରେ ଏସଂକ୍ରାନ୍ତରେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା । ଅବଶ୍ୟ ଏହି ପ୍ରସ୍ତାବ ବେଳେ ବିରୋଧୀ ସଦସ୍ୟମାନେ ଗୃହରେ ନଥିଲେ । ବିଜୁଙ୍କୁ ଭାରତ ରତ୍ନ ମିଳୁ ବିଜଦର ଏହି ଦାବି ଅତି ପୁରୁଣା ।

କିନ୍ତୁ ଗତ ୫ ବର୍ଷ ହେଲା କେଉଁ ବଡ଼ ଦାବି ହାସଲ କରିପାରିଛି ବିଜଦ? ରାଜ୍ୟସଭାରେ ଅନେକ ସଂକଟରେ ମୋଦୀ ସରକାରଙ୍କୁ ସହଯୋଗ ଦେଇଛନ୍ତି ନବୀନ ବାବୁ । ଲୋକସଭାରେ ଭାଜପା ଓ ଏନ୍‌ଡିଏର ନିରଙ୍କୁଶ ସଂଖ୍ୟାଗରିଷ୍ଠତା ଥିଲା । କିନ୍ତୁ ଅଡ଼ୁଆରେ ପଡ଼ିଥାନ୍ତେ ରାଜ୍ୟସଭାରେ । ତିନି ତଲାକ ହେଉ କିମ୍ବା ସିଏଏ ସବୁ ସ୍ପର୍ଶକାତର ବିଲ୍‌ରେ ବିଜଦ ଆଖିବୁଜା ସମର୍ଥନ କରିଛି । କିନ୍ତୁ ବିଜୁ ବାବୁଙ୍କୁ ଭାରତ ରତ୍ନ କିଭଳି ମିଳିବ ସେହି ଦାବି ହାସଲ କରିପାରିଲା ନାହିଁ ବିଜଦ? ସ୍ୱତନ୍ତ୍ର ଶ୍ରେଣୀ ରାଜ୍ୟ ପାହ୍ୟା ଏକ ଅଚଳ ପ୍ରସଙ୍ଗ । ୫ବର୍ଷ ସାହାଯ୍ୟ, ସହଯୋଗ ଓ ସମର୍ଥନ ଯୋଗାଇ ଦେଇ ଓଡ଼ିଶା ପାଇଁ କେଉଁ ଦାବି ହାସଲ କରିପାରିଛି ବିଜଦ?

ଯାହା ହାସଲ ହୋଇଛି ତାହା ଜାଣି ମଧ୍ୟ ଅଜଣା । ସବୁକିଛି ସମର୍ପି ଦେଇ ନବୀନ ବାବୁ ସିବିଆଇ ଓ ଇଡି ଜାଲରୁ ନିଜକୁ ଏବଂ ନିଜ ସରକାରକୁ ରକ୍ଷା କରିପାରିଛନ୍ତି । ଏହା ତୁଳନାରେ ବିଜୁ ବାବୁ ଓ ଭାରତ ରତ୍ନ କ’ଣ? ମିଳିଲେ କେତେ, ନମିଳିଲେ କେତେ?

By Nirvay

Leave a Reply

Your email address will not be published. Required fields are marked *