ଗୋପାଳପୁର ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀଙ୍କ ନାମରେ ଟାଟା କମ୍ପାନିରେ ନିଯୁକ୍ତି ନେଇ ହୋଇଥିବା ଠକେଇ ମାମଲାରେ ଆସିଛି ନୂଆ ମୋଡ଼। ଏହି ମାମଲାରେ ଗୋପାଳପୁର ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀଙ୍କ ନାମରେ ଗଞ୍ଜାମ ଜିଲ୍ଲାରେ ୫ଟି ମାମଲା ରୁଜୁ ହୋଇଥିଲା। ଏଥିରୁ ୪ଟି ମାମଲା ପ୍ରତ୍ୟାହାର ପାଇଁ ଏତଲାକାରୀ ବ୍ରହ୍ମପୁର ଜେଏମ୍‌ଏଫ୍‌ସି ଶିବାନୀ ମିଶ୍ରଙ୍କ କୋର୍ଟରେ ସତ୍ୟପାଠ ଦାଖଲ କରିଥିବା ଜଣା ପଡ଼ିଛି। ଫଳରେ ଏହି ମାମଲା ବର୍ତ୍ତମାନ ଏକ ନୂଆ ମୋଡ଼ ନେଇଛି। ଏବେ ସମସ୍ତ ମାମଲା ବିଚାରାଧୀନ ଥିବା ବେଳେ ମକଦ୍ଦମା ପ୍ରତ୍ୟାହାର ପାଇଁ ସତ୍ୟପାଠ ଦାଖଲ କରିବା ବିଭିନ୍ନ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି।

ଏହି ସମ୍ବନ୍ଧରେ ପ୍ରଥମେ କ୍ରାଇମ୍‌ବ୍ରାଞ୍ଚ ନିକଟରେ ଅଭିଯୋଗ ପରେ କଟକ ସାଇବର୍‌ ଥାନାରେ ମାମଲା ରୁଜୁ ହୋଇଥିଲା। ଅଧିକ ତଦନ୍ତ ପାଇଁ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଗତ ୨୦୨୦ ନଭେମ୍ବର ମାସରେ ବ୍ରହ୍ମପୁର ଆସିଥିଲା। ତଦନ୍ତ ପରେ ପର୍ଯ୍ୟାୟ କ୍ରମେ ପ୍ରଦୀପଙ୍କ ନାମରେ ୫ଟି ଠକେଇ ମାମଲା ରୁଜୁ ହୋଇଥିଲା। ୪ଟି ମାମଲା ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ବେଳେ ଗୋଟିଏ ବୈଦ୍ୟନାଥପୁର ଥାନାରେ ରୁଜୁ ହୋଇଥିଲା। ଏହି ମାମଲାରେ ପୁଲିସ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରି ସାରିଥିବା ବେଳେ କୋର୍ଟରେ ମାମଲା ବିଚାରାଧୀନ ରହିଛି। ଏବେ ହଠାତ୍‌ ୪ଜଣ ଏତଲାକାରୀ ମାମଲା ପ୍ରତ୍ୟାହାର କରିବା ସହିତ ପରବର୍ତ୍ତୀ ବିଚାରଣା ଆଗକୁ ନନେବା ପାଇଁ ତାଙ୍କ ଓକିଲଙ୍କ ଜରିଆରେ କୋର୍ଟରେ ସତ୍ୟପାଠ ଦାଖଲ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ଚାରିଜଣ ଏତଲାକାରୀ ସେମାନଙ୍କ ଟଙ୍କା ପାଇସରିଥିବା ବେଳେ ମାମଲାକୁ ଆଗକୁ ନେବାକୁ ଚାହୁଁ ନାହାନ୍ତି ବୋଲି ସତ୍ୟପାଠରେ ଦର୍ଶାଇଛନ୍ତି।

By Nirvay

Leave a Reply

Your email address will not be published. Required fields are marked *