ବ୍ରହ୍ମପୁରରେ ନିଶା ଦେଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା, ଗିରଫ ହେଲେ ପାଞ୍ଚ ଅଭିଯୁକ୍ତ । ୫ ଯୁବକଙ୍କୁ ଗିରଫ କଲା ବୈଦ୍ୟନାଥପୁର ଥାନା ପୋଲିସ । ଏନେଇ ସୂଚନା ଦେଇଛନ୍ତି ଏସ୍‌ପି ସାର୍ଥକ ଷଡ଼ଙ୍ଗୀ । ଏସପିଙ୍କ କହିବା ଅନୁସାରେ ପୀଡ଼ିତା ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଜଣେ ଯୁବକ ତାଙ୍କୁ ଡାକିଥିଲେ । ପରେ ନିଶା ଦେଇ ଗଣଦୁଷ୍କର୍ମ କରିଥିଲେ ।

ଗିରଫ ହୋଇଥିବା ସମସ୍ତ ଯୁବକ ସାବାଳକ ଥିବା ଜଣା ପଡ଼ିଛି । ଏକ ଘରୋଇ ମେସ୍‌କୁ ଛାତ୍ରୀଙ୍କୁ ଡାକି ପ୍ରଥମେ ନିଶା ଦେଇଥିଲେ । ପରେ ଜଣଙ୍କ ପରେ ଜଣେ ଗଣଦୁଷ୍କର୍ମ କରିଥିଲେ ବୋଲି ଏସପି ସାର୍ଥକ ଷଡ଼ଙ୍ଗୀ କହିଛନ୍ତି ।

ଖବର ଅନୁସାରେ ବ୍ରହ୍ମପୁର ସହରରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ଗତ ୫ ତାରିଖରେ ହୋଇଥିଲା । ଘଟଣାଟି ଗତ ୩ ତାରିଖରେ ଘଟିଥିବା ବେଳେ ୫ ତାରିଖରେ ମାମଲା ଥାନାରେ ରୁଜୁ ହୋଇଥିଲା । ନିଶା ଦେଇ ଜଣେ ଯୁକ୍ତ ଦୁଇ ପଢ଼ୁଥିବା ନାବାଳିକା ଛାତ୍ରୀଙ୍କୁ ୮ ଜଣ ପୁରୁଷବନ୍ଧୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ୩ ଦିନ ତଳେ ଛାତ୍ରୀ ଜଣଙ୍କ ନିଜର ସହପାଠୀଙ୍କ ଘରକୁ ଯାଇଥିବା ବେଳେ ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଥିବା ନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହୋଇଥିଲା । ଘଟଣାରେ ୮ ଜଣଙ୍କୁ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଥିଲା । ତେବେ ବର୍ତ୍ତମାନ ସୁଦ୍ଧା ୫ ଜଣ ଗିରଫ ହୋଇଛନ୍ତି । ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏନେଇ ଅଧିକ ତଦନ୍ତ ଜାରି ରହିଛି।

By Nirvay

Leave a Reply

Your email address will not be published. Required fields are marked *