ଗୋଟିଏ ପଟେ ଗ୍ୟାସ ସଙ୍କଟ ଦେଖା ଦେଇଥିବା ବେଳେ ଅନ୍ୟ ପଟରେ ଏହାର କଳାବଜାରୀ ରୋକିବାକୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଏହି କ୍ରମରେ ଆଜି, ଖୋର୍ଦ୍ଧାର ସିଏସଓ ଜ୍ଞାନେନ୍ଦ୍ରିୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ସିଭିଲ୍ ସପ୍ଲାଏ ଏନଫୋର୍ସମେଣ୍ଟ ସ୍କ୍ୱାଡ, ବିଏମସିର ସିଭିଲ୍ ସପ୍ଲାଏ କର୍ମଚାରୀଙ୍କ ସହିତ, ଭୁବନେଶ୍ୱରର ସାମନ୍ତରାପୁର ଅଞ୍ଚଳରେ ଥିବା ତାରିଣୀ କାଠ ଦୋକାନରେ ଚଢ଼ାଉ କରିଥିଲା । କମିଶନରେଟ୍ ପୋଲିସ କର୍ମଚାରୀ ଏବଂ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ବେଆଇନ ଭାବରେ ଗଚ୍ଛିତ ଥିବା ମୋଟ ୧୦୭ଟି ଏଲପିଜି ସିଲିଣ୍ଡର ଜବତ କରାଯାଇଥିଲା, ଯେଉଁଥିରେ ୭୮ଟି ଘରୋଇ ସିଲିଣ୍ଡର, ୫ଟି ବାଣିଜ୍ୟିକ ସିଲିଣ୍ଡର ଏବଂ ୨୪ଟି ୫ କିଲୋଗ୍ରାମ ସିଲିଣ୍ଡର ଅନ୍ତର୍ଭୁକ୍ତ । କହିରଖୁଛୁ ଯେ, ରାଜ୍ୟରେ ଏଲପିଜି ଗ୍ୟାସ ଯୋଗାଣ ସ୍ୱାଭାବିକ ରହିଛି । ମାତ୍ର ବିଭିନ୍ନ କାରଣ ଦର୍ଶାଇ କିଛି କଳାବଜାରୀ ଓ ଅସାଧୁ ବ୍ୟକ୍ତି ବେଆଇନ ଭାବରେ ଗ୍ଯାସ ସିଲିଣ୍ଡର ମହଜୁଦ ରଖିବା ଖବର ସରକାରଙ୍କ ଦୃଷ୍ଟିକୁ ଆସିଛି । ଏହାକୁ ପ୍ରତିହତ କରିବା ପାଇଁ ଯୋଗାଣ ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ବିଭିନ୍ନ ଜିଲ୍ଲାରେ ଯୋଗାଣ ବିଭାଗ ଅଧିକାରୀ ମାନେ ଟିମ ମାନ ଗଠନ କରି ଏ ସମ୍ପର୍କିତ ଖବର ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ଯାଞ୍ଚ କରୁଛନ୍ତି । ଏହି ଟିମ ଗୁଡିକ ଦୈନିକ ଭିତ୍ତିରେ ବିଭାଗୀୟ ଅଧିକାରୀଙ୍କୁ ତଥ୍ୟ ପ୍ରଦାନ କରୁଛନ୍ତି । ପ୍ରତ୍ୟେକ ଜିଲ୍ଲାର ଯୋଗାଣ ଅଧିକାରୀ ମାନେ ସମ୍ପୃକ୍ତ ଜିଲ୍ଲାପାଳ ମାନଙ୍କ ତତ୍ତ୍ଵବଧାନରେ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରୁଛନ୍ତି । ଏ ଦିଗରେ କାର୍ଯ୍ୟନୁଷ୍ଠାନ ସ୍ୱରୂପ ଆଜି ପର୍ଯ୍ୟନ୍ତ ରାଜ୍ୟର ୩୦ଟି ଯାକ ଜିଲ୍ଲାର ୧୯୧୫ଟି ସ୍ଥାନରେ ଯାଞ୍ଚ କରାଯାଇଛି । ସେଥିମଧ୍ୟରୁ ୭୦୨ଟି ଗ୍ୟାସ ଏଜେନ୍ସି ଓ ୧୨୧୩ଟି ଅନ୍ୟ ସ୍ଥାନ ରହିଛି । ଏହି ସବୁ ସ୍ଥାନରୁ ୩୪୩୫ ସିଲିଣ୍ଡର ଜବତ କରାଯାଇଛି । ଏତଦବ୍ୟତୀତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଅଧିନିୟମ ଅନୁଯାୟୀ ୩୨୩ ମାମଲା ରୁଜୁ କରାଯିବା ସହ ୨୩ଟି ଏଫଆଇଆର ଦାଖଲ କରାଯାଇଛି। ଏପରିକି କଳାବଜାରୀ ଓ ବେଆଇନ୍ ସିଲିଣ୍ଡର ଗଛିତ ରଖିଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରାଯାଇଛି । Post navigation Sasmit Patra Resigns: ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଲେ ସସ୍ମିତ ପାତ୍ର Odisha CM Unveils Industrial Projects: ୪୦, ୮୧୧ କୋଟି ଟଙ୍କା ନିବେଶରେ ୩୬ଟି ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ