ପୁଣି ଭୁବନେଶ୍ୱରର ପ୍ରସିଦ୍ଧ ଶୈବ ପୀଠ ଲିଙ୍ଗରାଜ ମନ୍ଦିରରେ ବ୍ରାହ୍ମଣ ନିଯୋଗ ଓ ବଡୁ ନିଯୋଗ ବିବାଦ । ଆଜି ସକାଳ ୧୦ଟା ସାହାଣ ମେଲା ପରଠାରୁ ବନ୍ଦ ରହିଛି ନୀତିକାନ୍ତି । ମନ୍ଦିର କାର୍ଯ୍ୟନିର୍ବାହୀ ଓ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କଲେ ଉଭୟ ନିଯୋଗ । ଏହାର ପ୍ରମୁଖ କାରଣ ଗର୍ଭଗୃହ ଭିତରେ ରୂପା ଘୋଡ଼ଣୀକୁ କେନ୍ଦ୍ର କରି ବଡୁ ନିଯୋଗ ଓ ସୁଆର ନିଯୋଗ ମଧ୍ୟରେ ବିବାଦ ଦେଖିବାକୁ ମିଳିଛି। ଯାହା ଫଳରେ ଦୈନନ୍ଦିନ ରୀତିନୀତି ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଏହି ଘଟଣା ଭକ୍ତମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ସୃଷ୍ଟି କରିଛି। ଖବର ଅନୁସାରେ, ସକାଳୁ ନୀତି ଆରମ୍ଭ ସମୟରେ ହଠାତ୍ ଦୁଇ ନିଯୋଗ ମଧ୍ୟରେ କଥାକଟାକାଟି ଆରମ୍ଭ ହୋଇଥିଲା। କିଛି ସମୟ ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇ ମାରପିଟ ପର୍ଯ୍ୟନ୍ତ ପହଞ୍ଚିଥିବା କୁହାଯାଉଛି। ଏହି ଅପ୍ରତ୍ୟାଶିତ ଘଟଣା ଫଳରେ ଗର୍ଭଗୃହରେ ନୀତିକାନ୍ତି ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି। ବଡ଼ୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡ଼ୁ ସୁଆର ନିଯୋଗ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ତାଙ୍କ କହିବାନୁସାରେ, ସୁଆର ନିଯୋଗ ପକ୍ଷରୁ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଛି। ମହାପ୍ରଭୁଙ୍କ ରୁପା ଘୋଡ଼ଣିକୁ ସୁଆର ନିଯୋଗର ସେବାୟତମାନେ ଚୋରି କରି ନେଇଯାଉଥିବା ବେଳେ ବଡ଼ୁ ନିଯୋଗ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା। ଏହି ବିବାଦ ସମ୍ପର୍କରେ ଲିଙ୍ଗରାଜ ମନ୍ଦିର ପ୍ରଶାସନକୁ ତୁରନ୍ତ ଅବଗତ କରାଯାଇଛି। କମଳାକାନ୍ତ ବଡ଼ୁ ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବାରୁ ନୀତିକାନ୍ତି ସ୍ୱାଭାବିକ କରିବା ପାଇଁ ପ୍ରଶାସନ ପକ୍ଷରୁ ଆଲୋଚନା ଜାରି ରହିଛି। ଉଭୟ ପକ୍ଷ ଏହି ବିବାଦକୁ ନେଇ ଲିଙ୍ଗରାଜ ମନ୍ଦିର ପ୍ରଶାସନଙ୍କୁ ଜଣାଇଥିବା ସହ ଥାନାରେ ମୌଖିକ ଅଭିଯୋଗ ମଧ୍ୟ କରିଛନ୍ତି। ତେବେ ମନ୍ଦିର କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଜାରି କରିନାହାଁନ୍ତି, ଏବଂ ବିବାଦର ସମାଧାନ ଏବଂ ସାଧାରଣ ରୀତିନୀତି ପୁନଃ ଆରମ୍ଭ କରିବା ପାଇଁ ପ୍ରୟାସ ଜାରି ରହିଛି। Post navigation Old Commercial Vehicles Ban in Odisha: ବାହାର ରାଜ୍ୟର ପୁରୁଣା ବାଣିଜ୍ୟିକ ଗାଡ଼ି ମନା Azadnagar Explosion: ଭୁବନେଶ୍ବର ଆଜାଦନଗର ବିସ୍ଫୋରଣ ଘଟଣା; ତଦନ୍ତ କରିବ ଏନ୍ଆଇଏ