ଆଜି ବିଜୁ ଜନତା ଦଳ ପକ୍ଷରୁ ଆଜି କଟକର ମଙ୍ଗଳାବାଗ ପୋଲିସ ଷ୍ଟେସନରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ଏସସିବି ମେଡିକାଲ କଲେଜର ପୂର୍ବତନ ଅଧୀକ୍ଷକ ଡାକ୍ତର ଗୌତମ ଶତପଥୀଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି ।

ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣାରେ ଘୋର ଅପରାଧିକ ଅବହେଳା ପାଇଁ ଏଫଆଇଆର ରୁଜୁ ହୋଇଥିବା ଜଣାପଡିଛି। ଏହି ଘଟଣାରେ ୧୩ ଜଣ ରୋଗୀଙ୍କ ମୃତ୍ୟୁ, ଅନେକ ଗୁରୁତର ଆହତ ଏବଂ ସାର୍ବଜନୀନ ସମ୍ପତ୍ତିର କ୍ଷତି ହୋଇଛି। ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରାଯାଇଛି।

ହସ୍ପିଟାଲ ପରିସରରେ ଅଗ୍ନିକାଣ୍ଡ, ଓଡିଶାର ପ୍ରମୁଖ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ ମଧ୍ୟରୁ ଗୋଟିଏରେ ସୁରକ୍ଷା ପ୍ରୋଟୋକଲ, ଜରୁରୀକାଳୀନ ପ୍ରସ୍ତୁତି ଏବଂ ପ୍ରଶାସନିକ ଦାୟିତ୍ୱ ଉପରେ ଗମ୍ଭୀର ଚିନ୍ତା ସୃଷ୍ଟି କରିଛି।

ଅବହେଳା ଯୋଗୁଁ କେବଳ ନିର୍ଦ୍ଦୋଷ ଜୀବନ ନଷ୍ଟ ହୋଇନାହିଁ ବରଂ ସାର୍ବଜନୀନ ସମ୍ପତ୍ତିର ମଧ୍ୟ ଯଥେଷ୍ଟ କ୍ଷତି ହୋଇଛି। ବିଜେଡି ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରି କହିଛି ଯେ ପୀଡିତ ଏବଂ ସେମାନଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବା ପାଇଁ ସର୍ବୋଚ୍ଚ ସ୍ତରରେ ଦାୟିତ୍ୱ ସ୍ଥିର କରାଯିବା ଆବଶ୍ୟକ।

ଏହି ଘଟଣା ସାରା ରାଜ୍ୟରେ ବ୍ୟାପକ ଉତ୍ତେଜନା ସୃଷ୍ଟି କରିଛି, ଅଗ୍ନି ନିରାପତ୍ତା ବ୍ୟବସ୍ଥା ଏବଂ ହସ୍ପିଟାଲ ଭିତ୍ତିଭୂମିର ସାମଗ୍ରିକ ପରିଚାଳନାରେ ତ୍ରୁଟି ଉପରେ ପ୍ରଶ୍ନ ଉଠାଯାଉଛି।

ଅନ୍ୟପଟେ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ଜାରି। ଆଜି ବି ସମ୍ପୂର୍ଣ୍ଣ ଚାଲିପାରିଲାନି ପ୍ରଶ୍ନକାଳ। ଆରମ୍ଭରୁ ଗୃହ ମଧ୍ୟକୁ ଆସି ବିରୋଧୀ ସଦସ୍ୟ  ହୋହଲ୍ଲା ଓ ନାରାବାଜି କରିଥିଲେ। ଏସ୍‌ସିବି ମେଡିକାଲ ପୋଡ଼ି ପ୍ରସଙ୍ଗ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗୃହରେ ହଟ୍ଟଗୋଳ ଏବଂ ନାରାବାଜି ଚାଲିଛି ।

Leave a Reply

Your email address will not be published. Required fields are marked *