India & European Union exchange historic Free Trade Agreement
ଭାରତ-ୟୁରୋପୀୟ ସଂଘ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ହୋଇଛି । ଏହି ଚୁକ୍ତି ଫଳରେ ୨୭ଟି ୟୁରୋପୀୟ ଦେଶ ସହ ଭାରତ କୌଣସି ପ୍ରତବନ୍ଧକ ନଥାଇ ଖୋଲାଖୋଲି ବ୍ୟବସାୟ କରିପାରିବ ।
 
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ମହାମହିମ ଆଣ୍ଟୋନିଓ କୋଷ୍ଟା ଏବଂ ୟୁରୋପୀୟ ଆୟୋଗର ଅଧ୍ୟକ୍ଷା ମହାମହିମ ଉର୍ସୁଲା ଭନ୍ ଡର୍ ଲିଏନ୍ ଙ୍କ ସହ ଆଜି ନୂଆଦିଲ୍ଲୀରେ ଷୋଡ଼ଶ ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀର ସହ-ଅଧ୍ୟକ୍ଷତା କରିଥିଲେ ।
 
ଜାତିସଂଘର ବ୍ୟବସ୍ଥାକୁ ଆଧାର କରି, ଗଣତନ୍ତ୍ର, ମାନବାଧିକାର, ବହୁଳତାବାଦ, ଆଇନର ଶାସନ ଏବଂ ନିୟମ-ଭିତ୍ତିକ ଅନ୍ତର୍ଜାତୀୟ ବ୍ୟବସ୍ଥା ସମେତ ସହଭାଗୀ ମୂଲ୍ୟବୋଧ ଏବଂ ନୀତି ଉପରେ ଆଧାରିତ ଭାରତ- ୟୁରୋପୀୟ ସଂଘ ରଣନୀତିକ ସହଭାଗୀତାକୁ ଉଚ୍ଚ ସ୍ତରକୁ ଉଠାଇବା ପାଇଁ ପାରସ୍ପରିକ ପ୍ରତିବଦ୍ଧତାକୁ ରେଖାଙ୍କିତ କରିଥିଲେ ।
 
ସେମାନେ ସୁରକ୍ଷା ବିପଦର ମୁକାବିଲା, ସମାବେଶୀ ଓ ଦୀର୍ଘସ୍ଥାୟୀ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା, ଆର୍ଥିକ ସ୍ଥିରତା ଓ ସୁରକ୍ଷାକୁ ସୁଦୃଢ଼ ​​କରିବା, ଜଳବାୟୁ ଓ ଜୈବ ବିବିଧତା କାର୍ଯ୍ୟକୁ ଆଗକୁ ବଢାଇବା ଏବଂ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ଉପରେ ପ୍ରଗତିକୁ ତ୍ୱରାନ୍ୱିତ କରିବା ନେଇ ଆଲୋଚନା କରିଥିଲେ ।
 
ଐତିହାସିକ ଭାରତ-ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ରାଜିନାମା ଭାରତ-ୟୁରୋପୀୟ ସଂଘ ରଣନୀତିକ ସହଭାଗୀତାରେ ଏକ ମାଇଲଖୁଣ୍ଟ ଯାହା ଦ୍ୱିପାକ୍ଷିକ ବାଣିଜ୍ୟ ଓ ନିବେଶ ସମ୍ପର୍କକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ । ଏଥିସହିତ ସହଭାଗୀ ସମୃଦ୍ଧିକୁ ଆଗେଇ ନେବ, ସ୍ଥିର ଓ ବିବିଧ ଯୋଗାଣ ଶୃଙ୍ଖଳକୁ ମଜବୁତ କରିବ ଏବଂ ନିରନ୍ତର ଏବଂ ସମାବେଶୀ ବିକାଶକୁ ସମର୍ଥନ କରିବ ।
 
ଏହା ଉଭୟ ପକ୍ଷ ମଧ୍ୟରେ ପ୍ରଥମ ଏପରି ପ୍ରମୁଖ ପ୍ରତିରକ୍ଷା ଏବଂ ସୁରକ୍ଷା ଢାଞ୍ଚା ଯାହା ସାମୁଦ୍ରିକ ସୁରକ୍ଷା, ପ୍ରତିରକ୍ଷା ଶିଳ୍ପ ଓ ପ୍ରଯୁକ୍ତିବିଦ୍ୟା, ସାଇବର ଓ ହାଇବ୍ରିଡ୍ ବିପଦ, ମହାକାଶ ଓ ଆତଙ୍କବାଦ ବିରୋଧୀ କ୍ଷେତ୍ରରେ ସମ୍ପର୍କକୁ ଆହୁରି ଘନିଷ୍ଠ କରିବ ।
 
କହିରଖୁଛୁ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ, ୟୁରୋପୀୟ ପରିଷଦର ଅଧ୍ୟକ୍ଷ ମହାମହିମ ଆଣ୍ଟୋନିଓ କୋଷ୍ଟା ଏବଂ ୟୁରୋପୀୟ ଆୟୋଗର ଅଧ୍ୟକ୍ଷା ମହାମହିମ ଉର୍ସୁଲା ଭନ୍ ଡର୍ ଲିଏନ୍ ୭୭ତମ ସାଧାରଣତନ୍ତ୍ର ଦିବସ ସମରୋହରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବା ପାଇଁ ୨୫-୨୭ ଜାନୁଆରୀ ୨୦୨୬ ରେ ଭାରତ ଗସ୍ତ କରିଥିଲେ । ଅଧ୍ୟକ୍ଷ କୋଷ୍ଟା ଏବଂ ଅଧ୍ୟକ୍ଷା ଭନ୍ ଡର୍ ଲିଏନଙ୍କ ସହିତ ବୈଦେଶିକ ବ୍ୟାପାର ଏବଂ ସୁରକ୍ଷା ନୀତିର ଉଚ୍ଚସ୍ତରୀୟ ପ୍ରତିନିଧି କାଜା କାଲାସ୍ ଏବଂ ବାଣିଜ୍ୟ କମିଶନର ମାରୋସ୍ ସେଫ୍କୋଭିଚଙ୍କ ସମେତ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ ଉପସ୍ଥିତ ଥିଲେ ।

By Nirvay

Leave a Reply

Your email address will not be published. Required fields are marked *