ଆଜି ପବିତ୍ର ଗଜଲକ୍ଷ୍ମୀ ପୂଜା ଓ କୁମାର ପୂର୍ଣ୍ଣିମା । ଏହି ଅବସରରରେ ଗାଁ ଠାରୁ ସହର ସବୁଠି ଚଳଚଞ୍ଚଳ ଓ ଉତ୍ସବମୁଖର ପରିବେଶ ଲାଗିରହିଛି । ସବୁଠି ଆଧ୍ୟାତ୍ମିକତାର ପରିବେଶ । ପୂର୍ଣ୍ଣ ଚନ୍ଦ୍ରର ଆଲୋକମାଳାରେ ଆଶିଷ ବାଢ଼ିବା ପାଇଁ ଧରାକୁ ଓହ୍ଲାଇବେ ମା’ ଗଜଲକ୍ଷ୍ମୀ । ସନ୍ଧ୍ୟାରେ କଳସ ଯାତ୍ରା ଆରମ୍ଭ ହେବାପରେ ମା’ଙ୍କ ପୂଜା ଆରମ୍ଭ ହେବ । ସାରା ରାଜ୍ୟ ସୌଭାଗ୍ୟ, ସୌନ୍ଦର୍ଯ୍ୟ ଓ ସମ୍ପଦର ଅଧିଷ୍ଠାତ୍ରୀ ଦେବୀ ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ପାଇଁ ଉତ୍ସବ ମୁଖର ହୋଇ ଉଠିଛି । ପୂଜା ପାଇଁ ପ୍ରସିଦ୍ଧ ଢେଙ୍କାନାଳ, ତାଳଚେର, କେନ୍ଦ୍ରାପଡ଼ା ଓ ଅନୁଗୁଳରେ ତୋରଣ ସାଙ୍ଗକୁ ଲାଇଟ ଗେଟ ସହରର ସୌନ୍ଦର୍ଯ୍ୟକୁ ବୃଦ୍ଧି କରୁଛି । ପ୍ରତ୍ୟେକ ବର୍ଷ ଆଶ୍ୱିନ ମାସ ପୂର୍ଣ୍ଣମୀ ତିଥିରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଥାଏ ଏବଂ କୁମାରୋତ୍ସବ ପାଳିତ ହୁଏ । ଭାଦ୍ରବ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥିବା ଜହ୍ନି ଓଷା ଆଜି ଉଦ୍ଯାପିତ ହୁଏ । କୁମାରୀମାନଙ୍କ ପାଇଁ ଏହା ଏକ ବଡ ଉତ୍ସବର ଦିନ ହୋଇଥାଏ । ଭୋଗ ପାଇଁ ଖଇ, ନଡ଼ିଆ, କଦଳୀ, ଛେନା, ଦହି, ଗୁଡ଼ ଇତ୍ୟାଦି ପଡ଼ି ଏକ ଚକଟା ପ୍ରସ୍ତୁତ କରାଯାଇଥାଏ । ଏହି ଚକଟାକୁ ଅବିକଳ ଚନ୍ଦ୍ରଙ୍କ ଭଳି କରାଯାଇଥାଏ । କୁମାର ପୂର୍ଣ୍ଣିମା ଦିନ କୁମାରୀମାନେ ସକାଳୁ ଗାଧୋଇ ନୂଆ ବସ୍ତ୍ର ପରିଧାନ କରି ଆଞ୍ଜୁଳି ଟେକି ସୂର୍ୟ୍ୟଙ୍କୁ ପ୍ରଣାମ କରନ୍ତି । ସନ୍ଧ୍ୟା ବେଳେ ଜହ୍ନ ଉଇଁଲେ ଚଉଁରା ମୂଳରେ ବନ୍ଦାପନା କରି ପୂଜା ଶେଷ ହେବାପରେ ଚାନ୍ଦ ଭୋଗ ଖାଆନ୍ତି । ଏହି ଦିନ, କ୍ଷୀରିକୁ ରାତିସାରା ଖୋଲା ଆକାଶ ତଳେ ଚନ୍ଦ୍ର କିରଣରେ ରଖାଯାଏ ଏବଂ ତା’ପରଦିନ ସକାଳେ ସେବନ କରାଯାଏ । ବିଶ୍ୱାସ କରାଯାଏ ଯେ ଶରଦ ପୂର୍ଣ୍ଣିମା ରାତିରେ ଚନ୍ଦ୍ରର କିରଣରୁ ଅମୃତ ବର୍ଷା ହୋଇଥାଏ । ତେଣୁ ଯେତେବେଳେ ଚନ୍ଦ୍ର ଆଲୋକ କ୍ଷୀରି ଉପରେ ପଡେ, ସେହି କ୍ଷୀରି ଅମୃତ ସମାନ ଗୁଣରେ ପରିଣତ ହୁଏ । କାଲିଠାରୁ ପବିତ୍ର କାର୍ତ୍ତିକ ମାସ ଆରମ୍ଭ ହୋଇଯିବ । କାର୍ତ୍ତିକ ମାସକୁ ଶାସ୍ତ୍ରରେ ଏକ ପୁଣ୍ୟ ମାସ ଭାବେ ବର୍ଣ୍ଣନା କରାଯାଇଛି । Post navigation କଟକ ଭସାଣି ସମୟରେ ଅଶାନ୍ତି ଘଟଣା: ୮ ଗିରଫ ଖରିଆର୍ ରୋଡ୍କୁ ମ୍ୟୁନିସିପାଲିଟି ଏବଂ କୋମନା ଓ ସିନାପାଲି ନୂତନ ଏନ୍.ଏ.ସି ଘୋଷଣା କଲେ ମୁଖ୍ୟମନ୍ତ୍ରୀ