ହଜାର ଥର କହି ସାରିଲୁଣି ଯେ, ମୋହନ ସରକାର କାହିଁକି ନବୀନ ସରକାରଙ୍କ ପାପ ବୋଝ ମୁଣ୍ଡେଇବାକୁ ସୁଖ ପାଉଚନ୍ତି ? ପଦ୍ମ ସରକାରଙ୍କୁ ଯଦି ସୁଖ ଲାଗୁଚି ତେବେ ଆମେ କ’ଣ କରିପାରିବା ? ପୁଣି ଥରେ କହୁଚୁ ଯେ, ଅନ୍ୟ କାହାର ପାପକୁ ମୁଣ୍ଡେଇଲେ ବାମ୍ଫ ନବା ଥୟ।

ଦେଖୁନାହାଁନ୍ତି ଶଙ୍କର ପୃଷ୍ଟି କଥା । ବେଟା ନିରୁତା ଶଙ୍ଖ ଦଳିଆଟା । ହିଞ୍ଜିଳି ବିଧାୟକ ଥିଲେ ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ବାବୁ । ତାଙ୍କର ଯିଏ ଡାହାଣ ହାତ ଶରତ ମହାପାତ୍ରଙ୍କ ଟିଙ୍କ ଥିଲେ ଶଙ୍କର । ଗଞ୍ଜାମରୁ ଯାଇ ରାୟଗଡା ଯାଏଁ ଶଙ୍କରଙ୍କ ଅଭୂତ ଖାତିର। ପୁଲିସବାଲା ବି ତାଙ୍କୁ ସାଲୁଟ୍ ମାରନ୍ତି । ଏମିତି ପାଓ୍ବାରଫୁଲ ଥିଲେ ଶଙ୍କର,ଜଣେ ସରପଞ୍ଚ ହତ୍ୟାକାଣ୍ଡରେ ଅଭିଯୁକ୍ତ ଥାଇ ବି କିଛି ହେଲାନି । ପୁଲିସ ଚାର୍ଜସିଟରୁ ନାଁ କାଟି ଦେଲା । ସେତେବେଳେ ଯେତେ ପରୀକ୍ଷା ବିଭ୍ରାଟ ହଉଥିଲା ଏବାବୁଙ୍କର ହାତ ଥିଲା । କିନ୍ତୁ ତାଙ୍କ ଲାଙ୍ଗୁଡରେ କିଏ ବା ହାତ ମାରି ପାରିବ ? କୋଟିକୋଟି ଟଙ୍କା ସମ୍ପତ୍ତିର ମାଲିକ ଶଙ୍କର ପୃଷ୍ଟି । ୨୦୧୭ରୁ ୨୪ ଯାଏଁ ବାବୁଙ୍କର କି ପ୍ରଭାବ !

ନିର୍ବାଚନ ଆସୁଆସୁ ପାଣିପାଗ ଦେଖି ଅପରାଧୀ ଶଙ୍କର ରଙ୍ଗ ବଦଳେଇ ଦେଲା। ସବୁଜ ଛାଡି ଗେରୁଆ ପିନ୍ଧିଲା । ଶଙ୍ଖ ଫିଙ୍ଗି ଦେଇ ପଦ୍ମ ଧରିଲା । ଗୋଟାପଣେ ତୁଳସୀ ପାଲଟି ଗଲା । ଏହି ପରୀକ୍ଷା ମାଫିଆକୁ ପଦ୍ମ ଦଳିଆ ଦଳକୁ ଆଣିଲେ କେମିତି ?

ହିଞ୍ଜିଳିରେ ପଦ୍ମ ଦଳରୁ ଯଉଁ ପାଣିଗ୍ରାହୀ ବାବୁ ଠିଆ ହେଇଥିଲେ, ଶଙ୍କର ତାଙ୍କ ଲୋକ ବି ପାଲଟି ଗଲା। ପୁଲିସ ଏସଆଇ ନିଯୁକ୍ତି ସ୍କାମର ଦଲାଲ ସର୍ଦ୍ଦାର ହଉଚି ଶଙ୍କର ପୃଷ୍ଟି । ତାଙ୍କ ପଞ୍ଚସଫ୍ଟ କମ୍ପାନୀକୁ ବାଛିଲା କିଏ ? ଚର୍ଚ୍ଚା ହଉଚି ଯେ, ଯଉଁ ପୁଲିସ ବ୍ୟବସ୍ଥାରେ ଶଙ୍କର ଖାତିର ପାଇଥିଲା, ସେହି ବ୍ୟବସ୍ଥା ତ ଅଛି ! ମୋହନ ଭାଇଙ୍କୁ ପୁରୁଣା ବ୍ୟବସ୍ଥା ଭଲ ଲାଗୁଚି । ଏମିତି ଜଣେ ଡିଜିପି ପାଇଚନ୍ତି ଯାହା କିଛି ବଡ଼ ବାବୁଙ୍କୁ ସୁହାଉଚି । ଏଣୁ ଗୁଣ ଚିହ୍ନେ ଗୁଣିଆ ପରି ଦଲାଇ ଶଙ୍କରଙ୍କ ସଂସ୍ଥାକୁ ଏସ୍ଆଇ ପରୀକ୍ଷାରେ ସହଯୋଗ କରିବା ଲାଗି କୌଣସି ଜଣେ ପୁଲିସ ବଡ଼ ବାବୁ ସୁପାରିସ କରିଚନ୍ତି।

ଶଙ୍କର ଖସି ପଳାଇଲା କେମିତି ? ଚର୍ଚ୍ଚା ବି ହଉଚି ଯେ, ଦଲାଲ ଗ୍ରୁପ୍‌ରେ ସାମିଲ ଥିବା ଜଣେ ପୁଲିସ ବଡ଼ ବାବୁ ଆଗୁଆ ଖବର ଦବାରୁ ଶଙ୍କର ପାର୍ । ତାଙ୍କ ମୁଣ୍ଡ ଉପରେ ଶଙ୍ଖର କରୁଣା ଅଛି । ପଦ୍ମର କରୁଣା ବି ଥାଇପାରେ । ତେଣୁ ତମେ ଗୁହାରୀ କରିବ କାହାକୁ ? ବଡ଼ ବାବୁ ମାନେ ଜାଣିଛନ୍ତି ଯେ,ଶଙ୍କର ଟଣା ହେଲେ ସେମାନଙ୍କ ଚେହେରା ଉପରୁ ପରଦା ଖସିଯିବ । ତେଣୁ ବ୍ୟାପମ୍ ପରି ଏଠି ବି ଅନେକ ଅଘଟଣ ଆଶଙ୍କାକୁ ଏଡ଼ାଇ ଦିଆଯାଇପାରୁ ନାହିଁ । ଭଗବାନ ଶଙ୍କରକୁ ସୁରକ୍ଷା ଦିଅନ୍ତୁ, କିଛି ହାରାମିଙ୍କୁ ସୁରକ୍ଷିତ ରହିବା ପାଇଁ।

Leave a Reply

Your email address will not be published. Required fields are marked *