ମା ଦୁର୍ଗାଙ୍କ ପବିତ୍ର ମହାନବମୀ ଅବସରରେ କଟକ ସହରର ବିଭିନ୍ନ ପୂଜା ମଣ୍ଡପ ବୁଲି ପୂଜାର୍ଚ୍ଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ ଆଜି ପ୍ରଥମେ କଟକର ପୋତାପୋଖରୀ ପୂଜାମଣ୍ଡପରେ ପହଞ୍ଚି ମାଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ସେଠାରେ ମା’ଙ୍କୁ ପ୍ରାର୍ଥନା କରି ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ଅବସରରେ ତାଙ୍କ ସହ କଟକ ସଦର ବିଧାୟକ ପ୍ରକାଶ ସେଠୀ ମଧ୍ୟ ଉପସ୍ଥିତ ଥିଲେ। ବିଭିନ୍ନ ପୂଜାମଣ୍ଡପ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆଜି ଗୋପାଳପୁର, ଚାଉଳିଆଗଞ୍ଜ, ଖାନନଗର ଭଳି କଟକର ୩୩ଟି ପୂଜାମଣ୍ଡପ ପରିଦର୍ଶନ କରିପାରନ୍ତି ମୁଖ୍ୟମନ୍ତ୍ରୀ। ଏହା ପରେ ମୁଖ୍ୟମନ୍ତ୍ରୀ ନିଜ ସୋସିଆଲ ମିଡ଼ିଆ ମାଧ୍ୟମରେ କହିଛନ୍ତି ଶାରଦୀୟ ଦୁର୍ଗା ପୂଜା ଅବସରରେ କଟକ ଗସ୍ତ କରି ବିଭିନ୍ନ ପୂଜା ମଣ୍ଡପରେ ଜଗତଜନନୀ ମା’ଦୁର୍ଗାଙ୍କ ଦର୍ଶନ କରିବା ସହ ଆଶିଷ ଲାଭ କଲି ଓ ରାଜ୍ୟବାସୀଙ୍କ ମଙ୍ଗଳ କାମନା କଲି । କଟକ ହେଉଛି ଭାଇଚାରାର ସହର ଓ ଏଠି ସବୁବେଳେ ଶାନ୍ତି ଶୃଙ୍ଖଳା ବଜାୟ ରହେ । ଦଶହରା ହେଉଛି ଏକତାର ସମ୍ବଳ ଓ ସାରା ଓଡିଶାକୁ କଟକ ସହର ଏକତାର ମନ୍ତ୍ର ଦେଇଥାଏ ।ଏଠାରେ ସମସ୍ତଙ୍କ ସହଯୋଗରେ ଦୁର୍ଗା ପୂଜା ଆମ ସଂସ୍କୃତି ଏବଂ ଓଡ଼ିଆ ଅସ୍ମିତାର ଅନନ୍ୟ ନିଦର୍ଶନ । କଟକର ଦୁର୍ଗା ପୂଜାରେ ସାମିଲ ହେବା ଏକ ଦିବ୍ୟ ଅନୁଭବ । ସମସ୍ତଙ୍କ ଉପରେ ମା’ ଦୁର୍ଗାଙ୍କ କୃପା ରହିଥାଉ। Post navigation ବୈଜୟନ୍ତ ପଣ୍ଡାଙ୍କୁ ସିଲେକ୍ଟ କମିଟି ଅଧ୍ୟକ୍ଷ ଦାୟିତ୍ୱ