ରାଜ୍ୟରେ ବଦଳୁଛି ପାଣିପାଗ । ଦିନରେ ଗୁଳୁଗୁଳି ଅପରାହ୍ନରେ କାଳବୈଶାଖୀ । ଆସନ୍ତା ମେ ୨୨ତାରିଖ ବେଳକୁ ଆରବସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ମେ’ ୨୧ସୁଦ୍ଧା ପୂର୍ବ-କେନ୍ଦ୍ରୀୟ ଆରବସାଗର ଏବଂ କର୍ଣ୍ଣାଟକ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ସମ୍ଭାବ୍ୟ ଘୂର୍ଣ୍ଣିବଳୟ ୨୨ତାରିଖ ବେଳକୁ ପୂର୍ବ-କେନ୍ଦ୍ରୀୟ ଆରବସାଗର ଏବଂ କର୍ଣ୍ଣାଟକ ଉପକୂଳରେ ଲଘୁଚାପରେ ପରିଣତ ହେବ। ଆଜି ବି କାଳବୈଶାଖୀ ବର୍ଷା ହେବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ । ଏନେଇ ମାଲକାନଗିରି ,କୋରାପୁଟ, ରାୟଗଡା,ନବରଙ୍ଗପୁର, ଗଂଜାମ , ଗଜପତି, ନୂଆପଡା, ମୟୁରଭଞ୍ଜ, ବାଲେଶ୍ୱର,ଭଦ୍ରକ, ଢେଙ୍କାନାଳ, ଯାଜପୁର ,କେନ୍ଦୁଝର ଝାରସୁଗୁଡା ଓ ସୁନ୍ଦରଗଡ ଭଳି ୧୫ ଜିଲ୍ଲାକୁ ବିଜୁଳି ଘଡଘଡି ସହ ହାଲୁକରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଗତ ଦୁଇଦିନ ହେଲା ରାଜ୍ୟରେ କାଳବୈଶାଖୀ ପ୍ରଭାବରୁ ତାପମାତ୍ରା ସାମାନ୍ୟ କମିଛି । ଅନେକ ସହରରେ ଦିନର  ତାପମାତ୍ରା ୪୦ଡିଗ୍ରୀ ତଳକୁ ଖସିଛି। ସମ୍ବଲପୁରରେ ପାରଦ ୩୯.୮ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଖୋର୍ଦ୍ଧା, ବଲାଙ୍ଗିର, ବରଗଡ ଏବଂ ଟିଟିଲାଗଡରେ ୩୯.୫ଡିଗ୍ରୀ ଲେଖାଏଁ, ନୂଆପଡା, ବୌଦ୍ଧ ଏବଂ ସୁବର୍ଣ୍ଣପୁରରେ ୩୯ଡିଗ୍ରୀ ଲେଖାଏଁ ରହିଛି । ଭୁବନେଶ୍ୱର  ୩୮.୪ ଏବଂ କଟକରେ ୩୬.୬ଡିଗ୍ରୀ ସେଲସିୟସ ରହିଛି।

ଆସନ୍ତା ୨୪ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ବଲାଙ୍ଗିର, କୋରାପୁଟ, ରାୟଗଡା ଏବଂ ଗଜପତି ଜିଲାକୁ କାଳବୈଶାଖୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଉପରୋକ୍ତ ଜିଲ୍ଲାଗୁଡିକ ମଧ୍ୟରୁ କିଛି ଅଞ୍ଚଳରେ ଘଣ୍ଟାପ୍ରତି ୩୦ରୁ ୪୦କି.ମି ବେଗରେ ପବନ ବହିପାରେ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *