ଦୀଘା ଜଗନ୍ନାଥ ମନ୍ଦିର ‘ଜଗନ୍ନାଥ ଧାମ’ ନୁହେଁ । ପୁରୀ ବ୍ୟତୀତ ଆଉ କେଉଁଠି ଜଗନ୍ନାଥ ଧାମ, ଶ୍ରୀପୁରୁଷୋତ୍ତମ କ୍ଷେତ୍ର, ଶ୍ରୀକ୍ଷେତ୍ର କୁହାଯାଇ ପାରିବନି କି ଲେଖାଯାଇ ପାରିବ ନାହିଁ । ପ୍ରେସ୍ ରିଲିଜ୍ ଜରିଆରେ ସ୍ପଷ୍ଟ କରିଛନ୍ତି ଗଜପତି ମହାରାଜା । ମୁକ୍ତି ମଣ୍ଡପ ମତକୁ ଆଧାର କରି ମତ ରଖିଲେ ଗଜପତି ମହାରାଜା

ଗଜପତି କହିଛନ୍ତି, ପଶ୍ଚିମବଙ୍ଗ ଦୀଘାଠାରେ ନବନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ବା ଜଗନ୍ନାଥ ଧାମ ସାଂସ୍କୃତିକ କେନ୍ଦ୍ର ଭାବରେ ନାମିତ କରାଯିବା ଗଣମାଧ୍ୟମରୁ ଜାଣିବାକୁ ପାଇଲୁ । ଏ ନେଇ ମୁକ୍ତି ମଣ୍ଡପ ସହିତ ବିଚାରବିମର୍ଶ କରାଯାଇଛି । ମୁକ୍ତି ମଣ୍ଡପ ସଭା ଉଲ୍ଲେଖ କରିଛନ୍ତି ଯେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମୂଳପୀଠ ହେଉଛି ପୁରୁଷୋତ୍ତମ କ୍ଷେତ୍ର ।

ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଚତୁର୍ଦ୍ଧାମୂର୍ତ୍ତୀ ବିଗ୍ରହଙ୍କର ଶାସ୍ତ୍ରୀୟ ଅନୁସାରେ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ତାହା ଜଗନ୍ନାଥ ଧାମ, ଶ୍ରୀପୁରୁଷୋତ୍ତମ କ୍ଷେତ୍ରଶ୍ରୀକ୍ଷେତ୍ର କିମ୍ବା ନୀଳାଚଳ ଧାମ ଭାବରେ ନାମିତ କରାଯାଇପାରିବ ନାହିଁ । ଅନ୍ୟ କୌଣସି ସ୍ଥାନ କିମ୍ବା ମନ୍ଦିର ନୁହେଁ, କେବଳ ପୁରୀ ହିଁ କାହିଁକି ଜଗନ୍ନାଥ ଧାମ ତାହା ସରଳ ପଠନ ଦ୍ୱାରା ସ୍ପଷ୍ଟ ହୋଇପାରିବ । କେବଳ ସ୍କନ୍ଧ ପୁରାଣ ନୁହେଁ, ବ୍ରହ୍ମ ପୁରାଣ, ନୀଳାଦ୍ରୀ ମହୋଦୟ ଏବଂ ଅନ୍ୟାନ୍ୟ ପବିତ୍ର ଓ ପ୍ରାଚୀନ ଶାସ୍ତ୍ରରେ ଏହା ସ୍ପଷ୍ଟଭାବରେ ଲେଖା ଅଛି ।

ମୁକ୍ତିମଣ୍ଡପ ପଣ୍ଡିତ ସଭା ଆହୁରି ସ୍ପଷ୍ଟ କରିଛନ୍ତି ଯେ ମହାପ୍ରଭୁଙ୍କ ଶ୍ରୀବିଗ୍ରହ ଦାରୁ ବ୍ୟତୀତ ଅନ୍ୟ କୌଣସି ଧାତୁ ବା ଶାଳୀରେ ନିର୍ମାଣ କରି ପୂଜା କରିବା ଉଚିତ୍ ନୁହେଁ । ସେହିପରି ଶ୍ରୀମନ୍ଦିର ବ୍ୟତୀତ ଅନ୍ୟ କୌଣସି ଜଗନ୍ନାଥ ମନ୍ଦିରରେ ପ୍ରତିଷ୍ଠିତ ଶ୍ରୀବିଗ୍ରହମାନଙ୍କୁ ସମର୍ପଣ କରାଯାଇଥିବା ନୈବେଦ୍ୟକୁ ଶ୍ରୀମହାପ୍ରସାଦ କୁହାଯିବ ଶାସ୍ତ୍ର ସମ୍ମତ ନୁହେଁ । ଯଦି ଏହାକୁ ଅବମାନନା କରାଯାଏ ତେବେ ଏହା ଜଗନ୍ନାଥ ପ୍ରେମୀଙ୍କ ଭାବନାକୁ ଆଘାତ ଦେବ ବୋଲି ଗଜପତି କହିଛନ୍ତି ।

Leave a Reply

Your email address will not be published. Required fields are marked *