ତୃତୀୟ ଦିନରେ ପହଁଚିଲା ମିଶନ ଶକ୍ତି ମାଙ୍କ ଆନ୍ଦୋଳନ। ମିଶନ ଶକ୍ତି ଅଧିନରେ ୬ଟି କ୍ୟାଡ଼ରରେ କାମ କରୁଥିବା ସିଆରପି, ଏମବିକେ, ପ୍ରାଣୀମିତ୍ର, କୃଷି ମିତ୍ର, ବ୍ୟାଙ୍କ ମିତ୍ର, ଏଲଏସପି ମାନେ ୯ ମାସର ବକେୟା ଦରମା ଦାବିରେ ଲୋୟର ପିଏମଜିରେ ଧାରଣାରେ ବସି ରହିଛନ୍ତି । କିନ୍ତୁ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା ବି କରି ନାହାନ୍ତି ରାଜ୍ୟ ସରକାର। ସରକାର ନ ଶୁଣିବା ଯାଏଁ ଏଠି ପଡି ରହିବେ ପଛେ, ହେଲେ ଆଦୌ ହଟିବେ ନାହିଁ ବୋଲି ଖୋଲାଖୋଲି ଚେତାବନୀ ଦେଇଛନ୍ତି ମିଶନ ଶକ୍ତି ମହିଳା। ଏହା ସହ ବିଜୁ ଶ୍ରମିକ ସାମୁଖ୍ୟ ସହ ଅନୁବନ୍ଧିତ ଜିପିଏଲଫ ମିଶନଶକ୍ତି କର୍ମୀ ସଂଘ ଆଜି ବିଧାନସଭା ଘେରାଉ କରିଛି ।

ଅନ୍ୟପଟେ ମିଶନଶକ୍ତି ମହିଳାଙ୍କ ଆନ୍ଦୋଳନରେ ବିଜେଡି ଓ କଂଗ୍ରେସ ବିଧାୟକ ଆନ୍ଦୋଳନରେ ସାମିଲ ହୋଇ ସରକାରଙ୍କ ବିରୋଧରେ ସ୍ବର ଉଠାଇବା ଦେଖିବାକୁ ମିଳିଛି । ସେହିପରି ଆଜି ମିଶନଶକ୍ତି ମହିଳାଙ୍କ ପାଖରେ ପହଞ୍ଚିଛନ୍ତି ବରିଷ୍ଠ ନେତା ସୁର ରାଉତରାୟ । ମୋହନ ସରକାରଙ୍କୁ ମହିଳାଙ୍କ ଦରମା ଦେବାକୁ ତାଗିତ କରିବା ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ‘ଅଲାଜୁକୀ’ କହିଲେ ସୁର ରାଉତରାୟ । ସେ କହିଛନ୍ତି ହଜାର ହଜାର ମା, ଭଉଣୀମାନେ ଦିନ ରାତି ଏ ଶୀତ କାକରରେ ବିଭିନ୍ନ ଅସୁବିଧାରେ ରାଜରାସ୍ତାରେ ବିତାଉଛନ୍ତି। ୯ ମାସର ବକେୟା ଦରମା ଦାବିରେ ଏଠି ବସିଛନ୍ତି । କିନ୍ତୁ ସରକାର କଣ ପାଇଁ ଦରମା ଦେଉନାହାନ୍ତି । ମିଶନ ଶକ୍ତି ମାଆ ମାନଙ୍କୁ ଦରମା ଦିଅ ବୋଲି ତାଗିତ କରିଛନ୍ତି ବରିଷ୍ଠ ନେତା ସୁର ରାଉତରାୟ ।

Leave a Reply

Your email address will not be published. Required fields are marked *