ଆଜି ବିଧାନସଭା ଗୃହରେ ଉଠିଲା ନକଲି ସୁନା ବିକ୍ରି ପ୍ରସଙ୍ଗ। ରାଜ୍ୟରେ କିଏ ନକଲି ସୁନା ବିକୁଛନ୍ତି ଏବଂ କାହା ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ତାହାର ସବିଶେଷ ତଥ୍ୟ ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ରାଜ୍ୟର ୫ ଅଳଙ୍କାର ଦୋକାନୀ ବିକୁଥିଲେ ନକଲି ସୁନା । ନକଲି ହଲମାର୍କ ସୁନା ବିକ୍ରି କରୁଥିବା ଅଭିଯୋଗରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅମ୍ବିକା ଜୁଏଲର୍ସ ବିରୁଦ୍ଧରେ କୋର୍ଟରେ ମାମଲା ପଞ୍ଜିକୃତ ହୋଇଛି । ସେହିପରି ଜଗତସିଂହପୁର ଜିଲ୍ଲା କୁଜଙ୍ଗର ରାଜଶ୍ରୀ ଜୁଏଲର୍ସ, ପୁରୀର ସୁନା ଏବଂ ଚାନ୍ଦି, ସମ୍ବଲପୁରର ଅଳଙ୍କାର ଜୁଏଲର୍ସ ଏବଂ ବରଗଡ଼ର ରାଧାକାନ୍ତ ଜୁଏଲର୍ସର ଲାଇସେନ୍ସ ବାତିଲ କରାଯାଇଛି ।
ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଉ ମଧ୍ୟ କହିଛନ୍ତି ୨୦୨୨-୨୩ରେ ମାପକରେ ତ୍ରୁଟି ଯୋଗୁଁ ୬ଟି ମାମଲା ରୁଜୁ କରାଯାଇଥିବାବେଳେ ୨୩,୫୦୦ ଟଙ୍କା ଜରିମାନା ଆଦାୟ ହୋଇଛି । ସେହିପରି ୨୦୨୩-୨୪ରେ ୬ ଟି ମାମଲା ରୁଜୁ କରାଯାଇ ୧ ଲକ୍ଷ ୫୫ ହଜାର ଜରିମାନା ଆଦାୟ ହୋଇଛି । ୨୦୨୪-୨୫ ରେ ନଭେମ୍ବର ସୁଦ୍ଧା ୪ଟି ମାମଲା ସହ ୪୮ ହଜାର ଜରିମାନା ଆଦାୟ ହୋଇଛି ।