ଯାଜପୁର ଜିଲ୍ଲା ବଡ଼ଚଣାରେ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ମଞ୍ଚ ଉପରୁ ବିଜେଡିକୁ ଟାର୍ଗେଟ କରିଛନ୍ତି। ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗ ଉଠାଇ ଟାର୍ଗେଟ କଲେ ମୋହନ ମାଝୀ। ବିଜେଡିର ଗାଁକୁ କାମ, ନାରୀକୁ ସମ୍ମାନ ନାରା କେତେ କାର୍ଯ୍ୟକାରୀ କରିଛନ୍ତି ସେ ନେଇ ପ୍ରଶ୍ନ ଉଠାଇଲେ। ୨୪ ବର୍ଷ ଶାସନରେ ବିକାଶ ନାଁରେ ବିନାଶ କରିଛି ବିଜେଡି। ଆଜି ବି ଗାଁକୁ ଭଲ ରାସ୍ତା ନାହିଁ, ବିକାଶମୂଳକ କାମ ନାଁରେ ଦୁର୍ନୀତି ହୋଇଛି, ନାରୀକୁ କେତେ ସମ୍ମାନ ଦେଇଛନ୍ତି, ତାହା ଆମେ ଦେଖିଛୁ। ଧର୍ମଶାଳା ପିଇଓ ସ୍ମିତାରାଣୀଙ୍କୁ ନିର୍ମମ ଭାବେ ହତ୍ୟା କରାଗଲା, ହେଲେ ନ୍ୟାୟ ଦେବା ପରିବର୍ତ୍ତେ କୁଜି ନେତାଙ୍କୁ ଘଣ୍ଟ ଘୋଡ଼ାଇ ରଖିଲା ବିଜେଡି ସରକାର। ହେଲେ ଆଉ ନୁହେଁ, ଧର୍ମଶାଳା ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲାର ତଦନ୍ତ କରିବ ବିଜେପି ସରକାର। ଯିଏ ବି ଦୋଷୀ ଥିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଆଇନ ଅନୁଯାୟୀ ଦଣ୍ଡ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହୁରି କହିଥିଲେ, ବିକାଶ ନାଁରେ ବିନାଶ କରିଛି ବିଜେଡି। ଯାଜପୁରର ନଗଡ଼ା ଅପପୁଷ୍ଟି କଥା ରାଜ୍ୟ ନୁହେଁ, ପୁରା ଦେଶରେ ଚର୍ଚ୍ଚା ହୋଇଥିଲା। ଖାଇବାକୁ ନପାଇ ପ୍ରାୟ ୧୫ ଶିଶୁଙ୍କ ଜୀବନ ଯାଇଥିଲା। ଏପରିକି ଯାଜପୁରର ଗୁରୁବାରୀ ମାଉସୀ ଚାକୁଣ୍ଡା ପତ୍ର ଭାଜି ଖାଇଥିଲେ। ୨୪ ବର୍ଷ ଭିତରେ କି ବିକାଶ ହୋଇଛି, ଆହୁରି ସମୟ ମାଗୁଛନ୍ତି। ତେଣୁ ବିଜେପିକୁ ଓଡ଼ିଶାରେ ଏକ ନମ୍ବର କରିବାକୁ ଯାଜପୁରବାସୀଙ୍କୁ ଆହ୍ବାନ ଦେଇଛନ୍ତି ଶ୍ରୀ ମାଝୀ।

ବିକାଶ ନାଁରେ ୩ ପରିବାର ମିଶି ଯାଜପୁରକୁ ଲୁଟିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଲେ। ନାଁ ନନେଇ ବିଜେଡିର ୩ ନେତାଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ। ଯାଜପୁର ଏକ ଶିଳ୍ପ ସମୃଦ୍ଧ ଓ ଖଣି ଖାଦାନରେ ଭରପୂର ଅଞ୍ଚଳ।ତେଣୁ ଯେଉଁଭଳି ଉନ୍ନତି ହେବା କଥା ସେତିକି ନାହିଁ, ଆଜି ବି ଏଠାରେ ଲୋକେ ଗରିବ। ବିଗତ ସରକାରରେ ଅବହେଳିତ ହୋଇଥିବା ଲୋକଙ୍କୁ ସମସ୍ତ ପ୍ରକାର ସୁବିଧା ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *