ଲେବାନନର ହିଜବୁଲ୍ଲାକୁ ଟାର୍ଗେଟ କରି ଇସ୍ରାଏଲର ବ୍ୟାପକ ବିମାନ ଆକ୍ରମଣରେ ୪୯୨ ଜଣଙ୍କ ମୃତ୍ୟୁ ଘଟିଥିବା ଦେଶର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି। ମୃତକଙ୍କ ମଧ୍ୟରେ ୩୫ ଶିଶୁ, ୫୮ ମହିଳା ଅଛନ୍ତି। ଅନ୍ୟ ୧୬୪୫ ଜଣ ଆହତ ହୋଇଥିବା ଜଣାପଡିଛି। ଲେବାନନରେ ହିଜବୁଲ୍ଲାର ୮୦୦ ସ୍ଥାନ ଧ୍ବସ୍ତ ହୋଇଛି। ୨୦୦୬ ଯୁଦ୍ଧ ପରଠାରୁ ସଶସ୍ତ୍ର ସଙ୍ଗଠନ ନିର୍ମାଣ କରିଥିବା ଭିତ୍ତିଭୂମିକୁ ନଷ୍ଟ କରିବା ପାଇଁ କରାଯାଇଥିବା ଅଭିଯାନରେ ଇସ୍ରାଏଲ ସେନା ୧୬୦୦ ହିଜବୁଲ୍ଲାକୁ ଟାର୍ଗେଟ କରିଥିବା କହିବା ପରେ ହଜାର ହଜାର ପରିବାର ମଧ୍ୟ ଘର ଛାଡ଼ି ପଳାଇଛନ୍ତି। ସେପ୍ଟେମ୍ବର ୩୦ ଯାଏ ଇସ୍ରାଏଲରେ ଇମର୍ଜେନ୍ସି ଘୋଷିତ ହୋଇଛି।

ଅନ୍ୟପକ୍ଷରେ ହିଜବୁଲ୍ଲା ଉତ୍ତର ଇସ୍ରାଏଲ ଉପରେ ୨୦୦ରୁ ଅଧିକ ରକେଟ୍ ପ୍ରକ୍ଷେପଣ କରିଛି ବୋଲି ସେନା ପକ୍ଷରୁ କୁହାଯାଇଛି। ପାରାମେଡିକମାନେ କହିଛନ୍ତି ଯେ ଛୁରିମାଡରେ ଦୁଇ ଜଣ ଆହତ ହୋଇଛନ୍ତି। ଉଭୟ ପକ୍ଷ ସର୍ବକାଳୀନ ଯୁଦ୍ଧ ଆଡ଼କୁ ଆଗେଇ ଆସୁଥିବାରୁ ବିଶ୍ୱ ଶକ୍ତିମାନେ ତାଗିଦ କରୁଛନ୍ତି।

ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ପରିସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିବା ସହ ଲେବାନନ୍ ଆଉ ଏକ ଗାଜାରେ ପରିଣତ ହେଉ ବୋଲି ସେ ଚାହୁଁନଥିବା କହିଛନ୍ତି। ନ୍ୟୁୟର୍କରେ ଜାତିସଂଘରେ ବିଶ୍ୱ ନେତାଙ୍କ ସମାବେଶ ପୂର୍ବରୁ ଏହି ଉତ୍ତେଜନା ଅତ୍ୟନ୍ତ ଚିନ୍ତାଜନକ ବୋଲି ୟୁରୋପୀୟ ସଂଘର ବୈଦେଶିକ ବ୍ୟାପାର ମୁଖ୍ୟ ଜୋସେପ୍ ବୋରେଲ୍ କହିଛନ୍ତି।

ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ, ଆମେରିକା ଉତ୍ତେଜନା ହ୍ରାସ କରିବା ପାଇଁ କାର୍ଯ୍ୟ କରୁଛି ଯାହାଦ୍ୱାରା ଲୋକମାନେ ସୁରକ୍ଷିତ ଭାବେ ଘରକୁ ଫେରିପାରିବେ ଓ ପେଣ୍ଟାଗନ ଘୋଷଣା କରିଛି ଯେ ସେମାନେ ପ୍ରଚୁର ସତର୍କତା ଅବଲମ୍ବନ କରି ମଧ୍ୟପ୍ରାଚ୍ୟକୁ ଅଳ୍ପ ସଂଖ୍ୟକ ଅତିରିକ୍ତ ସୈନ୍ୟ ପଠାଉଛନ୍ତି ।

Leave a Reply

Your email address will not be published. Required fields are marked *