ମହାପ୍ରଭୁଙ୍କ ମହାପ୍ରସାଦ ଉଦ୍ଦେଶ୍ୟରେ ରାଜ୍ୟର ଲୋକମାନେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପୂର୍ବରୁ ଦେଇଥିବା ଚାଉଳ ଅର୍ପଣକୁ ନେଇ ତେଜୁଛି ରାଜନୈତିକ ବୟାନବାଜି । ଚାଉଳ ସମ୍ପୂର୍ଣ୍ଣ ନଷ୍ଟ ହେବା ପୂର୍ବରୁ ଗରିବଙ୍କୁ ବାଣ୍ଟି ଦିଆଯାଉ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଭେଟି ସୁଆର ମହାସୁଆର ନିଯୋଗ ଜଣାଇବା ପରେ ରଜନୀତିରେ ଦେଖା ଦେଇଛି ବୟାନବାଜି। ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆରଙ୍କ କହିବାନୁଯାୟୀ, “୧୪ ହଜାର କୁଇଣ୍ଟାଲ୍ ଅର୍ପଣ ଚାଉଳ ସଂଗ୍ରହ କରାଯାଇଥିଲା । ସେଥିମଧ୍ୟରୁ ଚାରି ହଜାର କୁଇଣ୍ଟାଲ୍ ଚାଉଳ ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତିରେ ବ୍ୟବହାର ହୋଇଥିଲା । ଅର୍ପଣ ଚାଉଳରୁ ପ୍ରସ୍ତୁତ ହୋଇଥିବା ମହାପ୍ରସାଦକୁ ମଧ୍ୟ ଭକ୍ତଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା । ତେବେ ୧୦ ହଜାର କୁଇଣ୍ଟାଲ୍ ଚାଉଳ ଏବେବି ଗଛିତ ରହିଛି । ଏହି ଚାଉଳ ଏବେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇନଥିବାରୁ ଏହାକୁ ଫିଙ୍ଗା ନଯାଇ ଗରିବ ଲୋକଙ୍କ ମଧ୍ୟରେ ବଣ୍ଟନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଚିନ୍ତା କରୁଛି । ଆଗାମୀ ଦିନରେ ଏନେଇ ଆଉ ଏକ ବୈଠକ ବସି ଚୂଡାନ୍ତ ନିଷ୍ପତ୍ତି ନିଆଯିବ ।” ସେହିପରି ନଷ୍ଟ ହୋଇଯାଇଥିବା ଅର୍ପଣ ଚାଉଳକୁ ନେଇ ଆଇନ ମନ୍ତ୍ରୀ କହିଛନ୍ତି ଅର୍ପଣ ଚାଉଳ ଭଗବାନଙ୍କ ପାଖରେ ଅର୍ପଣ ହେବାର ଯୋଗ୍ୟ ନୁହେଁ। ଖୁବଶୀଘ୍ର ଚାଉଳର କିପରି ସଦୁପଯୋଗ ହେବ, ତା’ ଉପରେ ପରିଚାଳନା କମିଟି ନିଷ୍ପତ୍ତି ନେବ ଏବଂ କମିଟିର ପରାମର୍ଶ କ୍ରମେ ସରକାର ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରିବେ । ଅନ୍ୟପଟେ ଅର୍ପଣ ଚାଉଳକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ବିଜେଡି ବିଧାୟକ ଗଣେଶ୍ବର ବେହେରା । ସେ କହିଛନ୍ତି ଚାଉଳ ଠାକୁରଙ୍କ କାମରେ ନଲାଗିଲେ ବିକ୍ରି ହେଉ । ଅର୍ପଣ ଚାଉଳକୁ ବିକ୍ରି କରି ମନ୍ଦିର ପାଣ୍ଠିକୁ ଦିଆଯାଉ । ଚାଉଳ ନଷ୍ଟ ହେବା ପୂର୍ବରୁ ତୁରନ୍ତ ବିକ୍ରି କରନ୍ତୁ ସରକାର । Post navigation ରାଜ୍ୟରେ ଜଳାନ୍ତକ ରୋଗ ରୋକିବା ପାଇଁ ବୁଲା କୁକୁରଙ୍କୁ ଦିଆଯିବ ଟିକା ରାଜ୍ୟରେ ଶିଳ୍ପ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ