ସତ ରେ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ? ଜମାରୁ ନୁହେଁ । ସେ ଶଙ୍ଖ ଭବନ ଯାଉନାହାନ୍ତି ଏକଥା ସତ । ସେ ସାଧାରଣରେ ଲୋକଙ୍କ ସହ ମିଶୁ ନାହାନ୍ତି। ବିଜଦ ନେତାମାନଙ୍କୁ ଖୋଲାଖୋଲି ଗୁରୁ ମନ୍ତ୍ର ଦେଉନାହାନ୍ତି । ଆଉ ଶନିବାରିଆ ଭୋରରୁ ଶ୍ରୀମନ୍ଦିର ଯାଇ ଜଗନ୍ନାଥଙ୍କ ଦର୍ଶନ କରୁନାହାନ୍ତି । କିନ୍ତୁ ନିରୁତା ସତକଥା ହେଲା ଯେ, ସେ ରାଜନୀତି ନୀତିର ଦ୍ଵିତୀୟ ପର୍ବ ଆରମ୍ଭ କରିଦେଇଛନ୍ତି।

ନବୀନ ନିବାସରେ ଖୋଲିଯାଇ ସାରିଲାଣି ତାଙ୍କ କାର୍ଯ୍ୟାଳୟ। ଯେଉଁ ରୁମରେ ବିଜୁ ବାବୁ ଉଠା ବସା କରୁଥିଲେ, ଦରବାର ବି ଲାଗୁଥିଲା, ସେହି ବିଜୁଙ୍କ ରୁମରେ ଖୋଲିଛି ପାଣ୍ଡିଆନଙ୍କ ନୂଆ କାର୍ଯ୍ୟାଳୟ । ତାଙ୍କ ଅନୁଗତ ମାନେ ଯାଇ ତାଙ୍କୁ ଭେଟୁଛନ୍ତି। ରଣନୀତି ବାବଦରେ ଆଲୋଚନା କରୁଛନ୍ତି । ତାଙ୍କ ଛାଇ ଭାବେ କଟକ ଲୋକସଭା ଆସନରେ ପରାଜିତ ସନ୍ତୁପ୍ତ ମିଶ୍ର ବିରୋଧୀ ଦଳ ନେତା ତଥା ବିଜଦ ସଭାପତିଙ୍କ ରାଜନୈତିକ ସଚିବ ଭାବେ ସହାୟତା କରୁଛନ୍ତି । କିନ୍ତୁ ଅସଲ ମାର୍ଗଦର୍ଶକ ଏବେବି ଅଛନ୍ତି ପାଣ୍ଡିଆନ।

ନିର୍ବାଚନୀ ଝଟକାରୁ ସେ ବାହାରିଆସିଲେଣି । ଯଦିଓ ବାହାରେ ଲୋକଙ୍କ ସହ ମିଳାମିଶା କରିପାରିନାହାନ୍ତି, ତେବେ ନବୀନ ବାବୁ ତାଙ୍କୁ ନବୀନ ନିବାସରେ କାର୍ଯ୍ୟାଳୟ ଖୋଲିବାକୁ ଦେଇଛନ୍ତିର ଅନେକ ରାଜନୈତିକ ଗୁରୁତ୍ବ ଅଛି। ନବୀନ ବାବୁଙ୍କ ସହ ସାକ୍ଷାତ କରିବାକୁ ଯେଉଁ ଦଳୀୟ ନେତାମାନେ ଯାଉଛନ୍ତି, ସେଠାରେ ନାହାନ୍ତି ପାଣ୍ଡିଆନ।

ପାଣ୍ଡିଆନ ଅଫିସରେ। ନବୀନ ବାବୁ ଦମ୍ ଦେଉଛନ୍ତି ଦଳୀୟ ବିଧାୟକଙ୍କୁ । ଏପରି କି ବିଧାନସଭାରେ ୫୧ ନୁହେଁ ସେମାନଙ୍କ ସଂଖ୍ୟା ୬୫ ବୋଲି କହୁଛନ୍ତି ନବୀନ । ଅର୍ଥାତ କଂଗ୍ରେସ ଓ ବିଜଦ ଭିତରେ ସମନ୍ବୟ ରହି ସାରିଲାଣି। କୁହାଯାଉଛି ଏହାର ସୂତ୍ରଧର ହେଉଛନ୍ତି ପାଣ୍ଡିଆନ।

ବିଧାନସଭାରେ କେଉଁକେଉଁ ମନ୍ତ୍ରୀଙ୍କୁ କି ପ୍ରଶ୍ନ ପଚରାଯିବ, ତାହା ସ୍ଥିର କରୁଛନ୍ତି ପାଣ୍ଡିଆନ। କେଉଁ ପ୍ରସଙ୍ଗରେ ବିଧାନସଭାରେ ସରକାରଙ୍କୁ ଘେରାଯିବ, ତାହା ମଧ୍ୟ ସ୍ମିର କରିବେ ପାଣ୍ଡିଆନ। ଅର୍ଥାତ ବିଜଦର ଆଗାମୀ ରଣନୀତି ପୁଣି ପାଣ୍ଡିଆନଙ୍କ ନିର୍ଦ୍ଦେଶନାରେ ଏବଂ ପରିଚାଳନାରେ ଜାରି ରହିବ।

ପାଣ୍ଡିଆନଙ୍କ ପ୍ରତି ନବୀନଙ୍କ ଅହେତୁକ ଦରଦ ଅନ୍ୟ ପକ୍ଷରେ କିନ୍ତୁ ଦଳ ଭିତରେ ତୀବ୍ର ପ୍ରତିକ୍ରିୟା ଯେ ଯେ ସୃଷ୍ଟି କରି ସାରିଲାଣି, ଏହା ବୋଧହୁଏ ଅନୁଭବ କରିପାରୁନାହାନ୍ତି ନବୀନ। କିମ୍ବା ଟେର ଟର ପାଇନାହାନ୍ତି।

ଯେଉଁମାନେ ଭେଟୁଛନ୍ତି, ସେମାନେ ଆଉ ନବୀନଙ୍କ ମତିଗତି ଦେଖି ପାଣ୍ଡିଆନଙ୍କ ବିରୋଧରେ ଅଭିଯୋଗ ମଧ୍ୟ କରୁନାହାନ୍ତି। ହେଲେ ଗତ ନିର୍ବାଚନରେ ଜନତାଙ୍କ କ୍ରୋଧ ପାଣ୍ଡିଆନଙ୍କ ଉପରେ ଥିଲା । ଏବେ ଦଳୀୟ ନେତାଙ୍କ କ୍ରୋଧ ପାଣ୍ଡିଆନ ଏବଂ ନବୀନଙ୍କ ଉପରେ ଫୁଟିବା ଆରମ୍ଭ କରିଛି ।

ମୋହନ ସରକାରଙ୍କ ଗତିବିଧ‌ି ମଧ୍ଯ ଅନେକ ସନ୍ଦେହ ସୃଷ୍ଟି କଲାଣି। ରାଜନୀତିରୁ ସନ୍ନ୍ୟାସ ନେଇଥ‌ିବା ଜଣେ ବ୍ୟକ୍ତିଙ୍କୁ କେମିତି ପୁଲିସ ପାଇଲଟିଂ ବ୍ୟବସ୍ଥା ଯୋଗାଇ ଦିଆଯାଇଛି ? କମିଶନରେଟ ପୁଲିସର ଏ ଧରଣର ପଦକ୍ଷେପ ପଛରେ ମୋହନ ସରକାରଙ୍କ ସମର୍ଥନ ଅଛି କି ? ଯେତେବେଳେ ନବୀନ ନିବାସରୁ ନିଜ ଘରକୁ ଆସୁଛନ୍ତି କିମ୍ବା ନିଜ ସରକାରୀ କ୍ୱାର୍ଟରରୁ ନବୀନ ନିବାସ ଯାଉଛନ୍ତି, ଇନୋଭା କାର ପାଇଲଟିଂ କରୁଛି। ଏପର୍ଯ୍ୟନ୍ତ କାହିଁକି ପିଏସ୍ଓ ହଟାଯାଇ ନାହିଁ ? ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଣ୍ଡିଆନଙ୍କୁ ଜେଡ୍ ସିକ୍ୟୁରିଟି ଦେଇଥିଲେ। କେବଳ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ପ୍ରତ୍ଯାହାର କରିପାରିବେ। କିନ୍ତୁ ତାହା ମଧ୍ୟ ହେଉ ନାହିଁ । ଏଣେ ନବୀନ ନିବାସରେ ଫୁଲ୍ ଦମରେ ରାଜନୀତି ଆରମ୍ଭ କରି ଦୋକାନ ଖୋଲି ସାରିଛନ୍ତି ପାଣ୍ଡିଆନ। ଦେଖାଯାଉ ଆଗାମୀ ଦିନରେ ରାଜ୍ୟ ରାଜନୀତି ସହ ବିଜଦ ରାଜନୀତି କିଭଳି ମୋଡ଼ ନେଉଛି ?

Leave a Reply

Your email address will not be published. Required fields are marked *