ଦୀପାଳି ଦାସଙ୍କ ଆବେଦନକୁ ଗ୍ରହଣ କଲେ ଇସିଆଇ। ଝାରସୁଗୁଡ଼ା ବିଧାନସଭା କ୍ଷେତ୍ରର ପରାଜିତ ବିଜେଡି ପ୍ରାର୍ଥୀ ଦୀପାଳି। ନିର୍ବାଚନ ଫଳାଫଳରେ ଅସନ୍ତୋଷ ପ୍ରକାଶ କରି ଅଭିଯୋଗ କରିଥିଲେ। ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ଝାରସୁଗୁଡ଼ାର ୧୩ଟି ପୋଲିଂ ଷ୍ଟେସନର ଇଭିଏମ ଯାଞ୍ଚ ଅନୁମତି ମିଳିଛି।

ଚଳିତ ନିର୍ବାଚନର ଭୋଟ୍‌ ଗଣତିରେ କୌଣସି ପ୍ରାର୍ଥୀଙ୍କ ସନ୍ଦେହ ରହିଥିଲେ ସେମାନେ ୫ ପ୍ରତିଶତ ଇଭିଏମ୍‌ର ପୁନଃ ଯାଞ୍ଚ କରିବା ପାଇଁ ଆବେଦନ କରିପାରିବେ ବୋଲି ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ରହିଥିଲା। ଏଥିପାଇଁ ଗତ ୧୦ ତାରିଖ ଆବେଦନର ଶେଷ ତାରିଖ ରହିଥିଲା। ଏହି ନିୟମ ଆଧାରରେ ଦୀପାଳି ୫ ପ୍ରତିଶତ ବା ୧୩ ସେଟ୍‌ ଇଭିଏମ୍‌ ଓ ଭିଭିପିଏଟି ଯାଞ୍ଚ ପାଇଁ ଆବେଦନ କରିଥିଲେ। ପ୍ରତିଟି ସେଟ୍‌ର ଯାଞ୍ଚ ପାଇଁ ଧାର୍ଯ୍ୟ ହୋଇଥିବା ୪୭ ହଜାର ଟଙ୍କା ହିସାବରେ ସେ ୬ ଲକ୍ଷ ୧୧ ହଜାର ଟଙ୍କା ମଧ୍ୟ ଜମା ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଝାରସୁଗୁଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ୨୫୭ଟି ବୁଥ ପାଇଁ ୧୯ ରାଉଣ୍ଡରେ ଭୋଟ୍‌ ଗଣତି ହୋଇଥିଲା। ଏଥିରେ ୧୦୯ଟି ବୁଥରେ ବିଜେଡି ଆଗୁଆ ଥିବା ବେଳେ ୧୪୭ଟି ବୁଥରେ ବିଜେପି ଆଗୁଆ ରହିଥିଲା। ଗୋଟିଏ ବୁଥରେ ବିଜେଡି-ବିଜେପି ଭୋଟ୍‌ ହାର ସମାନ ରହିଥିଲା। ତେବେ ଝାରସୁଗୁଡ଼ା ମ୍ୟୁନିସିପାଲଟିର ୧ ନମ୍ବର ୱାର୍ଡ ଅର୍ଥାତ୍‌ ସରବାହାଲରେ ଦୀପାଳିଙ୍କ ଘର ଥିବା ବେଳେ ଏହି ୱାର୍ଡରେ ମଧ୍ୟ ବିଜେପି ୩୬୭ ଭୋଟ୍‌ରେ ଆଗୁଆ ରହିଥିଲା। ଯାହାକୁ ନେଇ ବିଜେଡି ସମର୍ଥକମାନେ ଇଭିଏମ୍‌ ଉପରେ ସନ୍ଦେହ ପ୍ରକାଶ କରିଥିଲେ।

By Nirvay

Leave a Reply

Your email address will not be published. Required fields are marked *