ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସପ୍ତାହକ ମଧ୍ୟରେ ଦ୍ୱିତୀୟ ଥର ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ । ନବୀନ ଜିଲ୍ଲାର ୭ଟି ନିର୍ବାଚନ ମଣ୍ଡଳୀ ଓ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଖରିଆର ଓ ଭବାନୀପାଟଣାରେ ମୁଖ୍ୟମନ୍ତ୍ରୀ ଦୁଇଟି ଜନସଭା କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ପୂର୍ବାହ୍ନରେ ଭବାନୀପାଟଣାରେ ପହଞ୍ଚିିବେ । ଏହାପରେ ଶ୍ରୀକ୍ରିଷ୍ଣାନଗର ପଡ଼ିଆରେ ଜନସଭା ସମ୍ବୋଧନ କରିବେ ।
ଏହି ସମୟରେ ସେଠାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ଏହି ସମୟରେ କଳାହାଣ୍ଡି ଲୋକସଭା କ୍ଷେତ୍ରର ବିଧାୟକ ଓ ସାଂସଦ ପ୍ରାର୍ଥୀ ଉପସ୍ଥିତ ରହିବେ । ଏହାପରେ ନୂଆପଡ଼ା ଜିଲ୍ଲାର ଖଡ଼ିଆଳରେ ବିଶାଳ ଜନସଭାକୁ ଉଦବୋଧନ ଦେବେ ନବୀନ । ୧୨ଟା ୧୦ରେ ଖଡ଼ିଆଳରେ ପହଞ୍ଚି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ନବୀନଙ୍କ ଗସ୍ତକୁ ନେଇ ଦଳୀୟ କର୍ମୀ ଉତ୍ସାହିତ ଥିବା ବେଳେ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ଭରିରହିଛି । ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୧୩ ତାରିଖରେ କଳାହାଣ୍ଡି ସହ ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ନିର୍ବାଚନ ଅନୁଷ୍ଠିତ ହେବ ।
ସୂଚନାଯୋଗ୍ୟ ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦକ୍ଷିଣ ଓଡ଼ିଶାର ୪ଟି ସ୍ଥାନରେ ମାରାଥନ ନିର୍ବାଚନ ପ୍ରଚାର କରିଥିବା ବେଳେ ବିଜେଡିର ଦୁଇ ନମ୍ବର ତାରକା ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ପ୍ରଚାର ଜାରି ରଖିଛନ୍ତି। ଆଜି ମଧ୍ୟ କାର୍ତ୍ତିକ ପାଣ୍ଡିଆନ ଗଞ୍ଜାମ ଜିଲ୍ଲା ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବେ । ଗୋପାଳପୁରରେ ମେଗା ରୋଡ୍ ଶୋ’ କରିବେ ପାଣ୍ଡିଆନ ।