କୋଟି କୋଟି ଓଡ଼ିଆ ଓ ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ସମ୍ମାନ ଜଣାଇ ପଶ୍ଚିମବଙ୍ଗ ସରକାର ଦୀଘାସ୍ଥିତ ଜଗନ୍ନାଥ ମନ୍ଦିର ପରିସରରୁ ପବିତ୍ର ‘ଧାମ’ ଶବ୍ଦକୁ ଆନୁଷ୍ଠାନିକ ଭାବେ ହଟାଇ ଦେଇଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏକ ସରକାରୀ ପତ୍ର ମାଧ୍ୟମରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏ ସମ୍ପର୍କରେ ଅବଗତ କରାଇଛନ୍ତି। ନଭେମ୍ବର ୨୩ ତାରିଖରେ ପଠାଯାଇଥିବା ଏହି ପତ୍ରରେ ଶ୍ରୀ ଅଧିକାରୀ ଉଲ୍ଲେଖ କରିଛନ୍ତି ଯେ, ପୁରୀ ଶ୍ରୀଜଗନ୍ନାଥ ଧାମର ସ୍ୱତନ୍ତ୍ର ଧାର୍ମିକ ଓ ଆଧ୍ୟାତ୍ମିକ ମହତ୍ତ୍ୱକୁ ସମ୍ମାନ ଜଣାଇ ନାମକରଣରେ ସଂଶୋଧନ ଅଣାଯାଇଛି। ନୂଆ ବ୍ୟବସ୍ଥା ଅନୁଯାୟୀ, ସମଗ୍ର ପରିସରକୁ ଏଣିକି ‘ଶ୍ରୀ ଶ୍ରୀ ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର’ ଏବଂ ଭିତରେ ଥିବା ମନ୍ଦିରକୁ ‘ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର’ ଭାବେ ଅଭିହିତ କରାଯିବ। ଏହି ପରିବର୍ତ୍ତନ ମନ୍ଦିରର ପବିତ୍ରତାକୁ ଅକ୍ଷୁଣ୍ଣ ରଖିବା ସହିତ ପରିସରର ସାଂସ୍କୃତିକ ପରିଚୟକୁ ସଠିକ୍ ଭାବେ ଉପସ୍ଥାପନ କରିବ ଏବଂ ଦୁଇ ପଡ଼ୋଶୀ ରାଜ୍ୟ ମଧ୍ୟରେ ସଦ୍ଭାବନା ଓ ସାଂସ୍କୃତିକ ସମ୍ପର୍କକୁ ଆହୁରି ମଜଭୁତ କରିବ ବୋଲି ସେ ମତ ଦେଇଛନ୍ତି। ଏହି ନିଷ୍ପତ୍ତିକୁ ସ୍ୱାଗତ କରି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ପୂର୍ବରୁ ଦୀଘା ମନ୍ଦିର କ୍ଷେତ୍ରରେ ‘ଜଗନ୍ନାଥ ଧାମ’ ଶବ୍ଦର ବ୍ୟବହାର ଶ୍ରୀକ୍ଷେତ୍ରର ଅନନ୍ୟ ମର୍ଯ୍ୟାଦାକୁ କ୍ଷୁଣ୍ଣ କରୁଥିଲା ଏବଂ ଭକ୍ତମାନଙ୍କ ଭାବାବେଗକୁ ଗଭୀର ଆଘାତ ପହଞ୍ଚାଉଥିଲା। ଉଭୟ ରାଜ୍ୟର ସରକାରଙ୍କ ଆନ୍ତରିକତା ଓ ସକାରାତ୍ମକ ସହଯୋଗ ଯୋଗୁଁ ଏହି ବିବାଦର ସମାଧାନ ସମ୍ଭବ ହୋଇପାରିଛି ବୋଲି ସେ ଉଲ୍ଲେଖ କରିଛନ୍ତି। ଧାମ’ ଶବ୍ଦ ହଟାଇବା ନିଷ୍ପତ୍ତିର ଆନୁଷ୍ଠାନିକ କାର୍ଯ୍ୟକାରିତାକୁ ସେ ସ୍ୱାଗତ କରିବା ସହ ଶ୍ରୀ ଅଧିକାରୀଙ୍କ ସମ୍ବେଦନଶୀଳତା ଓ ତ୍ୱରିତ ପଦକ୍ଷେପ ପାଇଁ ଧନ୍ୟବାଦ ଅର୍ପଣ କରିଛନ୍ତି। ଏହି ସମସ୍ୟାର ସମାଧାନ ଦିଗରେ ଉଭୟ ରାଜ୍ୟର ବିଜେପି ନେତୃତ୍ୱାଧୀନ ସରକାରଙ୍କ ପ୍ରତିବଦ୍ଧତା ଓ ଗଠନମୂଳକ ସହଯୋଗକୁ ମଧ୍ୟ ସେ ଶ୍ରେୟ ଦେଇଛନ୍ତି। ଏହି ନିଷ୍ପତ୍ତି ସନାତନ ସଂସ୍କୃତି, ପରମ୍ପରା ଏବଂ ଭକ୍ତଙ୍କ ଧାର୍ମିକ ବିଶ୍ୱାସ ପ୍ରତି ସମ୍ମାନର ପ୍ରତିଫଳନ ବୋଲି ବର୍ଣ୍ଣନା କରି ଶ୍ରୀ ମାଝୀ ଓଡ଼ିଶାବାସୀଙ୍କ ତରଫରୁ ପଶ୍ଚିମବଙ୍ଗ ସରକାରଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜଣାଇଛନ୍ତି। ସେ ଆହୁରି କହିଛନ୍ତି ଯେ ଏହି ପଦକ୍ଷେପ ଶ୍ରୀକ୍ଷେତ୍ର ପୁରୀର ସ୍ୱତନ୍ତ୍ର ଆଧ୍ୟାତ୍ମିକ ପରିଚୟକୁ ଅକ୍ଷୁଣ୍ଣ ରଖିବା ସହ ଦୁଇ ପଡ଼ୋଶୀ ରାଜ୍ୟ ମଧ୍ୟରେ ସାଂସ୍କୃତିକ ସମ୍ପର୍କକୁ ଆହୁରି ମଜବୁତ କରିବ। ଓଡ଼ିଆ ଅସ୍ମିତାର ସୁରକ୍ଷା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗୌରବ ଓ ପରମ୍ପରାକୁ ବଜାୟ ରଖିବା ପାଇଁ ତାଙ୍କ ସରକାର ସର୍ବଦା ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଦୋହରାଇଛନ୍ତି। Post navigation NGT Halts Wonderla Waterpark Project: ୱଣ୍ଡରଲା ୱାଟର ପାର୍କ ନିର୍ମାଣ କାର୍ଯ୍ୟ ଉପରେ ଏନ୍ଜିଟିଙ୍କ ରୋକ୍; ଖୋର୍ଦ୍ଧା ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ