ଶ୍ରୀଜଗନ୍ନାଥ ମନ୍ଦିରର ସେବାୟତଙ୍କ ସହାୟକ ଭାବେ ମିଛ ପରିଚୟ ଦେଇ ଠକେଇ କରୁଥିବା ଅଭିଯୋଗରେ ସିଂହଦ୍ୱାର ଥାନା ପୋଲିସ ସୋମବାର ଆଉ ୫ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ଚାଲିଥିବା ଧରପଗଡ଼ ଅଭିଯାନରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ଆହୁରି ବଢ଼ିଥିବା ପୋଲିସ ସୂଚନା ଦେଇଛି। ଅଭିଯୁକ୍ତମାନେ ଶ୍ରୀମନ୍ଦିରରେ ସହଜ ଓ ଶୀଘ୍ର ଦର୍ଶନ କରାଇଦେବାର ପ୍ରଲୋଭନ ଦେଖାଇ ଶ୍ରଦ୍ଧାଳୁଙ୍କଠାରୁ ଟଙ୍କା ଆଦାୟ କରୁଥିଲେ ଏବଂ ଏଥିପାଇଁ ବାଧ୍ୟ କରୁଥିଲେ। ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ପୋଲିସ ପକ୍ଷରୁ ଏଭଳି କଡ଼ା ପଦକ୍ଷେପ ନିଆଯାଇଛି। ସୂଚନା ଅନୁଯାୟୀ; ପୁରୀ ଶ୍ରୀମନ୍ଦିରର ଉତ୍ତର ଦ୍ୱାର ନିକଟରେ ଆମେରିକାରୁ ଆସିଥିବା ୧୩ ଜଣ ଭକ୍ତଙ୍କଠାରୁ ଜଣେ ନକଲି ସେବାୟତଙ୍କ ସହାୟକ ୧୩,୦୦୦ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା। ଶ୍ରୀଜଗନ୍ନାଥଙ୍କ ସହଜ ଓ ଶୀଘ୍ର ଦର୍ଶନ କରାଇଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଏହି ଠକେଇ କରାଯାଇଛି। ବିଦେଶରୁ ଆସିଥିବା ଏହି ୧୩ ଜଣିଆ ଦଳକୁ ଜଣେ ବ୍ୟକ୍ତି ନିଜକୁ ସେବାୟତଙ୍କ ସହାୟକ ପରିଚୟ ଦେଇ ନିକଟତର ହୋଇଥିଲା। ଅଧଘଣ୍ଟା ଭିତରେ ଦର୍ଶନ କରାଇଦେବା ପାଇଁ ସେ ପ୍ରତ୍ୟେକ ଭକ୍ତଙ୍କଠାରୁ ୧,୦୦୦ ଟଙ୍କା ଲେଖାଏଁ ଦାବି କରିଥିଲା। ଭକ୍ତମାନେ ବିଶ୍ୱାସ କରି ମୋଟ ୧୩,୦୦୦ ଟଙ୍କା ଦେବା ପରେ, ଦର୍ଶନ ପାଇଁ ଆଗେଇବା ବେଳକୁ ଲୋକଟି ଭିଡ଼ ଭିତରେ କୁଆଡ଼େ ଉଭାନ ହୋଇଯାଇଥିଲା। ଏହା ନେଇ ଥାନାରେ ଅଭିଯୋଗ ପରେ ପୋଲିସ ୫ ଜଣ ଠକଙ୍କୁ ଗିରଫ କରିଛି । ଅନ୍ୟପଟେ ଏହି ଘଟଣାକୁ ନେଇ ପୁରୀ ଏସ୍ପି ପ୍ରତୀକ ସିଂ ଶ୍ରଦ୍ଧାଳୁମାନଙ୍କୁ ସତର୍କ କରାଇ କହିଛନ୍ତି ଯେ ଦର୍ଶନ କରାଇଦେବାକୁ କହି ଯିଏ ବି ଟଙ୍କା ମାଗୁଛି, ସେମାନଙ୍କ ପ୍ରଲୋଭନରେ ନ ପଡ଼ି ତୁରନ୍ତ ପୋଲିସକୁ ଜଣାନ୍ତୁ। ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ପାଇଁ ପୋଲିସ ସଦା ସର୍ବଦା ତତ୍ପର ରହିଥିବା ବେଳେ ନକଲି ଗୁମାସ୍ତା ଓ ଦଲାଲଙ୍କ ବିରୋଧରେ ଏଭଳି ଧରପଗଡ଼ ଆଗକୁ ମଧ୍ୟ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। Post navigation Anganwadi Workers Protest in Odisha: ଭୁବନେଶ୍ୱରରେ ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କ ବିକ୍ଷୋଭ; ବିଭିନ୍ନ ଦାବି ନେଇ ରାଜରାସ୍ତାରେ ହଜାର ହଜାର ମହିଳା