ଓଡ଼ିଶାର ପ୍ରତ୍ୟେକ ଗ୍ରାମାଞ୍ଚଳକୁ ଡିଜିଟାଲ୍ ସଂଯୋଗ ସହ ଯୋଡ଼ିବା ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ମାର୍ଚ୍ଚ ୨୦୨୭ ସୁଦ୍ଧା ରାଜ୍ୟର ଗାଁଗୁଡ଼ିକୁ ଇଣ୍ଟରନେଟ୍ ସଂଯୋଗ ଯୋଗାଇ ଦେବା ପାଇଁ ଓଡ଼ିଶା ସରକାର ଲକ୍ଷ୍ୟ ରଖିଛନ୍ତି। ଆଜି ବିଧାନସଭାରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଏହି ସୂଚନା ଦେଇଛନ୍ତି ।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, କେବଳ ମୋବାଇଲ ନେଟୱର୍କ ନୁହେଁ, ବରଂ ଆସନ୍ତା ୩ ବର୍ଷ ମଧ୍ୟରେ ରାଜ୍ୟର ସବୁ ଗାଁରେ ଇଣ୍ଟରନେଟ୍ ସୁବିଧା ଉପଲବ୍ଧ କରାଇବାକୁ ମଧ୍ୟ ଉଦ୍ୟମ ଜାରି ରହିଛି। ଏଥିପାଇଁ ଓଡ଼ିଶାରେ ‘ଭାରତ ନେଟ୍ ଫେଜ୍-୩’ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇସାରିଛି ଏବଂ ଏ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଛି। ସେପ୍ଟେମ୍ବରରୁ ଏହି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ, ୩ ବର୍ଷରେ ଏହି ପ୍ରକଳ୍ପ ବାବଦରେ ୩,୩୮୪ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ପ୍ରକଳ୍ପ ଅଧୀନରେ ରାଜ୍ୟର ସବୁ ଗାଁକୁ ଅପ୍ଟିକାଲ୍ ଫାଇବର ଏବଂ ନୂତନ ଟପୋଲୋଜି ନେଟୱର୍କ ମାଧ୍ୟମରେ ଦୃଢ଼ ଇଣ୍ଟରନେଟ୍ ସଂଯୋଗ ପହଞ୍ଚାଯିବ। ଏହା ସହିତ ୩୧୪ ବ୍ଲକ୍ ଏବଂ ପଞ୍ଚାୟତ କାର୍ଯ୍ୟାଳୟଗୁଡ଼ିକର ଡାଟା ଏକ୍ସଚେଞ୍ଜ୍ ସେକ୍ଟର ଭାବେ କାର୍ଯ୍ୟ କରିବ।

ଦୂରଦୂରାନ୍ତ ଓ ଉପାନ୍ତ ଅଞ୍ଚଳର ଲୋକମାନେ ଦୀର୍ଘ ଦିନ ଧରି ଦୁର୍ବଳ ମୋବାଇଲ ନେଟୱର୍କ ଏବଂ ଇଣ୍ଟରନେଟ୍ ଅଭାବରୁ ଅନଲାଇନ୍ ଶିକ୍ଷା, ଡିଜିଟାଲ୍ ବ୍ୟାଙ୍କିଙ୍ଗ୍, ଟେଲି-ମେଡିସିନ୍ ଏବଂ ସରକାରୀ ସେବାରୁ ବଞ୍ଚିତ ହେଉଥିଲେ। ମାର୍ଚ୍ଚ ୨୦୨୭ ସୁଦ୍ଧା ମୋବାଇଲ ନେଟୱର୍କ ଏବଂ ଭାରତ ନେଟ୍ ଫେଜ୍-୩ ମାଧ୍ୟମରେ ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ୍ ସଂଯୋଗ ପହଞ୍ଚିଲେ ଗ୍ରାମୀଣ ଅର୍ଥନୀତି, କୃଷି ବିପଣନ ଓ ଯୁବପିଢ଼ିଙ୍କ ଦକ୍ଷତା ବିକାଶରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହେବ। ପଞ୍ଚାୟତ ଓ ବ୍ଲକ୍ ସ୍ତରରେ ଡାଟା ଏକ୍ସଚେଞ୍ଜ୍ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବା ଦ୍ୱାରା ଇ-ଗଭର୍ଣ୍ଣାନ୍ସ ଆହୁରି ସ୍ବଚ୍ଛ ଓ ସୁଗମ ହୋଇପାରିବ।

Leave a Reply

Your email address will not be published. Required fields are marked *