ସ୍ୱାଧୀନତା ସଂଗ୍ରାମର ପବିତ୍ର ଇତିହାସରେ ବନବାସୀ ଅଞ୍ଚଳର ଅଗଣିତ ସଂଗ୍ରାମୀଙ୍କ ମଧ୍ୟରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ ଓ ସାହସିକତା ସର୍ବଦା ସ୍ମରଣୀୟ ହୋଇ ରହିବ। ନିଜ ଜୀବନ ଓ ଯୌବନକୁ ଦେଶ ମାତୃକାର ସେବାରେ ସମର୍ପିତ କରିଥିବା ଏହି ବୀର ସଂଗ୍ରାମୀଙ୍କ ତ୍ୟାଗ ଆଜିର ପିଢ଼ି ପାଇଁ ଆତ୍ମବିଶ୍ୱାସ ଓ ପ୍ରେରଣାର ଅକ୍ଷୟ ଉତ୍ସ।

ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୭ତମ ଜନ୍ମଜୟନ୍ତୀ ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ ଏବଂ ଅନ୍ୟ ନେତୃବୃନ୍ଦ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ଏହି ଅବସରରେ ଦେଶର ସ୍ୱାଧୀନତା ପାଇଁ ନିଜ ଜୀବନ ଓ ଯୌବନକୁ ଉତ୍ସର୍ଗ କରିଥିବା ସମସ୍ତ ବୀର ସଂଗ୍ରାମୀଙ୍କୁ ରାଜ୍ୟ ସଭାପତି ମନମୋହନ ସାମଲ ସ୍ମରଣ କରି କହିଛନ୍ତି ସ୍ୱାଧୀନତା ସଂଗ୍ରାମରେ ନିଜ ଜୀବନ ଓ ଯୌବନକୁ ଲଗାଇ ବଳିଦାନ ଦେଇଥିବା ବୀରମାନଙ୍କ ତ୍ୟାଗ ଆମକୁ ସବୁବେଳେ ଆତ୍ମବିଶ୍ୱାସ ଓ ପ୍ରେରଣା ଯୋଗାଇବ। ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ବନବାସୀ ଅଞ୍ଚଳର ସଂଗ୍ରାମୀ ତଥା ବୀରପୁତ୍ର ଶହୀଦ ଲକ୍ଷ୍ମଣ ନାୟକଙ୍କ ଅବଦାନ ଅତୁଳନୀୟ। ଶହୀଦ ଲକ୍ଷ୍ମଣ ନାୟକ ବନବାସୀ ଅଞ୍ଚଳରେ ଇଂରେଜ ଶାସନ ବିରୋଧରେ ବିଦ୍ରୋହର ସ୍ୱର ଉତ୍ତୋଳନ କରିଥିଲେ। ପ୍ରତିକୁଳ ପରିସ୍ଥିତିରେ ଜଙ୍ଗଲ ଜଙ୍ଗଲ ବୁଲି ଲୋକଙ୍କୁ ସଂଗଠିତ କରି ଆନ୍ଦୋଳନ ଜରିଆରେ ଇଂରେଜମାନଙ୍କୁ ଥରହର କରିଦେଉଥିଲେ । ଇଂରେଜମାନଙ୍କ ଦ୍ୱାରା କାରାବରଣ କରିବା ସତ୍ତ୍ୱେ ସେ ପଛଘୁଞ୍ଚା ଦେଇ ନଥିଲେ ଏବଂ ଶେଷରେ ଦେଶ ପାଇଁ ଫାଶୀ ଖୁଣ୍ଟରେ ଝୁଲି ବୀରଗତି ପ୍ରାପ୍ତ କରିଥିଲେ। ପରାଧୀନ ଭାରତରେ ଯେତେବେଳେ ଅଳ୍ପ କିଛି ଲୋକ ସଂଗ୍ରାମର ଶିଖାରେ ନିଜକୁ ସମର୍ପିତ କରୁଥିଲେ, ସେମାନଙ୍କ ମଧ୍ୟରେ ଶହୀଦ ଲକ୍ଷ୍ମଣ ନାୟକ ଥିଲେ ଅନ୍ୟତମ। ଶହୀଦ ଲକ୍ଷ୍ମଣ ନାୟକ ଆଜି ଓ ଆଗାମୀ ଶହ ଶହ, ହଜାର ହଜାର ବର୍ଷ ଧରି ଆମ ହୃଦୟ ଓ ମନରେ ପୂଜ୍ୟ ହୋଇ ରହିବେ। ସେ ଆମ ସମସ୍ତଙ୍କ ପାଇଁ ପ୍ରେରଣା ଓ ଆତ୍ମବିଶ୍ୱାସର ପ୍ରମୁଖ କେନ୍ଦ୍ରବିନ୍ଦୁ ।

ଏହି ଅବସରରେ ରାଜ୍ୟ ସଂପାଦକ ସରୋଜ କର, ଭୁବନେଶ୍ୱର ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନଙ୍କ ସମେତ ଅନେକ ବରିଷ୍ଠ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।

Leave a Reply

Your email address will not be published. Required fields are marked *