ଉପକୂଳବର୍ତ୍ତୀ ଅଞ୍ଚଳର ସୁରକ୍ଷା ଏବଂ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଅଧିକ ମଜବୁତ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ, ଓଡ଼ିଶାର ସମୁଦ୍ର କୂଳରେ ‘ଭିଡିଓ କ୍ୟାମେରା-ଆଧାରିତ ସ୍ୱୟଂଚାଳିତ ବେଳାଭୂମି ନିରୀକ୍ଷଣ ବ୍ୟବସ୍ଥା’ ସ୍ଥାପନ କରାଯିବ। ଏହା ସହିତ ରାଜ୍ୟରେ ଜାତୀୟ ମହାସାଗର ସୂଚନା କେନ୍ଦ୍ର ବା Indian National Centre for Ocean Information Services (ଇନ୍‌କୋଇସ୍) ର ଏକ ଆଞ୍ଚଳିକ କେନ୍ଦ୍ର ମଧ୍ୟ ପ୍ରତିଷ୍ଠା ହେବାକୁ ଯାଉଛି।

ଏହି ଅତ୍ୟାଧୁନିକ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେଲେ ପାଣିପାଗ ସମ୍ପର୍କିତ ସଠିକ୍ ଓ ସମୟୋପଯୋଗୀ ତଥ୍ୟ ମିଳିବା ସହିତ ସାମୁଦ୍ରିକ ବିପର୍ଯ୍ୟୟର ପୂର୍ବାନୁମାନ ଏବଂ ପୂର୍ବସଂକେତ ପ୍ରଦାନ କରିବା ଆହୁରି ସହଜ ହେବ। ବିଶେଷ କରି ଉପକୂଳବର୍ତ୍ତୀ ଜନସାଧାରଣ ଓ ମତ୍ସ୍ୟଜୀବୀଙ୍କ ସୁରକ୍ଷା କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହିତ ସାମୁଦ୍ରିକ ଗବେଷଣା କ୍ଷେତ୍ରକୁ ମଧ୍ୟ ନୂଆ ଗତି ଦେବ।

​ଏହି ପ୍ରକଳ୍ପକୁ ଆଗେଇ ନେବା ପାଇଁ ଖୁବ୍ ଶୀଘ୍ର ଭାରତ ସରକାରଙ୍କ ପୃଥ୍ୱୀ ବିଜ୍ଞାନ ମନ୍ତ୍ରାଳୟ ଅଧୀନସ୍ଥ Indian National Centre for Ocean Information Services (ଇନ୍‌କୋଇସ୍) ଏବଂ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିପତ୍ର ସ୍ୱାକ୍ଷର ହେବ।

Leave a Reply

Your email address will not be published. Required fields are marked *