ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ସରକାରୀ ବାସଭବନରୁ ଜଣେ ସବ୍-ଇନ୍ସପେକ୍ଟର (SI)ଙ୍କ ମୃତଦେହ ଉଦ୍ଧାର ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଘଟଣାକୁ ନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ପରି ଲାଗୁଥିବା ବେଳେ ତଦନ୍ତ ଶେଷ ହେବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଏସ୍ପି କହିଛନ୍ତି । ଏସ୍ପିଙ୍କ ସୂଚନା ଅନୁଯାୟୀ, SI ପ୍ରଭାସିନୀ ସାହୁ ପୂର୍ବରୁ ଶିକ୍ଷକତା କରୁଥିଲେ । ଶିକ୍ଷକତା ଛାଡ଼ି ସେ ନିକଟରେ ପୋଲିସ ବିଭାଗରେ ଯୋଗ ଦେଇଥିଲେ । ସେ ୨୦୨୪ ବ୍ୟାଚ୍ର SI ହୋଇଥିବା ବେଳେ ଏହା ପୂର୍ବରୁ ଭୁବନେଶ୍ୱର କମିଶନରେଟ୍ ପୋଲିସରେ କାର୍ଯ୍ୟ କରୁଥିଲେ। ତାଙ୍କ ଘର ଯାଜପୁର ଜିଲ୍ଲାର ମଙ୍ଗଳପୁର ଥାନା ଅଞ୍ଚଳରେ । ଟ୍ରେନିଂ ଶେଷ ହେବା ପରେ ଗତ ସେପ୍ଟେମ୍ବରରେ ତାଙ୍କୁ ପ୍ରଥମ ପୋଷ୍ଟିଂ ମିଳିଥିଲା । ତେବେ ତାଙ୍କର କୌଣସି ସମସ୍ୟା ଥିବା ନେଇ ସେ କେବେ ମଧ୍ୟ ଜଣାଇ ନଥିଲେ ବୋଲି ଏସ୍ପି କହିଛନ୍ତି । ଅନ୍ୟପଟେ ଘଟଣା ସମ୍ପର୍କରେ ମୃତ SIଙ୍କ ବାପଘର ଓ ଶାଶୁଘର ଲୋକଙ୍କୁ ସୂଚନା ଦିଆଯାଇଛି । ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ପରେ କ୍ୱାର୍ଟର୍ସର କବାଟ ଖୋଲାଯାଇ ତଦନ୍ତ ଆରମ୍ଭ କରାଯିବ । ତଦନ୍ତ ପରେ ମୃତ୍ୟୁର କାରଣ ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଘଟଣାର ସମସ୍ତ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି। Post navigation PM SVANidhi Samman Award 2026: ଦ୍ରୁତ ପ୍ରଗତି ହାସଲ କରୁଥିବା ରାଜ୍ୟ ମଧ୍ୟରେ ତୃତୀୟ ସ୍ଥାନରେ ଓଡ଼ିଶା